ଆଖି ବୁଜିଲା ନନ୍ଦନକାନନ ନାୟିକା ‘ସୁପ୍ରିୟା’

ବାରଙ୍ଗ: ଶେଷରେ ମଙ୍ଗଳବାର ଆଖି ବୁଜିଦେଲା ନନ୍ଦନକାନନ ନାୟିକା ସିଂହୀ ‘ସୁପ୍ରିୟା’। ବାର୍ଦ୍ଧକ୍ୟଜନିତ ରୋଗରେ ଦୀର୍ଘ ଦିନ ପୀଡ଼ିତ ରହିବା ପରେ ସିଂହ ସଫାରିରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ବାସ ତ୍ୟାଗ କରିଛି। ମୃତ୍ୟୁ ବେଳକୁ ସୁପ୍ରିୟାକୁ ୨୬ ବର୍ଷ ହୋଇଥିଲା। ସାଧାରଣତଃ ସିଂହମାନଙ୍କ ବୟସ ୧୪ ବର୍ଷ ହୋଇଥିବାବେଳେ ସୁପ୍ରିୟା ଅଧିକ ୧୨ ବର୍ଷ ବଞ୍ଚି ରେକର୍ଡ କରିଛି। ଆଜି ସୁପ୍ରିୟାର ମୃତ୍ୟୁ ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୧୪କୁ ଖସି ଆସିଛି। ନନ୍ଦନକାନନରେ ଜନ୍ମ ନେଇଥିବା ସୁପ୍ରିୟାକୁ ପିଲାଟି ଦିନରୁ ବଢ଼ାଇ ଆସିଥିବା କର୍ମଚାରୀମାନଙ୍କ ମନରେ ଆଜି ତା’ର ମୃତ୍ୟୁ ଗଭୀର ଶୋକର ଛାୟା ଖେଳାଇ ଦେଇଛି।

ଗତ କିଛି ଦିନ ହେଲା ‘ସୁପ୍ରିୟା’ ରୋଗାକ୍ରାନ୍ତ ହୋଇ ପଡ଼ିଥିଲା। ବାର୍ଦ୍ଧକ୍ୟ କାରଣରୁ ତା’ର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଥିଲା। ତେଣୁ ସେ ଠିକ୍‌ ଭାବେ ଖିଆ ପିଆ କରି ପାରୁନଥିଲା। ଦିନକୁ ଦିନ ଦୁର୍ବଳ ହୋଇପଡ଼ିବା ପରେ ତାକୁ ସିଂହ ସଫାରିସ୍ଥିତ ଖାଦ୍ୟ ଗ୍ରହଣ କୋଠରୀରେ ରଖାଯାଇଥିଲା ଓ ଚାରି ଦିନ ହେଲା ସାଲାଇନ୍ ଦେଇ ଚିକିତ୍ସା କରାଯାଉଥିଲା। ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୯୯୪ ମସିହା ମେ ୧୫ରେ ସୁପ୍ରିୟା ଜନ୍ମ ଲାଭ କରିଥିଲା। ସେ ଥିଲା ଏକ ବର୍ଣ୍ଣଶଙ୍କର ଜାତୀୟ ସିଂହୀ। ସୁପ୍ରିୟା ସହ ନନ୍ଦନକାନନର କିଛି ଚର୍ଚ୍ଚିତ କାହାଣୀ ସ୍ମରଣୀୟ ହୋଇରହିଛି। ୨୦୧୨ ମସିହା ଜାନୁଆରୀ ୧୩ରେ ସେ ପ୍ରାଣୀ ଉଦ୍ୟାନର ଖୁଆଡ଼ରୁ ବାହାରି ଯାଇଥିଲା। ସେତେବେଳେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଥିଲା। ମାତ୍ର ସୌଭାଗ୍ୟବଶତଃ ସୁପ୍ରିୟା ଜନବସତିକୁ ନ ଯାଇ ସଫାରି ସଂଲଗ୍ନ ବଣ ଭିତରେ ରହିଥିଲା। ବହୁ କସରତ ପରେ ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଫେରାଇ ଅଣାଯାଇଥିଲା। ସେହିଭଳି ୨୦୧୨ ମସିହା ଅକ୍ଟୋବର ୫ରେ ଘଟିଥିଲା ଅନ୍ୟ ଏକ ରୋମାଞ୍ଚକର ଘଟଣା। ସେତେବେଳେ ସୁପ୍ରିୟା ତାର ସାଥୀ କ୍ରିସ୍‌ ସହିତ ୨୯ ‘ଘ’ ଖୁଆଡ଼ରେ ରହୁଥିଲା। ସେଦିନ ଗଞ୍ଜାମ ଅଞ୍ଚଳର ସୂର୍ଯ୍ୟ ନାରାୟଣ ଦାସ ନାମକ ଜଣେ ଯୁବକ ଉକ୍ତ ଖୁଆଡ଼ ଭିତରକୁ ଡେଇଁ ପଡିଥିଲେ। ଦର୍ଶକମାନେ ହୋ-ହଲ୍ଲା କରୁଥିବା ସତ୍ତ୍ବେ ସିଂହୀ ସୁପ୍ରିୟା ତାକୁ ପଞ୍ଝାରେ ଆକ୍ରମଣ କରିବା ସହ ଦାନ୍ତରେ ଧରି ବଣ ଭିତରକୁ ଟାଣି ନେଇଥିଲା। କିନ୍ତୁ ବଡ଼ ଆଶ୍ଚର୍ଯ୍ୟଜନକଭାବେ କିଛି ସମୟ ପରେ ସୂର୍ଯ୍ୟ ନାରାୟଣକୁ ନନ୍ଦନକାନନର କର୍ମଚାରୀମାନେ ଉଦ୍ଧାର କରିଥିଲେ। ସୁପ୍ରିୟା ତାଙ୍କୁ ଟାଣି ନେଇଥିଲା ସିନା ତାଙ୍କୁ ମାରିନଥିଲା। ଏମିତିକି ସୁପ୍ରିୟା ସାଥୀ କ୍ରିସ୍‌ ମଧ୍ୟ ସୂର୍ଯ୍ୟନାରାୟଣର କୌଣସି କ୍ଷତି ପହଞ୍ଚାଇନଥିଲା। ତେଣୁ ଏମିତି କିଛି ଘଟଣାକୁ ନେଇ ସୁପ୍ରିୟା ନନ୍ଦନକାନନର ଏକ ଚର୍ଚ୍ଚିତ ସିଂହୀ ଥିଲା ଓ ତାକୁ ଦେଖିବା ପାଇଁ ଦର୍ଶକମାନଙ୍କ ମନରେ ଏକ ସ୍ବତନ୍ତ୍ର ଉତ୍ସାହ ଥିଲା।

ଏବେ ନନ୍ଦନକାନନରେ ଥିବା ୧୪ଟି ସିଂହଙ୍କ ମଧ୍ୟରେ ୪ ଅଣ୍ଡିରା ଓ ଗୋଟିଏ ସିଂହୀଙ୍କୁ ମିଶାଇ ୫ଟି ଏସୀୟ ଅଛନ୍ତି। ବର୍ଣ୍ଣଶଙ୍କର ଜାତୀୟ ସିଂହ ମଧ୍ୟରେ ୩ଟି ମାଈ ଓ ୪ ଅଣ୍ଡିରା ସିଂହ ଅଛନ୍ତି ଏବଂ ୨ଟି ଆଫ୍ରିକୀୟ ସିଂହୀ ଅଛନ୍ତି। ପୂର୍ବରୁ ଏଠାରେ ଏକ ସିଂହ ୨୧ ବର୍ଷ ବଞ୍ଚିବାର ରେକର୍ଡ ଥିଲା।

ସମ୍ବନ୍ଧିତ ଖବର