ବଞ୍ଚିଲାନି ବିଜୟା, ପ୍ରଥମ ଜନ୍ମିତ ଧଳାବାଘୁଣୀକୁ ହରାଇଲା ନନ୍ଦନକାନନ

ବାରଙ୍ଗ/ତ୍ରିଶୁଳିଆ: ଧଳା ବାଘୁଣୀ ବିଜୟାକୁ ବଞ୍ଚାଇପାରିଲେନି ନନ୍ଦନକାନନ କର୍ତ୍ତୃପକ୍ଷ। ୧୧ ଦିନର ଚିକିତ୍ସା ସତ୍ତ୍ବେ ତାକୁ ବଞ୍ଚାଇ ରଖିବା ସମ୍ଭବ ହେଲା ନାହିଁ। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଓ ଓୟୁଏଟିର ବିଶେଷଜ୍ଞମାନଙ୍କ ପରିଶ୍ରମ ବୃଥା ଯାଇଛି। ଆଜି ସେ ନିଜ ଖୁଆଡ଼ରେ ସବୁଦିନ ପାଇଁ ଆଖି ବୁଜିଦେଲା। ମାତ୍ର ୧୨ ବର୍ଷ ବୟସ‌ରେ ଏହି ନନ୍ଦନକାନନ ଜନ୍ମିତ ଧଳା ବାଘୁଣୀ ବିଜୟା ଶେଷ ନିଃଶ୍ବାସ ତ୍ୟାଗ କରିଛି। ପେଟରେ କ୍ୟାନ୍‌ସର ହୋଇଥିବାରୁ ତା’ର ମୃତ୍ୟୁ ହୋଇଛି। ଓୟୁଏଟି ବିଶେଷଜ୍ଞ ତା’ର ମୃତଦେହକୁ ବ୍ୟବଚ୍ଛେଦ କରିଛନ୍ତି। ବିଜୟା ମୃତ୍ୟୁ ପରେ ଏବେ ନନ୍ଦନକାନନରେ ଧଳା ବାଘ ସଂଖ୍ୟା ୬କୁ ଖସିଆସିଛି। ସେମାନଙ୍କ ମଧ୍ୟରେ ୪ଟି ମାଈ ଓ ୨ଟି ଅଣ୍ଡିରା ଅଛନ୍ତି।

ବିଜୟା ଗତ ୧୧ ତାରିଖରୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଥିଲା। ଭଲରେ ଖିଆପିଆ କରୁନଥିଲା। ତେଣୁ ତାକୁ ସଫାରିରୁ ନିଆଯାଇ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ୱାରେଣ୍ଟାଇନ୍ କକ୍ଷରେ ଚିକିତ୍ସାଧୀନ ଅବସ୍ଥାରେ ରଖାଯାଥିଲା। ପେଟ ପରୀକ୍ଷା କରା‌ଯିବା ପରେ ବିରଳ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା। ତେବେ ତାକୁ ଆଣ୍ଟିବାୟୋଟିକ ଓ ଆଣ୍ଟିଟ୍ରେସ ଦେଇ ଚିକିତ୍ସା କରାଯାଉଥିଲା। ଏହି ଚିକିତ୍ସା ଯୋଗୁଁ ତା’ର ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ମଧ୍ୟ ଆସିଥିଲା। ଏମିତିକି ସେ ଖିଆପିଆ କରିବା ଆରମ୍ଭ କରିଥିଲା। ତେଣୁ ଗତ ଗୁରୁବାର ଦିନ ତାକୁ ପୁଣି ତା’ ଖୁଆଡକୁ ଅଣାଯାଇଥିଲା। ମାତ୍ର ଆଜି ସେଠାରେ ତା’ର ମୃତ୍ୟୁ ହୋଇଛି।

କ୍ୟାନ୍‌ସର ନେଇଗଲା ଜୀବନ, ୧୧ଦିନର ପରିଶ୍ରମ ବୃଥା
ବଂଶବୃଦ୍ଧିରେ ଅବଦାନ ବହୁତ, ଧଳାବାଘ ସଂଖ୍ୟା ୬କୁ ଖସିଲା

ବିଜୟା ହେଉଛି ନନ୍ଦନକାନନର ପ୍ରଥମ ଜନ୍ମିତ ଧଳା ବାଘୁଣୀ। ୨୦୧୦ ମାର୍ଚ୍ଚ ୧ରେ ସେ ଏଠାରେ ଜନ୍ମ ନେଇଥିଲା। ଧଳା ବାଘୁଣୀ କୁସୁମ ଓ ନାଲି ରଙ୍ଗର ମହାବାଳ ନିଷାନ୍‌ର ମିଳନରୁ ବିଜୟା ଜନ୍ମ ନେଇଥିଲା। ମା’ କୁସୁମ ନନ୍ଦନକାନନରେ ସର୍ବାଧିକ ୨୨ ବର୍ଷ ବଞ୍ଚିରହିବାର ରେକର୍ଡ କରିଥିଲା। କିନ୍ତୁ ବିଜୟା ମାତ୍ର ୧୨ ବର୍ଷ ବୟସରେ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛି। ତେବେ ଏହି ୧୨ ବର୍ଷରେ ବାଘ ବଂଶ ବୃଦ୍ଧିରେ ନନ୍ଦନକାନନକୁ ବିଜୟାର ଅବଦାନ ବହୁତ। ତା’ର ସ୍ବଳ୍ପ ଜୀବନକାଳ ଭିତରେ ସେ ତିନିଥର ଗର୍ଭ ଧାରଣ କରିଛି ଏବଂ ନନ୍ଦନକାନନକୁ ୭ଟି ଶାବକ( ୧ ମାଈ ଓ ୬ ଅଣ୍ଡିରା) ଦେଇଛି। ୨୦୧୬ ଅଗଷ୍ଟ ୯ରେ ସେ ପ୍ରଥମ ଥର ପାଇଁ ୨ ଅଣ୍ଡିରା ଛୁଆର ମା’ ହୋଇଥିଲା।

ସାଧାରଣ ନାଲି ରଙ୍ଗର ମହାବଳ ରୋଷନ ସହ ମିଳନରୁ ସେ ଗର୍ଭଧାରଣ କରିଥିଲା। ସାଧାରଣ ନାଲି ରଙ୍ଗର ଆଦିତି ଓ ଧଳା ରଙ୍ଗର ସାହିଲ୍‌ ଥିଲେ ବିଜୟାର ପ୍ରଥମ ଦୁଇ ପୁତ୍ର ସନ୍ତାନ। ଦ୍ବିତୀୟ ଥର ମଧ୍ୟ ରୋଷନ ସହ ତା’ର ମିଳନ ହୋଇଥିଲା ଏବଂ ତା’ ଗର୍ଭରୁ ୨୦୧୮ ସେପ୍ଟେମ୍ବର ୨୩ରେ ଧଳା ରଙ୍ଗର ମାଈ ଛୁଆ ରୂପା ଓ ନାଲି ରଙ୍ଗର ଅଣ୍ଡିରା ଶାବକ ରାଜେଶକୁ ଜନ୍ମ ନେଇଥିଲେ। ତେବେ ତା’ର ତୃତୀୟ ଗର୍ଭଧାରଣ ହୋଇଥିଲା ସାଧାରଣ ନାଲି ରଙ୍ଗର ମହାବଳ ସେଫ୍ ସହ ମିଳନରୁ। ୨୦୨୧ ମାର୍ଚ୍ଚ ୨୮ରେ ସେ ତିନି ପୁତ୍ରସନ୍ତାନର ଜନନୀ ହୋଇଥିଲା। ରକି,ବଂଶୀ ଓ ରାକେଶ ୩ଟିଯାକ ବାଘ ଶାବକ ସାଧାରଣ ନାଲି ରଙ୍ଗର ହୋଇଥିଲେ। ବିଜୟାର ମୃତ୍ୟୁ ପରେ ନନ୍ଦନକାନନର ବାଘ ସଂଖ୍ୟା ୨୫କୁ ହ୍ରାସ ପାଇଛି। ସେମାନଙ୍କ ମଧ୍ୟରେ ୬ ଟି ଧଳା, ୧୬ଟି ସାଧାରଣ ନାଲି ରଙ୍ଗର ଓ ୩ଟି ବିରଳ କଳା ରଙ୍ଗର ବାଘ ଅଛନ୍ତି।

ସମ୍ବନ୍ଧିତ ଖବର