ନନ୍ଦନକାନନ ଖବର: ଖୋଲିଲା ବଟାନିକାଲ୍‌ ଗାର୍ଡେନ୍‌, ୩ ପିଣ୍ଡିରେ ଭୋଜି

ବାରଙ୍ଗ/ତ୍ରିଶୁଳିଆ: ବୁଧବାର ନନ୍ଦନକାନନ ରାଜ୍ୟ ଉଦ୍ଭିଦ ଉଦ୍ୟାନ(ବଟାନିକାଲ୍‌ ଗାର୍ଡେନ୍‌)ରେ ଭୋଜି ଭାତର ଆସର ଆରମ୍ଭ ହୋଇଥିଲା। ଭୋଜିଭାତ ପାଇଁ ଅନୁମତି ମିଳିବାର ପ୍ରଥମ ଦିନରେ ୩ଟି ପିଣ୍ଡି ବୁକିଂ ହୋଇଥିଲା। ପର୍ଯ୍ୟଟକମାନେ ଏହି ୩ ପିଣ୍ଡିରେ ଭୋଜି କରି ମଜା ଉଠାଇଥିଲେ। ବୁକିଂ ହୋଇଥିବା ଗୋଟିଏ ବଡ଼ ଓ ୨ଟି ଛୋଟ ପିଣ୍ଡିରେ ପର୍ଯ୍ୟଟକମାନେ କୋଭିଡ୍‌ କଟକଣା ମ‌ାନି ଭୋଜି କରିଥିଲେ। ଆଜି ସର୍ବାଧିକ ୩୧୫ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ୧୨ ହଜାର ୩୩୯ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଭୋଜି ପାଇଁ ଅନୁମତି ମିଳିବା ପୂର୍ବରୁ ଗତ ରବିବାର ୫ ଶହ ଟିକେଟ ବିକ୍ରି ହୋଇ ଥିବା ବେଳେ ଅନ୍ୟ ଦିନମାନଙ୍କରେ ଅଢେଇ ଶହରୁ କମ୍ ଟିକେଟ ବିକ୍ରି ହେଉଥିଲା।

ଡିସେମ୍ବର ୩୧ ଓ ଜାନୁଆରି ୧ରେ ବଟାନିକାଲ୍‌ ଗାର୍ଡେନ୍‌ ବନ୍ଦ

ଡିସେମ୍ବର ୩୧ ଓ ଜାନୁଆରି ୧, ଏହି ଦୁଇ ଦିନ ପାଇଁ ନନ୍ଦନକାନନ ବଟାନିକାଲ୍ ଗାର୍ଡେନ୍‌ ବନ୍ଦ ରହିବ। ଏହି ଦୁଇ ଦିନ ପାଇଁ ପର୍ଯ୍ୟଟକମାନେ ଏଠାରେ ବୁଲିପାରିବେ ନାହିଁ କିମ୍ବା ଭୋଜି କରିପାରିବେ ନାହିଁ ବୋଲି କଟକଣା ଲାଗୁ କରାଯାଇଛି। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
ଡିସେମ୍ବର ପହିଲାରୁ ବଟାନିକାଲ୍ ଗାର୍ଡେନ୍‌ରେ ଭୋଜି କରିବାକୁ ଅନୁମତି ଦିଆଯାଇଥିଲା। ଡିସେମ୍ବର ମାସଯାକ ଲୋକେ ଏଠାରେ ଭୋଜିଭାତର ମଜା ନେଇପାରିବେ। କେବଳ ଏହି ଦୁଇ ଦିନ ଏଠାରେ ଭୋଜି ବନ୍ଦ ରହିବ।

ସାତକୋଶିଆ ଯିବେ ୪ ଘଡ଼ିଆଳ
ଗୁରୁବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୪ଟି ଘଡ଼ିଆଳ ‌କୁମ୍ଭୀରଙ୍କୁ ସାତକୋଶିଆ ଗଣ୍ଡରେ ଛଡ଼ାଯିବ। ନନ୍ଦନକାନନରୁ ବିଦାୟ ନେବାକୁ ଥିବା ଏହି କୁମ୍ଭୀରଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ୧୪ ବର୍ଷ ବୟସର ଅଣ୍ଡିରା, ୨ଟି ୧୦ ବର୍ଷୀୟା ମାଈ ଓ ଗୋଟିଏ ୧୨ ବର୍ଷୀୟା ମାଈ। ଆଜି ସେଗୁଡ଼ିକୁ କୁମ୍ଭୀର ଜଳାଶୟରୁ ଧରି ରଖାଯାଇଛି। ଗତ ଦୁଇ ବର୍ଷ ହେଲା ନନ୍ଦନକାନନରୁ ଘଡ଼ିଆଳ କୁମ୍ଭୀରଙ୍କୁ ନେଇ ସାତକୋଶିଆ ଗଣ୍ଡରେ ଛଡ଼ାଯାଉଛି। ଏହି ପ୍ରଜାତିର କୁମ୍ଭୀର ବଂଶ ବୃଦ୍ଧି ଲାଗି ସାତକୋଶିଆ ଅଭୟାରଣ୍ୟରେ ଏଭଳି ଯୋଜନା କରାଯାଇଛି।

