ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ରେ ପାଳନ କରାଯିବ। ଏହି ଅବସରରେ ପ୍ରାଣୀ ଉଦ୍ୟାନ ପକ୍ଷରୁ ୪ଟି ଖୁଆଡ଼ର ଉଦ୍‌ଘାଟନ କରାଯିବ। ଏଥିରୁ ଗୋଟିଏ ଖୁଆଡ଼ରେ ଧୂସର ଗଧିଆକୁ ରଖାଯିବ। ସେହିଭଳି ଅନ୍ୟ ୩ଟି ଖୁଆଡ଼ରେ ବିରଳ ପ୍ରଜାତିର ମାଙ୍କଡ଼ ରହିବେ। ପ୍ରତିଷ୍ଠା ଦିବସରେ ବିରଳ କଳାବାଘ ଛୁଆକୁ ପ୍ରଥମ ଥର ପାଇଁ ଲୋକଙ୍କ ସାମ୍ନାକୁ ଅଣାଯିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

Advertisment

ପ୍ରତିଷ୍ଠା ଦିବସରେ ଏଠାରେ ଥିବା ଜୀବଜନ୍ତୁଙ୍କୁ ନେଇ ଏକ ମାନସମନ୍ଥନ ହେବ। ଚଳିତ ବର୍ଷ ଏହି ଚିଡ଼ିଆଖାନରେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିବାରୁ ଏହି ସଂଖ୍ୟା ଆଗାମୀ ଦିନରେ କିପରି ପୂରଣ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇପାରେ।

ନନ୍ଦନକାନନର ସିଂହ ‘ପିଚାନ’ର ମୃତ୍ୟୁ

publive-image

ନନ୍ଦନକାନନରେ ଥିବା ସିଂହ ‘ପିଚାନ’ର ଶନିବାର ମୃତ୍ୟୁ ଘଟିଛି। ପିଚାନର ବୟସ ୨୧ ବର୍ଷ ଥିଲା। ତାକୁ ଗୁଜୁରାଟର ଜୁନାଗଡ଼ସ୍ଥିତ ସୁକେରବୁଗ ଚିଡିଆଖାନାରୁ ୨୦୧୩ ମାର୍ଚ୍ଚ ୨୩ରେ ଅଣାଯାଇଥିଲା। ‘ପିଚାନ’ର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ୪ଟି ସିଂହ ଓ ୫ଟି ସିଂହୀ ଅଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷ ମେ’ମାସ ୩ ତାରିଖରେ ସାମୁଦ୍ରିକ ଝଡ଼ ଫଣିର ତାଣ୍ଡବ ଯଦିଓ ନନ୍ଦନକାନନକୁ ସେତେ ବେଶି ପ୍ରଭାବିତ କରିପାରି ନ ଥିଲା, ତଥାପି ଏହି ବାତ୍ୟା ପରେ କିଛି ଦିନ ପାଇଁ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ପୁଣି ଥରେ ଯେତେବେଳେ ନନ୍ଦନକାନନ ଖୋଲିଥିଲା, ହଜାର ହଜାର ଗଛ ଭାଙ୍ଗି ଯାଇଥିବାରୁ ଖାଲି ଖାଲି ଲାଗିଥିଲା। ବାତ୍ୟାରେ ଯଦିଓ ଜୀବଜନ୍ତୁମାନଙ୍କର ମୃତ୍ୟୁ ଘଟି ନ ଥିଲା ତଥାପି ବାତ୍ୟାପରେ ପୂର୍ବ ଭଳି ପର୍ଯ୍ୟଟକଙ୍କ ଭିଡ଼ ନନ୍ଦନକାନରେ ଦେଖିବାକୁ ମିଳୁ ନଥିଲା।