ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫୪ନମ୍ବର ଖୁଆଡ଼ ମଧ୍ୟରେ ଏକ ମାର୍ମୋସେଟ୍ ମାଙ୍କଡ଼ ଛୁଆ ଜନ୍ମ ଲାଭ କରିଛି। ଉଭୟ ନବଜାତକ ଓ ତାର ମା’ ସୁସ୍ଥ ଅଛନ୍ତି। ଛୁଆଟିର ଲିଙ୍ଗ ଚିହ୍ନଟ ହୋଇପାରିନାହିଁ। ଗତ ଜୁନ୍ ୧୫ ତାରିଖରେ ଅସୁସ୍ଥତା କାରଣରୁ ଗୋଟିଏ ମାଈର ମୃତ୍ୟୁ ପରେ ୨ଟି ମାଈ ଓ ଗୋଟିଏ ପୁରୁଷକୁ ମିଶାଇ ମୋଟ ୩ଟି ମାଙ୍କଡ଼ ଥିଲେ। ବଂଶବୃଦ୍ଧିରେ ବାଧକ ସାଜିବା ନେଇ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଥିଲେ। ତେବେ ଆଜି ଛୁଆଟି ଜନ୍ମ ହେବାରୁ କର୍ତ୍ତୃପକ୍ଷଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ସୂଚନାଯୋଗ୍ୟ ଯେ ନନ୍ଦନକାନନରୁ ଏହି ପ୍ରଜାତି ମାଙ୍କଡ଼ ବଂଶ ଲୋପ ପାଇ ଯାଇଥିବାରୁ ଗତ ୨୦୧୮ ମସିହାରେ କର୍ତ୍ତୃପକ୍ଷ ୪ଟି ମାର୍ମୋସେଟ୍ ମାଙ୍କଡ଼ ତାମିଲନାଡ଼ୁର ମଦୁରାଇରୁ ଏକ ଘରୋଇ ସଂସ୍ଥାଠାରୁ କ୍ରୟ କରି ଆଣିଥିଲେ।
ଅପରପକ୍ଷେ ୩୬ ନମ୍ବର ‘ଖ’ ଖୁଆଡ଼ ମଧ୍ୟରେ ଏକ ମଣିପୁରୀ ହରିଣ ଛୁଆ ଜନ୍ମ ଲାଭ କରିଛି। ଉଭୟ ମା’ ଓ ନବଜାତକ ସୁସ୍ଥ ଅଛନ୍ତି। ଛୁଆଟିର ଲିଙ୍ଗ ଚିହ୍ନଟ ହୋଇପାରିନାହିଁ। ନନ୍ଦନକାନନରେ ଏହି ପ୍ରଜାତି ସଂଖ୍ୟା ମୋଟ ୧୨କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୫ ମାଈ, ୪ଟି ଅଣ୍ତିରା ଓ ଲିଙ୍ଗ ଚିହ୍ନଟ ହୋଇନଥିବା ୩ଟି ଛୁଆ ଅଛନ୍ତି।