ନନ୍ଦନକାନନ କର୍ମଚାରୀଙ୍କ ଛୁଟି ବାତିଲ

ବାରଙ୍ଗ: ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତୃପକ୍ଷ ପ୍ରସ୍ତୁତି ଜୋରଦାର କରିଛନ୍ତି। ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ନନ୍ଦନକାନନ ଉପ-ନିେର୍ଦ୍ଦଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି। ପ୍ରଣୀ ଚିକିତ୍ସା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ପର୍ଯ୍ୟାପ୍ତ ପରିମାଣରେ ଔଷଧ ଓ ଚିକିତ୍ସା ଉପକଣ ମହଜୁଦ ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଉପୁଡ଼ି ପଡ଼ିଥିବା ଗଛକୁ ତୁରନ୍ତ କାଟି ସଫା କରିବା ଲାଗି କଟର୍‌ ରଖିବା ସାହିତ ଜଳ ନିଷ୍କାସନ କରିବାକୁ ପମ୍ପ ସେଟ୍‌ ରଖିବାକୁ କୁହାଯାଇଛି। ଖୁଆଡ଼ ପ୍ରଭାବିତ ହେଲେ ଜୀବଜନ୍ତୁଙ୍କ ସ୍ଥାନାନ୍ତର କିମ୍ବା ଆବଦ୍ଧ କରି ରଖିବା ଲାଗି ଜାଲି ମହଜୁଦ୍‌ ରଖିବାକୁ ନିେର୍ଦ୍ଦଶ ଦିଆଯାଇଛି। ଜୀବଜନ୍ତୁଙ୍କୁ ବାତ୍ୟା ସମୟରେ ଖାଦ୍ୟ ଗ୍ରହଣ କକ୍ଷରେ ଆବଦ୍ଧ କରି ରଖିବାକୁ ନିେର୍ଦ୍ଦଶ ରହିଛି। ସେହିପରି ଜୀବଜନ୍ତୁଙ୍କ ଖାଦ୍ୟ ପେୟର ଯେଭଳି ଅସୁବିଧା ନହୁଏ ସେଥିଲାଗି ଆଗୁଆ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖାଯିବ ବୋଲି ସୂଚନା ଦିଆଯାଇଛି। ବାତ୍ୟା ସମୟରେ କିମ୍ବା ପରେ ଲାଇନ କଟିଲେ ଆବଶ୍ୟକ ସ୍ଥଳେ ଜେନେରେଟର ଲଗାଯିବ। ଏଥିପାଇଁ ଜେନେରେଟର୍‌, ପେଟ୍ରୋଲ୍‌, ଡିଜେଲ୍‌, ପାଟ୍ରୋଲିଂ ଗାଡ଼ି, ଟର୍ଚ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ମଧ୍ୟ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଆବଶ୍ୟକ ପଡ଼ିଲେ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ବନ୍ଦ କରିଦିଆଯିବ ବୋଲି କୁହାଯାଇଛି। ସମସ୍ତ ପ୍ରସ୍ତୁତି ଶ୍ରୀଘ୍ର ସାରିବାକୁ ଜନ୍ତୁ ବିଭାଗ, ପର୍ଯ୍ୟଟକ ପରିଚଳନା, ସୁରକ୍ଷା, ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର