ନନ୍ଦନକାନନ ପ୍ରାଣୀ ଉଦ୍ୟାନ : ବାଘ ମଡ଼କରୁ ଶିଖିଲେନି, ୧୯ ବର୍ଷ ତଳେ ମରିଥିଲେ ୧୨ ବାଘ, ଏବେ ମଲେ ଅଧା ହାତୀ

ଦୁଇ ବାଘ ମଲା ପରେ ବି ଚେତି ନଥି‌ଲେ

ଭୁବନେଶ୍ବର/ବାରଙ୍ଗ : ନନ୍ଦନକାନନରେ ମଲେଣି ୪ ହାତୀ। ଆଉ କିଛି ବି ଆକ୍ରାନ୍ତ ହୋଇଥାଇପାରନ୍ତି। ୨୬ ଦିନ ତଳେ ଏହି ପ୍ରାଣୀ ଉଦ୍ୟାନରେ ୮ଟି ହାତୀ ରହିଥିବା ‌ବେଳେ ଆଜି ସଂଖ୍ୟା ୪କୁ ଖସିଛି। ଏମିତି ହେଲେ ଆଉ ଅଳ୍ପ ଦିନ ମଧ୍ୟରେ ନନ୍ଦନକାନନରୁ ହାତୀ ବଂଶ ଲୋପ ପାଇ ଯାଇପାରନ୍ତି। ତେବେ ଆଜକୁ ଠିକ୍‌ ୧୯ବର୍ଷ ତଳେ ନନ୍ଦନକାନନରେ ସମାନ ଢଙ୍ଗରେ ୮ଟି ଧଳା ବାଘ ସମେତ ମୋଟ ୧୨ବାଘଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମ ବାଘ ମୃତ୍ୟୁକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇ ନଥିଲେ। ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ଦୁଇ ମାସ ମଧ୍ୟରେ ପ୍ରାୟ ୧୨ଟି ବାଘ ପ୍ରାଣ ହରାଇଥିଲେ। ଏଥର ବି ମଧ୍ୟ ସମାନ ସ୍ଥିତି। ଅଗଷ୍ଟ ୨୬ରେ ଜୁଲିର ମୃତ୍ୟୁ ଘଟିବା ପରେ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ। ଘଟଣାକୁ ହାଲୁକା ଭାବେ ନେଇ ଚୁପ୍‌ ବସି ପଡ଼ିଥିଲେ। ପରିଣାମ ସ୍ବରୂପ ଏବେ ହାତୀଙ୍କ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି।

ଦେଶର ଏହି ପ୍ରମୁଖ ଚିଡ଼ିଆଖାନାରେ ୨୦୦୦ ମସିହାରେ ୨୭ଟି ଧଳା ବାଘଙ୍କ ସମେତ ମୋଟ ୫୬ଟି ବାଘ ରହିଥିଲେ। ସେହି ବର୍ଷ ଜୁନ୍‌ ୨୦ରେ ପ୍ରଥମ କରି ବାଘ ‘ଦେବାଶିଷ’ର ମୃତ୍ୟୁ ଘଟିଥିଲା। ଭେଟେନାରି ହସ୍ପିଟାଲରେ ତା’ର ରକ୍ତ ନମୁନା ଓ ମୂତ୍ର ପରୀକ୍ଷା କରାଯିବା ପରେ ବାଘଟି ଟ୍ରାଇପାନୋସୋମିଓସିସ୍ ଭୂତାଣୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେତେବେଳେ ନନ୍ଦନକାନନ କର୍ତୃପକ୍ଷ ଏହାକୁ ଗୁରୁତ୍ବର ସହ ନେଇ ନଥିଲେ। ଯେଉଁଥିପାଇଁ ଜୁଲାଇ ୨ରେ ବାଘ ‘ସାଗର’ ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିଲା। ଚିକିତ୍ସା ପାଇଁ ତାକୁ ଭେଟେରିନାରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜୁଲାଇ ୪ରେ ତା’ର ମୃତ୍ୟୁ ହୋଇଥିଲା। ସେହିଦିନ ଆହୁରି ୩ଟି ବାଘ ମଧ୍ୟ ଆକ୍ରାନ୍ତ ହୋଇ ମରିଥିଲେ। ଲଗାତାର ୫ଟି ବାଘଙ୍କ ମୃତ୍ୟୁ ପରେ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଥିଲା। ୧୭ଟି ବାଘଙ୍କ ଟିକାକରଣ କରାଯାଇଥିଲା। ଏନ୍‌କ୍ଲୋଜର ୩୨ ଓ ୩୩ରେ ବାଘଗୁଡ଼ିକୁ ସୁରକ୍ଷାର ସହ ରଖିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ବାଘ ମୃତ୍ୟୁ ବଢ଼ି ଚାଲିଥିଲା। ପରଦିନ ଆଉ ୫ଟି ବାଘ ମରିଥିଲେ। ଏହିପରି ମୋଟ ୧୨ଟି ବାଘ ମରିଥିଲେ। ତେଣୁ ନନ୍ଦନକାନନରେ ବାଘଙ୍କ ସଂଖ୍ୟା ୫୬ରୁ ୪୪କୁ ଖସି ଆସିଥିଲା। ବାଘ ମଡ଼କର ୧୯ ବର୍ଷ ପରେ ବି କର୍ତୃପକ୍ଷ କିଛି ବି ଶିଖି ପାରିଲେ ନାହିଁ। ଯେଉଁଥିପାଇଁ ଏବେ ହାତୀ ମଡ଼କ ଭୟଙ୍କର ରୂପ ନେଉଛି।

ପର୍ଯ୍ୟଟକ ଛାନିଆ

କେବଳ ହାତୀ ନୁହେଁ, ପ୍ରାଣୀ ଉଦ୍ୟାନରେ ରହିଥିବା ଅନ୍ୟ ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ହର୍ପିସ୍‌ ଭୂତାଣୁ ମୁଖ୍ୟତଃ ହାତୀଙ୍କଠାରେ ଦେଖିବାକୁ ମିଳିଥାଏ। ତେବେ ଅନ୍ୟ ଜୀବଜନ୍ତୁ ଆକ୍ରାନ୍ତ ନ ହେବେ ବୋଲି ଏପର୍ଯ୍ୟନ୍ତ କେହି ଗ୍ୟାରେଣ୍ଟି ଦେଇନାହାନ୍ତି। ସେପଟେ ଏହାକୁ ନେଇ ପର୍ଯ୍ୟଟକମାନେ ମଧ୍ୟ ଛାନିଆ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ‌ଗେଟ୍‌ରେ ପ୍ରବେଶ କରିବା କ୍ଷଣି ସେମାନଙ୍କ ମୁହଁରେ ଭୟର ବାତାବରଣ ଦେଖିବାକୁ ମିଳୁଛି।

କଇଁଛ ଚିନ୍ତା ଘାରିଲା

ପ୍ରତିବର୍ଷ ଜାଲରେ ପଡ଼ି ୫ ହଜାରରୁ ଅଧିକ କଇଁଛଙ୍କ ମୃତ୍ୟୁ ହେଉଛି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି। ଜାଲ୍‌ରେ ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍‌(ଟିଇଡି) ଲଗାଇବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଉଛି। ଏହାଦ୍ୱାରା ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଜୀବନ ବଞ୍ଚିପାରିବ। ସେମାନେ ଜାଲରେ ପଡ଼ିଲେ ମଧ୍ୟ ଛନ୍ଦି ନ ହୋଇ ଅତି ସହଜରେ ବାହାରି ପାରିବେ। ମୃତ୍ୟୁମୁଖରେ ପଡ଼ିବେ ନାହିଁ। ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଜାଲ ଯୋଗୁଁ ଅଲିଭ୍ ରିଡଲେଙ୍କ ଜୀବନ ଯାଉଥିବାରୁ ତାହାକୁ ଦୃଷ୍ଟି‌ରେ ରଖି ଏଭଳି ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଛି। ପୂର୍ବରୁ ଯେଉଁ ଟିଇଡି ବ୍ୟବହାର ହେଉଥିଲା ସେଥିରୁ ପ୍ରାୟ ୪୦ ପ୍ରତିଶତ ମାଛ ଜାଲରୁ ବାହାରି ଯାଉଥିଲେ। ତେବେ ଏବେକାର ଟିଇଡିରୁ ୨ରୁ ୩ ପ୍ରତିଶତ ମାଛ ଜାଲରୁ ଖସିବେ। ଏହାଦ୍ବାରା ମତ୍ସ୍ୟଜୀବୀ ଉପକୃତ ହେବା ସହ ଜୈବ ବିବିଧତା ରକ୍ଷା ପାଇବ ବୋଲି ଆଜି ହୋଟେଲ ନ୍ୟୁ ମାରିଅନ୍‌ଠାରେ ଅନୁଷ୍ଠିତ ଏକ ସମ୍ମିଳନୀରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର