ମେ’ ୧ରୁ ୧୫ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ

ବାରଙ୍ଗ/ତ୍ରିଶୁଳିଆ: ମେ’ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଘୋଷଣା କରାଯାଇଛି। ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ବନ୍ଦ ଘୋଷଣା କରିଛନ୍ତି ବୋଲି ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଏବେ ଶନିବାର ଓ ରବିବାର ସପ୍ତାହନ୍ତ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ନିୟମାନୁସାରେ ସୋମବାର ନନ୍ଦନକାନନ ବନ୍ଦ ରୁହେ। ତେଣୁ ଏମିତି‌ରେ ସପ୍ତାହକୁ ମାତ୍ର ଚାରି ଦିନ ନନ୍ଦନକାନନ ଖୋଲା ରହୁଥିଲା। କରୋନା ସଂକ୍ରମଣକୁ ଭୟ କରି ଗତ କିଛି ଦିନ ହେଲା ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବେଶ୍ ହ୍ରାସ ପାଇଥିଲା। ଦୈନିକ ଅତି ବେଶିରେ ୨୦୦ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସୁଥିଲେ। ତେଣୁ ଗତ କିଛି ଦିନ ହେଲା ନନ୍ଦନକାନନ ଆର୍ଥିକ ସଂକଟ ଦେଇ ଗତି କରୁଛି। ସାନିଟାଇଜେସନ୍‌ ଓ ଦୈନିକ ମଜୁରିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଖର୍ଚ୍ଚ ବାବଦକୁ ନନ୍ଦନକାନନ ଯେଉଁ ବ୍ୟୟ କରୁଛି, ତାହା ପର୍ଯ୍ୟଟକଙ୍କଠାରୁ ଆଦାୟ ହୋଇପାରୁନାହିଁ। ତେଣୁ କରୋନା ସଂକ୍ରମଣ ରୋକିବା ସହ ଅଯଥା ବ୍ୟୟ ବନ୍ଦ କରିବାକୁ ଏହି ପଦ‌‌କ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର