ଦୁଇ ଆନାକୋଣ୍ତାଙ୍କ ମୃତ୍ୟୁ ଘଟଣା : ସ୍ଥିତି ଅନୁଧ୍ୟାନ କଲେ ଚେନ୍ନାଇ ବିଶେଷଜ୍ଞ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ତାଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି ଚେନ୍ନାଇ ସ୍ଥିତ କ୍ରୋକଡାଇଲ ବ୍ୟାଙ୍କର ଦୁଇ ଜଣିଆ ବିଶେଷଜ୍ଞ। ଆଜି ସଂଧ୍ୟାରେ କ୍ରୋକଡାଇଲ ବ୍ୟାଙ୍କର ସହକାରୀ ସଂଗ୍ରହାଳୟ ପରିଚାଳକ(ଆସିଷ୍ଟାଣ୍ଟ କ୍ୟୁରେଟର) ଡ. ଅଜୟ କାର୍ତ୍ତିକ ଓ ଚିକିତ୍ସା ବିଶେଷଜ୍ଞ ଡ. ରୁଚିକା ଏଠାରେ ପହଞ୍ଚି ଆନାକୋଣ୍ଡାଙ୍କୁ ଯାଞ୍ଚ କରିଥିଲେ। ନନ୍ଦନକାନନର ଉପ ନିର୍ଦେଶକ ଜୟନ୍ତ ଦାସ, କ୍ୟୁରେଟର ଅଞ୍ଜନ କୁମାର ମହାନ୍ତି, ବରିଷ୍ଠ ପ୍ରାଣୀ ଚିକିତ୍ସକ ଡ. ଆଲୋକ କୁମାର ଦାସ, ଡ. ଶରତ କୁମାର ସାହୁ, ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଡ. ଦେବଦତ୍ତ ମହାପାତ୍ର ଓ ପ୍ରାଣୀ ଶିକ୍ଷା ବିଶେଷଜ୍ଞ ମିଲନ ପଣ୍ତାଙ୍କ ସହ ଦୁଇ ଅଧିକାରୀ ଆନାକୋଣ୍ତା ରହୁଥିବା ୪୫ ‘କ’ ଖୁଆଡ଼ ନିକଟକୁ ଯାଇଥିଲେ। ସେଠାରେ ପୃଥକ ପୃଥକ କରି ରଖାଯାଇଥିବା ସମସ୍ତ ୬ଟି ଆନାକୋଣ୍ତାଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ଆବାସ, ଖାଦ୍ୟପେୟ ଓ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ଡ. କାର୍ତ୍ତିକ କହିଥିଲେ ଦିଆଯାଇଥିବା ପରାମର୍ଶ ଅନୁସାରେ ନନ୍ଦନକାନନରେ ଚିକିତ୍ସା ଚାଲୁ ରହିଛି। ଏବେ ଆନାକୋଣ୍ତାମାନେ ସୁରକ୍ଷିତ ଥିବା ସେ ଅନୁଭବ କରିଛନ୍ତି। ଏହାପରେ ସେଠାରୁ ନନ୍ଦନକାନନ ଗେଷ୍ଟହାଉସକୁ ଯାଇ ସେଠାରେ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।

ସୂଚନା ଥାଉକି ନନ୍ଦନକାନନରେ ଗତ ଗୁରୁବାର ଓ ଶନିବାର ୨ଟି ଆନାକୋଣ୍ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୪ଟି ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଆନାକୋଣ୍ତା ବଂଶ ପ୍ରତି ବିପଦ ଦେଖା ଦେବାରୁ ଚେନ୍ନାଇ ସ୍ଥିତ କ୍ରୋକଡାଇଲ ବ୍ୟାଙ୍କର ବିଶେଷଜ୍ଞଙ୍କ ସହ ଫୋନ୍ ଯୋଗେ ନନ୍ଦନକାନନ କର୍ତ୍ତୃପକ୍ଷ ଆଲୋଚନା କରି ପରାମର୍ଶ ନେଇଥିଲେ। ପରାମର୍ଶ ମୁତାବକ ଥିବା ସମସ୍ତ ୬ଟି ଆନାକୋଣ୍ତାଙ୍କୁ ଆଣ୍ଟି ପ୍ରୋଟୋଜୋନ୍ ଓ ଆକ୍ରାନ୍ତ ୪ଟିଙ୍କୁ ସାଲାଇନ୍ ଦିଆଯାଇ ଚିକିତ୍ସା ଚାଲୁ ରହିଛି।

ସମ୍ବନ୍ଧିତ ଖବର