ମା’ ହେଲା ତାରା
ବୁଧବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭାଲୁ ସଫାରିରୁ ମିଳିଛି ଭଲ ଖବର। ୧୦ ବର୍ଷିୟା ମାଈ ଭାଲୁ ତାରା ମା’ ହୋଇଛି। ଗତକାଲି ରାତିରେ ତାରା ଛୁଆ ଜନ୍ମ ଦେଇଥିବା ଖବର ଆଜି ସକାଳୁ ଜଣାପଡ଼ିଛି। ମା’ ଓ ଛୁଆ ସୁସ୍ଥ ଅଛନ୍ତି। ନବଜାତ ଶାବକ ମା’ଠାରୁ ସ୍ତନ୍ୟପାନ କରୁଥିବା ଦେଖିବାକୁ ମିଳିଛି। ତେବେ ଛୁଆଟି ମାଈ କି ଅଣ୍ଡିରା ଜଣାପଡ଼ିନାହିଁ। ଲିଙ୍ଗ ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ନବଜାତକକୁ ମିଶାଇ ଭାଲୁ ସଫାରି ଓ ଖୁଆଡ଼ରେ ମୋଟ ୨୧ଟି ଭାଲୁ ରହିଥିବା ଜଣାପଡ଼ିଛି। ସେଥିରୁ ୭ଟି ଛୁଆ ଭାଲୁଙ୍କର ଲିଙ୍ଗ ଚିହ୍ନଟ ହୋଇନାହିଁ।

ଚିକିତ୍ସାଧୀନ ମାଈ ସମ୍ବର ମୃତ
୩୮ ନମ୍ବର ଖୁଆଡ଼ରେ ଅଣ୍ଡିରା ସମ୍ବର ଆକ୍ରମଣରେ ଗୁରୁତର ହୋଇ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଚିକିତ୍ସାଧୀନ ଥିବା ୮ ବର୍ଷୀୟା ମାଈ ସମ୍ବରଟିର ମୃତ୍ୟୁ ହୋଇଛି। ଗତକାଲି ଅଣ୍ଡିରା ସମ୍ବରଟି ଶିଙ୍ଗରେ ତା’ ପେଟ ଓ ଶରୀରର ଅନ୍ୟ ଅଂଶକୁ ଭୁସି ପକାଇଥିଲା। ଗୁରତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଥିଲା ଓ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଚିକିତ୍ସକମାନେ ତା’ର ଚିକିତ୍ସା ଚାଲୁ ରଖିଥିଲେ। କିନ୍ତୁ ତାକୁ ବଞ୍ଚାଇବା‌ ସମ୍ଭବ ହୋଇନଥିଲା।

ଏହି ସମ୍ବରର ମୃତ୍ୟୁ ଫଳରେ ଏବେ ନନ୍ଦନକାନନର ସମ୍ବର ସଂଖ୍ୟା ୯ (୪ଟି ଅଣ୍ଡିରା ଓ ୫ଟି ମାଈ)କୁ ହ୍ରାସ ପାଇଛି। ତେବେ ଅନ୍ୟ ଏକ ସଂଘର୍ଷରେ ଆହତ ହୋଇଥିବା ଯୁବ ସିଂହ ସମ୍ରାଟ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ସମ୍ବର ସଂଘର୍ଷ ଦିନ ମଧ୍ୟ ସିଂହ ସଫାରିରେ ଦୁଇ ଯୁବ ସିଂହ ଶରତ ଓ ସମ୍ରାଟ ମଧ୍ୟରେ ଲଢ଼େଇ ଲାଗିଥିଲା। ଶରତ କାମୁଡ଼ି ପକାଇବାରୁ ସମ୍ରାଟର ଡାହାଣ ଗୋଡ଼ ପଞ୍ଝାରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଶୀତ ଋତୁ ବିଭିନ୍ନ ହିଂସ୍ର ପ୍ରାଣୀଙ୍କ ମିଳନ ସମୟ ହୋଇଥିବାରୁ ନନ୍ଦନକାନନ ସଫାରିଗୁଡ଼ିକରେ ଏଭଳି ସଂଘର୍ଷ ଘଟିଥିଲା।

ସମ୍ବନ୍ଧିତ ଖବର