ମାଈ ବାରାଶିଙ୍ଗାର ଅସ୍ତ୍ରୋପଚାର

ବାରଙ୍ଗ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ ନମ୍ବର ଖୁଆଡ଼ରେ ରହୁଥିବା ଏକ ୭ ବର୍ଷିଆ ମାଈ ବାରାଶିଙ୍ଗାର ସଫଳ ଅସ୍ତ୍ରୋପଚର କରାଯାଇଛି। ମାଈ ବାରାଶିଙ୍ଗାଟିର ପ୍ରସବ ପରେ ପ୍ରାୟ ଆଠ ମାସ ତଳେ ଗର୍ଭାଶୟ ପଦାକୁ ବାହାରି ଆସିଥିଲା। ତାକୁ ଭଲ କରିବା ପାଇଁ ନନ୍ଦନକାନନର ଚିକିତ୍ସକମାନେ ନିୟମିତ ଚିକିତ୍ସା କରିଆସୁଥିଲେ। ହେଲେ ଫଳପ୍ରଦ ହୋଇନଥିଲା। ବିକଳ୍ପ ସ୍ବରୂପ ଆଜି ବାରାଶିଙ୍ଗାଟିକୁ ନିଶ୍ଚେତକ ଦିଆଯାଇ ଅଚେତ କରାଯାଇଥିଲା। ଅଚେତ୍ ହେବା ପରେ ବରିଷ୍ଠ ପ୍ରାଣୀ ଚିକିତ୍ସକ ଡ. ଆଲୋକ ଦାସଙ୍କ ତତ୍ତ୍ବାବଧାନରେ ଡ. ଶରତ କୁମାର ସାହୁ ଓ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଡ. ଦେବଦତ୍ତ ମହାପାତ୍ର ଗର୍ଭାଶୟକୁ ଯଥାସ୍ଥାନରେ ସ୍ଥାପନ କରି ସିଲେଇ କରିଦେଇଥିଲେ। ଚେତା ଫେରିବା ପାଇଁ ଟିକା ଦେବାରୁ ବାରାଶିଙ୍ଗାଟି ଛିଡ଼ା ହୋଇଥିଲା। ସେ ଏବେ ସୁସ୍ଥ ଅଛି ଓ ଭଲ ହୋଇଯିବ ବୋଲି ଚିକିତ୍ସକମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର