ନନ୍ଦନକାନନକୁ ଆସିବେ ଦୁଇ ହଳ ସିଂହ, ହଳେ କୋକିଶିଆଳ

ବାରଙ୍ଗ: ନନ୍ଦନକାନନକୁ ଖୁବ୍ ଶୀଘ୍ର ଛତିଶଗଡ଼ ବିଳାସପୁର ସ୍ଥିତ କାନନ ପିଣ୍ଡାରି ଚିଡ଼ିଆଖାନାରୁ ଦୁଇ ହଳ ଏସୀୟ ସିଂହ ଓ ହଳେ କୋକିଶିଆଳଙ୍କୁ ଅଣାଯିବ। ଏଥିପାଇଁ ନନ୍ଦନକାନନରୁ ଜଣେ ରେଞ୍ଜ ଅଫିସର, ଜଣେ ଚିକିତ୍ସକ ଓ ଜନ୍ତୁରକ୍ଷକ କର୍ମଚାରୀଙ୍କୁ ମିଶାଇ ମୋଟ ପାଞ୍ଚ ଜଣିଆ ଦଳ ଆସନ୍ତା ୧୬ ତାରିଖରେ ଛତିଶଗଡ଼ ଯାତ୍ରା କରିବେ। ନନ୍ଦନକାନନରେ ପହଞ୍ଚିବା ପରେ ଛତିଶଗଡ଼ ଚିଡ଼ିଆଖାନର କର୍ମଚାରୀମାନେ ଚୁକ୍ତି ମୁତାବକ ପ୍ରତିବଦଳରେ ଏକ ହଳ ଜଳହସ୍ତୀଙ୍କୁ ନେବେ। ନନ୍ଦନକାନନରେ ସିଂହ ଓ କୋକିଶିଆଳ ବଂଶ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଓ ଆଶାତୀତ ଭାବେ ବୃଦ୍ଧି ପାଇଥିବା ଜଳହସ୍ତୀ ବଂଶକୁ ସୀମିତ କରିବାଲାଗି ଅଦଳ ବଦଳ ପ୍ରକ୍ରିୟା କରାଯାଉଛି। ଅପରପକ୍ଷେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଗୋଟିଏ କୃଷ୍ଣସାର ମୃଗ, ଗୋଟିଏ କୁଜି ହରିଣ ଓ ଦୁଇଟି ଚିତ୍ରାହରିଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ନନ୍ଦନକାନନର ଖୁଆଡ଼ ମଧ୍ୟରେ ବର୍ତ୍ତମାନ ୫୨ଟି କୃଷ୍ଣସାର ମୃଗ, ୨୫ଟି କୁଜି ହରିଣ ଓ ଶତାଧିକ ଚିତ୍ରାହରିଣ ରହିଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫୪ନମ୍ବର ଖୁଆଡ଼ ମାର୍ମୋସେଟ୍‌ ମାଙ୍କଡ଼ ଘରେ ଏକ ଛୁଆ ଜନ୍ମଲାଭ କରିଛି। ଉଭୟ ମା’ ଓ ନବଜାତ ମାର୍ମୋସେଟ୍‌ ଛୁଆ ସୁସ୍ଥ ଅଛନ୍ତି। ଛୁଆଟିର ଲିଙ୍ଗ ଚିହ୍ନଟ ହୋଇ ପାରିନାହିଁ। ଛୁଆଟି ଜନ୍ମଲ‌ାଭ ଫଳରେ ନନ୍ଦନକାନନରେ ସଂକଟରେ ପଡ଼ିଥିବା ଏହି କ୍ଷୁଦ୍ରକାୟ ମାଙ୍କଡ଼ ପ୍ରଜାତି ସଂଖ୍ୟା ୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର