ଭୁବନେଶ୍ବର/ବାରଙ୍ଗ: ନନ୍ଦନକାନନର ବହୁତଳ ପାର୍କିଂ ଆଜି ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ଏହି ତିନି ମହଲା ବିଶିଷ୍ଟ ପାର୍କିଂସ୍ଥଳକୁ ଉଦ୍ଘାଟନ କରିଛନ୍ତି। ନନ୍ଦନକାନନକୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାରୁ ଟ୍ରାଫିକ୍ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନି ମହଲା ବିଶିଷ୍ଟ ଗାଡ଼ି ପାର୍କିଂ ସ୍ଥଳ ନିର୍ମାଣ ହୋଇଛି। ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ।
ପାର୍କିଂସ୍ଥଳରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର୍ ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହ ସୌନ୍ଦର୍ଯ୍ୟୀକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି ରହିଛି। ତଳେ ଦୁଇ ହଜାର ଦୁଇଚକିଆ ଯାନ ରହିବା ଭଳି ସୁବିଧା ମଧ୍ୟ କରାଯାଇଛି। ଏହି ପାର୍କିଂ ବ୍ୟବସ୍ଥା ଦ୍ବାରା ନନ୍ଦନକାନନ ମୁଖ୍ୟ ରାସ୍ତାରେ ଯାନବାହନ ଭିଡ଼ କମିବା ସହ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ। ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ୨୦ ବର୍ଷିଆ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି। ଆଗାମୀ ଦିନରେ ଏହି ପ୍ରାଣୀ ଉଦ୍ୟାନକୁ ଅଧିକ ଆକର୍ଷଣୀୟ କରିବା ସହ ଅତ୍ୟାଧୁନିକ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ। ଏହା କିଭଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିବ ସେଦିଗରେ ପଦକ୍ଷେପ ନିଆଯାଉଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।
୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନି ମହଲା ପାର୍କିଂ
୫୮୩ ଚାରି ଚକିଆ, ଦୁଇ ହଜାର ବାଇକ୍ ରହିପାରିବ
ଖୁବ୍ଶୀଘ୍ର ଅତ୍ୟାଧୁନିକ ବସ୍ ପାର୍କିଂ ସ୍ଥଳ
ଉଦ୍ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କିଛି ସମୟ ପାଇଁ ବହୁତଳ ପାର୍କିଂରେ ବିତାଇଥିଲେ। ତଳ ମହଲା ପରିଦର୍ଶନ କରି ସେଠାରେ ବିଭାଗୀୟ ସଚିବ ଓ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଆରୁଖ ଯୋଗଦେଇ କହିଲେ ରାଜ୍ୟ ସରକାର ସବୁବେଳେ ଜଙ୍ଗଲ, ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି। ଏହି ବହୁତଳ ଗାଡି ରହଣୀସ୍ଥଳ ଓଡିଶାର ସର୍ବବୃହତ୍। ନନ୍ଦନକାନନକୁ ବିଶ୍ବସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବାରେ ଏହା ପ୍ରଥମ ସୋପାନ। ଅନେକ କିଛି ସରିଛି। ଆଗକୁ ଆହୁରି ଅନେକ ପ୍ରଗତି ବାକି ରହିଛି। କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ ଅତ୍ୟାଧୁନିକ ଢାଞ୍ଚାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନନ୍ଦନକାନନ ଛକରୁ ଉଚ୍ଛେଦ କରାଯାଇଥିବା ବ୍ୟବସାୟୀଙ୍କୁ ସେଠାରେ ଥଇଥାନ କରିବାର ବ୍ୟବସ୍ଥା ହୋଇଛି। ଖୁବ୍ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶିଶିର କୁମାର ରଥ, ବିଭାଗୀୟ ସଚିବ ମୋନା ଶର୍ମା ଯୋଗଦେଇ ବହୁତଳ ଗାଡି ରହଣୀସ୍ଥଳ ଉନ୍ନତମାନର କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଦେଶର ସବୁଠାରୁ ଉନ୍ନତମାନର ମାଙ୍କଡ଼ ଘର ନିର୍ମାଣ କରୁଛୁ। ଦିଲ୍ଲୀସ୍ଥିତ ନେହରୁ ଜୁଲୋଜିକାଲ ପାର୍କ ସହିତ ସିମ୍ପାଞ୍ଜି ବଦଳରେ ଗଣ୍ଡା ଆଣିବାକୁ ଯୋଜନା ଚାଲିଛି। ସେଠାରୁ ଆଉ କିଛି ଜୀବ ମଧ୍ୟ ଅଣାଯିବ। ସେହିପରି କିଛି ବିଦେଶୀ ଜନ୍ତୁଙ୍କୁ ଆଣିବା ଲାଗି ଦୁବାଇ ସଫାରି ପାର୍କ ସହ ଆମେ ଯୋଗାଯୋଗରେ ରହିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/66-1.jpg)