କୁମାରଖୁଣ୍ଟିରେ ନନ୍ଦନକାନନର ୧୦ ଚିତ୍ରା ହରିଣ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୧୦ଟି ଚିତ୍ରା ହରିଣଙ୍କୁ ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ଛଡ଼ାଯାଇଛି। ଏହି ଅଭୟାରଣ୍ୟସ୍ଥିତ କୁମାରଖୁଣ୍ଟି ୱାଚ୍‌ଟାୱାରକୁ ଏମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଏକ ସ୍ବତନ୍ତ୍ର ଗାଡ଼ିରେ ସେମାନଙ୍କୁ ସୁରକ୍ଷିତଭାବେ ନେଇ କୁମାରଖୁଣ୍ଟି ଜଳାଶୟ ନିକଟରେ ଛଡ଼ାଯାଇଛି। ନନ୍ଦନକାନନରେ ଏହି ପ୍ରଜାତି ହରିଣଙ୍କର ଆଶାତୀତ ବୃଦ୍ଧି ହେଉଥିବାରୁ ସେଠାରେ ରଖିବା ପାଇଁ ସ୍ଥାନାଭାବ ଏକ ବଡ଼ ସମସ୍ୟା ହୋଇଥାଏ। ସେହିଭଳି ଖାଦ୍ୟ ଯୋଗାଣ ମଧ୍ୟ ଅନ୍ୟ ଏକ ସମସ୍ୟା ସୃଷ୍ଟି କରେ। ‌ତେଣୁ ନନ୍ଦନକାନନରେ ଏମାନଙ୍କ ସଂଖ୍ୟାକୁ ଧାର୍ଯ୍ୟ ଅନୁସାରେ ସ୍ଥିର ରଖିବା ପାଇଁ ଅଧିକ ହରିଣମାନଙ୍କୁ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯାଏ। ଏହା ଏକ ନିରନ୍ତର ପ୍ରକ୍ରିୟା।

ଅନ୍ୟ ପକ୍ଷରେ ଚନ୍ଦକା ଜଙ୍ଗଲରେ ହରିଣ ବଂଶ ବୃଦ୍ଧି କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ (ପ୍ରଚୁର ଖାଦ୍ୟ ଓ ଚାରଣ ଭୂମି) ଥିବାରୁ ବନ ବିଭାଗ ମଧ୍ୟ ନନ୍ଦନକାନନର ଏହି ପଦକ୍ଷେପକୁ ସ୍ବାଗତ କରି ଆସିଛି। ଆଗାମୀ ଦିନରେ କୁମାରଖୁଣ୍ଟିରେ ଏକ ହରିଣ ପାର୍କ କରାଯିବ ବୋଲି ବନ ବିଭାଗ ଯୋଜନା କରିଛି। ଗୋଡ଼ିବାରୀ ଦେଇ ଏହି ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ବନ ବିଭାଗ ଏହି ଯୋଜନା କରିଛି ବୋଲି ସୂଚନା ମିଳିଛି। ତେଣୁ ପର୍ଯ୍ୟାୟକ୍ରମେ ନନ୍ଦନକାନନରୁ ୨ ଶହ ଚିତ୍ରା ହରିଣଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖା ଯାଇଛି ଓ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାୟକ୍ରମେ ୬୦ଟିଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର