ନନ୍ଦନକାନନ: ହିମାଳୟ ଭାଲୁ ‘କୁଲୁ’ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୭ ନମ୍ବର ଖୁଆଡ଼ରେ ରହୁଥିବା ମାଈ ହିମାଳୟ ଭାଲୁ ‘କୁଲୁ’ର ଆଜି ମୃତ୍ୟୁ ହୋଇଛି। ତାକୁ ୨୫ ବର୍ଷ ହୋଇଥିଲା। ସେ ଗତ ଏକ ବର୍ଷ ଧରି ଶ୍ବାସ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲା। ତାକୁ ଖୁଆଡ଼ର ଖାଦ୍ୟ ଗ୍ରହଣ କକ୍ଷ ମଧ୍ୟରେ ପୃଥକ କରି ରଖାଯାଇ ସେଠାରେ ଚିକିତ୍ସା କରାଯାଉଥିଲା। ନନ୍ଦନକାନନରେ ଏବେ ଥିବା ହିମାଳୟ କଳା ଭାଲୁଙ୍କ ମଧ୍ୟରେ କୁଲୁ ଏକମାତ୍ର ଯେ କି ଛୁଆ ଦେଇଛି। ତା’ର ମୃତ୍ୟୁ ପରେ ବଂଶ ବୃଦ୍ଧି ପ୍ରତି ସଂକଟ ଦେଖାଦେଇଛି। କୁଲୁ ୧୯୯୫ ମସିହା ଡିସେମ୍ବର ୨୬ ତାରିଖରେ ନନ୍ଦନକାନନରେ ଜନ୍ମଲାଭ କରିଥିଲା। ବର୍ତ୍ତମାନ ନନ୍ଦନକାନନରେ ଏହି ପ୍ରଜାତିର ମୋଟ ୫ଟି ଭାଲୁ ଅଛନ୍ତି। କୁଲୁ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଓୟୁଏଟି ଚିକିତ୍ସକଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି। ଏହି ଭାଲୁ ଭାରତର ହିମାଳୟ, ନେପାଳ, ଭୁଟାନ ଓ ଚୀନରେ ଦେଖାଯାଆନ୍ତି।

ସମ୍ବନ୍ଧିତ ଖବର