ବାରଙ୍ଗ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଜଣେ କର୍ମଚାରୀ ଆଜି ବଉଳା କୁମ୍ଭୀର କାମୁଡ଼ାରେ ଆହତ ହୋଇଛନ୍ତି। ସେ ହେଲେ, ଏଲ୍‌. ଆଇ ପ୍ରଦୀପ କୁମାର ନନ୍ଦୀ। ସେ ଅପରାହ୍‌ଣରେ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଦୁର୍ବଳ ବଉଳା କୁମ୍ଭୀର ଛୁଆଙ୍କୁ ହାତରେ ଧରି ଔଷଧ ଖୁଆଉଥିଲେ। ଏତିକିବେଳେ ଦେଢ଼ଫୁଟ୍ ଲମ୍ବର ଏକ କୁମ୍ଭୀର ତାଙ୍କ ଡାହାଣ ହାତ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ଅନ୍ୟ ଏକ ଘଟଣାରେ ତୃଣଭୋଜି ସଫାରୀରେ ଏକ ୧୦ ବର୍ଷ ବୟସ୍କା ମାଈ ସମ୍ବରର ମୃତ୍ୟୁ ହୋଇଛି। ମୁଣ୍ତରେ ଟ୍ୟୁମର୍‌ ହୋଇଥିବାରୁ ସେ ଚିକିତ୍ସାଧୀନ ଥିଲା। ମାସକ ତଳେ ତା’ ଆଖି ପତା ତଳେ ଥିବା ଟ୍ୟୁମରର ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ଟ୍ୟୁମରଟି ମସ୍ତିଷ୍କ ଭିତରେ ବଢ଼ିବା କାରଣରୁ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସମ୍ବରଟିର ଶବ ବ୍ୟବଚ୍ଛେଦ ପରେ ମସ୍ତିଷ୍କରେ ଥିବା ଟ୍ୟୁମରର ଟିସୁ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି। ନନ୍ଦନକାନନରେ ବର୍ତମାନ ଆଉ ୧୯ଟି ସମ୍ବର ଅଛନ୍ତି।