କେଶବ ପାଣି
ଭୁବନେଶ୍ବର: ମାସେ କି ଦୁଇ ମାସେ ନୁହେଁ। ୬ ମାସ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଡ଼ିଛି ତାଲା। ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଛି କଟକଣା। ଟିକେଟ୍ କାଉଣ୍ଟର ଆଗରେ ଲମ୍ବା ଧାଡ଼ି ଲାଗୁନି କି ବ୍ୟାଟେରି ଚାଳିତ ଗାଡ଼ି ଗଡ଼ୁନି। ଯୁଆଡ଼େ ଚାହିଁଲେ ଶୂନ୍ଶାନ। ବାହାରୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ରାଜ୍ୟର ଏହି ପ୍ରମୁଖ ପ୍ରାଣୀ ଉଦ୍ୟାନର ଖାଁ ଖାଁ ପରିବେଶ। ସ୍ଥିତି ଏମିତି ହୋଇଛି ଯେ ମୁଖ୍ୟ ଫାଟକ ନିକଟକୁ ଯିବା ବେଳକୁ ପର୍ଯ୍ୟଟକଙ୍କୁ ଦୁଇ ଥର ଭାବିବାକୁ ପଡ଼ୁଛି। ପ୍ରାଣୀ ଉଦ୍ୟାନ ଆଖପାଖରେ ବି କର୍ତୃପକ୍ଷଙ୍କ ଆଖି ଘୂରି ବୁଲୁଛୁ। ରାସ୍ତାରେ ଯାଉଥିବା ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ପାଖକୁ ଯିବାକୁ ଇଚ୍ଛା କରୁଥିଲେ ମଧ୍ୟ କୋଭିଡ୍-୧୯ର କଟକଣା ବାଟ ଭାଙ୍ଗି ଚାଲିଯିବାକୁ ବାଧ୍ୟ କରୁଛି।
କେବଳ ପର୍ଯ୍ୟଟକ ନୁହଁନ୍ତି। କର୍ମଚାରୀଙ୍କ କ୍ଷେତ୍ରରେ ବି କଡ଼ା କଟକଣା ଲାଗିଛି। ଜୀବଜନ୍ତୁଙ୍କୁ ନିୟମିତ ଖାଦ୍ୟ ଦେଉଥିବା କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ଉପରେ ବି ଅଙ୍କୁଶ ଲାଗିଛି। ଯାହାର ଯେଉଁଦିନ ପାଳି ସେଦିନ ସିଏ ଭିତରକୁ ଯାଉଛି। ନ ହେଲେ ନାହିଁ। ରାଜ୍ୟର ଏହି ପ୍ରମୁଖ ପ୍ରାଣୀ ଉଦ୍ୟାନରେ କରୋନା ମାଡ଼ ଏମିତି ବାଜିଛି ଯେ ଅଣ୍ଟା ସଳଖିବାକୁ କେତେ ବର୍ଷ ଲାଗିବ ତାହା ଆକଳନ କରିବା ମୁସ୍କିଲ। ଟିକେଟ୍ ବାବଦରେ ପ୍ରତିବର୍ଷ ୧୫ରୁ ୧୬ କୋଟି ଟଙ୍କା ଆୟ କରୁଥିବା ଏହି ପ୍ରାଣୀ ଉଦ୍ୟାନ ୨୦୨୦-୨୧ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ଆୟ କରି ନାହିଁ। ବରଂ ୬ ମାସରେ ପାଖାପାଖି ୭ କୋଟି ଟଙ୍କା କ୍ଷତି ସହିଲାଣି। ଆଗକୁ ଆଉ କେତେ ଟଙ୍କା କ୍ଷତି ସହିବ ତାହା କହିବା ସମ୍ଭବ ନୁହେଁ। ପ୍ରାଣୀ ଉଦ୍ୟାନ ସହ ବଟାନିକାଲ ଗାର୍ଡେନ୍ ବି ଚଳିତବର୍ଷ କୋଟିଏରୁ ଅଧିକ ଟଙ୍କା କ୍ଷତି ସହିଥିବା ସୂଚନା ମିଳିଛି।
ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ଆସନ୍ତା ଅକ୍ଟୋବର ମାସରେ ପର୍ଯ୍ୟଟକଙ୍କ ପାଇଁ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଯୋଜନା କରାଯାଉଛି। ତେବେ କେମିତି ଖୋଲିବ? ପର୍ଯ୍ୟଟକଙ୍କୁ କିଭଳି ଭିତରକୁ ଛଡ଼ାଯିବ? ସୁରକ୍ଷା ଦିଗରେ କିଭଳି ପଦକ୍ଷେପ ନିଆଯିବ? ଜୀବଜନ୍ତୁ କେମିତି ସୁରକ୍ଷା ଦେଇହେବ ସେନେଇ ବ୍ୟାପକ ବିଚାରବିମର୍ଶ ଚାଲିଛି। ଖୁବ୍ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପିସିସିଏଫ୍ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଛନ୍ତି। ଅନ୍ୟପକ୍ଷରେ ଅକ୍ଟୋବରକୁ ନଜରରେ ରଖି ପର୍ଯ୍ୟଟଙ୍କ ଲାଗି ପ୍ରସ୍ତୁତ ହେଉଛି ପ୍ରାଣୀ ଓ ଉଦ୍ଭିଦ ଉଦ୍ୟନ।
ଶାବକ ପ୍ରେମରେ ସ୍ନେହା, ବିଜୟା
ଛୁଆଙ୍କୁ ଛାଡ଼ି ରହିପାରେନା ମା’। ଯେତେଦୂରରେ ଥିଲେ ବି ଧାଇଁଯିବାକୁ ଇଚ୍ଛା ହୁଏ। ପିଲାର ସ୍ନେହ ମମତା ସବୁବେଳେ ମା’କୁ ପିଲା ନିକଟକୁ ଟାଣିଆଣେ। ମଣିଷ କ୍ଷେତ୍ରରେ ଯେ ଏଭଳି ଘଟେ ତାହା ନୁହେଁ। ଜୀବଜନ୍ତୁଙ୍କ କ୍ଷେତ୍ରରେ ବି ଏମିତି ଭଲ ପାଇବା ରହିଛି। ଯାହାକି ବାଘୁଣୀ ‘ସ୍ନେହା’ ଓ ‘ବିଜୟା’ଙ୍କର ସେମାନଙ୍କ ଶାବକଙ୍କ ପ୍ରତି ଭଲ ପାଇବାରୁ ସ୍ପଷ୍ଟ ଜଣାପଡ଼ୁଛି। କରୋନା ଯୋଗୁଁ ଚିଡ଼ିଆଖାନା ସିନା ବନ୍ଦ ରହିଛି, ହେଲେ ଏନ୍କ୍ଲୋଜରରେ ଥିବା ‘ସ୍ନେହା’ ତା’ର ଦୁଇ ଶାବକଙ୍କ ପ୍ରେମରେ ପଡ଼ିଛି। ସେ ଯେମିତି ଚାଲୁଛି ଦୁଇ ଶାବକ ବି ସେମିତି ଚାଲୁଛନ୍ତି। ପାଣିରେ ବୁଲୁଛନ୍ତି। ଲମ୍ଫ ପ୍ରଦାନ କରୁଛନ୍ତି। ଦିନ ସାରା ମା’ ପଛେ ପଛେ ବୁଲୁଛନ୍ତି। ଧଳା ବାଘୁଣୀ ‘ବିଜୟା’ କ୍ଷେତ୍ରରେ ବି ସେମିତି ଦେଖିବାକୁ ମିଳୁଛି। ଶାବକକୁ କୋଳରୁ ଛାଡ଼ୁନି। ଗେଲ କରୁଛି। ଛୁଆ ଘଡ଼ିଏ କୁଆଡ଼େ ଚାଲିଗଲେ ପାଗଳିନୀ ପରି ‘ବିଜୟା’ର ମା’ ଆଖି ଖୋଜି ବୁଲୁଛି।
ଆକର୍ଷଣ ସାଜିବେ
ମାର୍ମୋସେଟ୍ ଓ ଗୟଳ ଶାବକ
୫୪ ନମ୍ବର ଖୁଆଡ଼ରେ ଅଗଷ୍ଟ ୧୫ରେ ଜନ୍ମ ନେଇଥିବା ମାର୍ମୋସେଟ୍ ମାଙ୍କଡ଼ ଏବେ ବାହାରକୁ ବାହାରିଲାଣି। ଜନ୍ମ ଗ୍ରହଣ କରିଥିବା ଦୁଇଟି ମାର୍ମୋସେଟ୍ ମଧ୍ୟରୁ ଅଗଷ୍ଟ ୧୮ରେ ଗୋଟିଏର ମୃତ୍ୟୁ ହୋଇଥିଲା। ଅନ୍ୟଟି ଏବେ ଘର ଭିତରୁ ବାହାରି ଏନ୍କ୍ଲୋଜର୍ ଭିତରେ ବୁଲୁଛି। ଏ ଡାଳରୁ ସେ ଡାଳକୁ ଡେଉଁଛି। ୪୨ ନମ୍ବର ଏନ୍କ୍ଲୋଜରରେ ଗତ ୬ ତାରିଖରେ ଜନ୍ମ ନେଇଥିବା ଗୟଳ ଛୁଆ ବି ଏବେ ଏନ୍କ୍ଲୋଜର ଭିତରେ ମା’ ପଛେ ପଛେ ବୁଲୁଛି। ଅକ୍ଟୋବରରେ ଯଦି ଉଦ୍ୟାନ ଖୋଲିବ ତେବେ ପର୍ଯ୍ୟଟକଙ୍କ ପାଇଁ ମାର୍ମୋସେଟ୍ ଓ ଗୟଳ ଶାବକ ଆକର୍ଷଣ ପାଲଟିବେ।
ରାଜା, ରାଣୀଙ୍କ କ୍ଷୀପ୍ର ଚାହାଣି
ପର୍ଯ୍ୟଟକଙ୍କ ଗହଳି ଚହଳି ନାହିଁ କି ସୋର ଶବ୍ଦ ନାହିଁ। ଶୂନ୍ଶାନ ପ୍ରାଣୀ ଉଦ୍ୟାନରେ ବାଘ, ବାଘୁଣୀଙ୍କ ଗର୍ଜନ ସମ୍ପୂର୍ଣ୍ଣ ପରିବେଶକୁ ନିଆରା ଅନୁଭୂତି ଦେଉଛି। କେତେବେଳେ ପାଣି କୁଣ୍ଡ ଭିତରେ ପଶି ବାଘ ଗର୍ଜନ ଛାଡ଼ୁଛି ତ ଆଉ କେତେବେଳେ ଗଛ ଉପରେ ଚଢ଼ି ଶିକାରୀ ଚାହାଣିରେ କର୍ମଚାରୀଙ୍କୁ ଅନାଉଛି। ପର୍ଯ୍ୟଟକଙ୍କୁ ନ ପାଇ ବାଘ, ବାଘୁଣୀ ଏକୁଟିଆ ଅନୁଭବ କରୁଥିବା ବେଳେ ସିଂହ ଓ ସିଂହୀ(ରାଜା ଓ ରାଣୀ)ଙ୍କ କ୍ଷୀପ୍ର ଚାହାଣି ପ୍ରାଣୀ ଉଦ୍ୟାନର ଖାଁ ଖାଁ ପରିବେଶରେ ନିଆରା ଅନୁଭୂତି ଦେଉଛି।
ମାସକରେ ୨୫ ଜୀବଜନ୍ତୁଙ୍କୁ ପୋଷ୍ୟ ଗ୍ରହଣ
ଲକ୍ଡାଉନ୍ ସମୟରେ ଅଧିକରୁ ଅଧିକ ଲୋକ ଏଠାକାର ଜୀବଜନ୍ତୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କର୍ତୃପକ୍ଷ(ଓଟିଡିସି) ପକ୍ଷରୁ ବାଘ ‘ସ୍ପନ୍ଦନ’କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ଦେଢ଼ ଲକ୍ଷ ଟଙ୍କା ଦେଇ ଓଟିଡିସି କର୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ଓଟିଡିସି ବ୍ୟତୀତ ରାଜ୍ୟ ଭିତର ଓ ବାହାର ରାଜ୍ୟର ପଶୁ ପ୍ରେମୀମାନେ ମଧ୍ୟ ଏହି ସମୟରେ ବିଭିନ୍ନ ପ୍ରଜାତିର ପଶୁ, ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ଖର୍ଚ୍ଚ ବାବଦରେ ଅର୍ଥ ପଇଠ କରିଛନ୍ତି। ଗତ ୩୫ ଦିନ ମଧ୍ୟରେ ୨୧ ଜଣ ବ୍ୟକ୍ତି ୨୫ଟି ଜୀବଜନ୍ତୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।
ଶୋଭା ପାଇଲାଣି ଗେଣ୍ଡୁ, ଗୋଲାପ
୧୯୦ ଦିନ ହେଲା ବନ୍ଦ ରହିଥିବା ନନ୍ଦନକାନନର ବଟାନିକାଲ ଗାର୍ଡେନ୍ ଖୋଲିବା ପାଇଁ ପ୍ରସ୍ତୁତ ହେଉଛି। ପର୍ଯ୍ୟଟନ ତଥା ପିକ୍ନିକ୍ ଋତୁ ଆରମ୍ଭ ହେଉଥିବାରୁ ଭଳିକି ଭଳି ଫୁଲରେ ସଜେଇ ହୋଇଛି ଗାର୍ଡେନ୍। ଗେଣ୍ଡୁଠାରୁ ଗୋଲାପ ପର୍ଯ୍ୟନ୍ତ। ତା’ ସାଙ୍ଗକୁ କାକ୍ଟସ୍, କଇଁ ଆଦି ବି ଶୋଭା ବଢ଼ାଉଛନ୍ତି। ଏଠାକାର କର୍ମଚାରୀ ଦିନରାତି ଏକ କରି କାମରେ ଲାଗିପଡ଼ିଛନ୍ତି। ପିକ୍ନିକ୍ ସ୍ଥଳୀକୁ ମଧ୍ୟ ସଫା କରାଯାଉଛି। ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିବା ଫଳରେ ଗାର୍ଡେନ୍ରେ ଉଠିଥିବା ଅନାବନା ଗଛଗୁଡ଼ିକୁ ସଫା କରାଯାଉଛି। ପର୍ଯ୍ୟଟକଙ୍କ ରହଣି ପାଇଁ ଥିବା ଘରଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଉଛି। ପ୍ରଜାପତି ଉଦ୍ୟାନ, ଗୋଲାପ ବଗିଚା, କାକ୍ଟସ୍ ହାଉସ୍, ଗ୍ଲାସ ହାଉସ୍, ଡ୍ରାଏ ଗ୍ରାଡେନ୍, ଗ୍ରିନ୍ ହାଉସ୍, ଆର୍କିଡ୍ ହାଉସ୍, ଔଷଧୀୟ ଉଦ୍ୟାନ, ଜାପାନିଜ୍ ଗାର୍ଡେନ୍, ପ୍ଲାମ୍ସ ଗାର୍ଡେନ୍, ଶିଶୁ ଉଦ୍ୟାନ ଆଦି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।