ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ: ହଜାର ଏକର ବଢ଼ିବ ପରିସୀମା

ବାରଙ୍ଗ: ମାତ୍ର ୬ଜଣ ଜୀବଙ୍କୁ ନେଇ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ହୋଇଥିବା ନନ୍ଦନକାନନ ପ୍ରାଣୀଉଦ୍ୟାନ ଆଜି ୫୯ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ଆଜି ପ୍ରାଣୀ ଉଦ୍ୟାନ ପରିସର‌ରେ ଏହାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ଅତିଥି ଓ ନନ୍ଦନକାନନ କର୍ତ୍ତୃପକ୍ଷ ନନ୍ଦନକାନନର ବିଗତ ୫୮ବର୍ଷର ଉପଲବ୍‌ଧିକୁ ମନେ ପକାଇବା ସହ ୬୦ ପାଇଁ ପ୍ରସ୍ତୁତ ଯୋଜନା ଉପରେ ଆଲୋକପାତ କରିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରରେ ନିର୍ମିତ ଶାଗୁଣା ପ୍ରଜନନ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ମାଟିରୁ ଲୋପ ପାଇଥିବା ଶାଗୁଣାଙ୍କର ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ କହିଥିଲେ।

ନନ୍ଦନକାନନ କାର୍ଯ୍ୟାଳୟ ସମ୍ମୁଖ ବାଟିକାରେ ନିର୍ଦ୍ଦେଶକ ହରିଶଙ୍କର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରୀ ରାଉତରାୟ ଆହୁରି କହିଥିଲେ ଯେ ସବୁଜ ବନାନୀଭରା ନନ୍ଦନକାନନ ପର୍ଯ୍ୟଟକଙ୍କୁ ସଦାସର୍ବଦା ଆକୃଷ୍ଟ କରି ଆସିଛି। ବିଶ୍ବରେ ଏକମାତ୍ର ଚିଡ଼ିଆଖାନା ଭାବେ ଏଠାରେ ଜନ୍ମିତ ବିରଳ କଳାବାଘ ଓ ଘଡ଼ିଆଳ କୁମ୍ଭୀର ପ୍ରଜନନ ପାଇଁ ଏହି ପ୍ରାଣୀ ଉଦ୍ୟାନ ପ୍ରସିଦ୍ଧି ଲାଭ କରିଥିବାରୁ ସେ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ। ନନ୍ଦନକାନନର ପଶ୍ଚିମପଟକୁ ଲାଗିଥିବା ୬ ହଜାରରୁ ଊର୍ଧ୍ୱ ହେକ୍ଟର ଚନ୍ଦକା ଅଭୟାରଣ୍ୟର ହଜାର ଏକର ଜମିକୁ ସାମିଲ କରିବାକୁ ଯୋଜନା ଚାଲିଛି। ଫଳରେ ନନ୍ଦନକାନନ ପରିସର ଅଢ଼େଇ ହଜାର ହେକ୍ଟର ହୋଇପାରିବ ଓ ଅନେକ ଜୀବଜନ୍ତୁଙ୍କୁ ଆଣି ଏଠାରେ ପ୍ରଜନନ କରାଯାଇ ବଂଶବୃଦ୍ଧି କରାଯାଇ ପାରିବ ବୋଲି ମନ୍ତ୍ରୀ କହିଥିଲେ। ଏହାଛଡ଼ା କାଞ୍ଜିଆହ୍ରଦର ପୁନରୁଦ୍ଧାର କରାଯିବା ସହ ତାର ପାଣିକୁ ନିଷ୍କାସନ ଲାଗି ନାଳୀ କରାଯିବାକୁ ଯୋଜନା କରାଯିବ। ନନ୍ଦନକାନନରେ ଜିରାଫ ଓ ଜେବ୍ରା କାହିଁକି ମରିଛନ୍ତି, ତାର ପରୀକ୍ଷାନିରୀକ୍ଷା କରି ମୃତ୍ୟୁର ପ୍ରକୃତ କାରଣ ଜାଣିବା ପରେ ଆଉ ଥରେ ସେସବୁ ଜୀବଙ୍କୁ ଆଣିବା ପାଇଁ ମନ୍ତ୍ରୀ ଶ୍ରୀ ରାଉତରାୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଇଣ୍ଡୋନେସିଆ, ଜାଭା ସହ ଯୋଗାଯୋଗ କରି ନନ୍ଦନକାନନରେ ଥିବା ଏକମାତ୍ର ଓରାଙ୍ଗଓଟାନର ସାଥୀ ଆଣିବାକୁ କର୍ତ୍ତୃପକ୍ଷ ପ୍ରୟାସ କରନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସନ୍ଦୀପ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଖାଲି ଜୀବଜନ୍ତୁ ଦେଖିବାକୁ ନୁହେଁ, ନନ୍ଦନକାନନ ଏକ ପ୍ରାଣୀ ଶିକ୍ଷାକେନ୍ଦ୍ରରେ ପରିଣତ ହୋଇଥିବାରୁ ଅନେକେ ଏଠାକୁ ଶିକ୍ଷା ଲାଭ କରିବାକୁ ଆସିଥାଆନ୍ତି। ଅନ୍ୟତମ ଅତିଥି ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଲେ, ଯେଉଁ କର୍ମଚାରୀଙ୍କ ତ୍ୟାଗରେ ନନ୍ଦନକାନନ ଏତେ ବଡ଼ ହୋଇଛି, ସେମାନଙ୍କ ନାମରେ ଏକ ସ୍ମରଣୀୟ ଉଦ୍ୟାନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ଏକ ସ୍ମରଣିକା ଓ ପଞ୍ଜିକା ଉନ୍ମୋଚିତ ହୋଇଥିଲା। ସେହିପରି ଭାସ୍କର ପ୍ରଧାନ, କେଦାର ପାତ୍ର, ଦୁଷ୍ମନ୍ତ ନାଏକ, ପ୍ରଶାନ୍ତ ଜେନା, ଅକ୍ଷୟ ଦାସ, ଶିବରାମ ସାହୁ, ପୂର୍ଣ୍ଣ ବେହେରା, ଲକ୍ଷ୍ମୀପ୍ରିୟା ଭୂୟାଁ ଓ ସୁଦୀପା ବେହେରାଙ୍କ ସମେତ ୨୨ଜଣ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରାଯାଇଥିଲା। ଶେଷରେ ରାଜ୍ୟ ଉଦ୍ଭିଦ ଉଦ୍ୟାନର ଏସିଏଫ ଗିରୀଶ ଶତପଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର