ନନ୍ଦନକାନନ ଖବର: ସୁଧୁରୁଛି ଲବ, କୁଶର ପଛ ଗୋଡ଼ ଭାଙ୍ଗିଛି

ଷ୍ଟମ୍ପଟେଲ ମାଙ୍କଡ଼ ଛୁଆ ଜନ୍ମ

ବାରଙ୍ଗ,୧୧।୨(ଇମିସ): ବର୍ଷେ ତଳେ ଧଳା ବାଘୁଣୀ ସ୍ନେହା ଓ ମହାବଳ ସୈଫ୍‌ ଔରସରୁ ଜନ୍ମ ନେଇଥିବା ଦୁଇ ବାଘ ଛୁଆ ଲବ ଓ କୁଶଙ୍କ ଅବସ୍ଥା ଏବେ ବି ପୂରା ଭଲ ହୋଇନାହିଁ। ଲବ ଅବସ୍ଥାରେ ବହୁ ସୁଧାର ଆସିଥିବାବେଳେ କୁଶ ଏବେ ବି ଭଲଭାବେ ଚାଲିବା ସ୍ଥିତିକୁ ଆସିନାହିଁ। କୁଶର ପଛ ଦୁଇ ଗୋଡ଼ ଆଣ୍ଠୁ ହାଡ଼ରେ ସାମାନ୍ୟ ଫାଟ ଥିବା ଜଣାପଡ଼ିଛି। ଓୟୁଏଟିରୁ ଆସିଥିବା ଏକ୍ସ-ରେ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ଚିକିତ୍ସା ପରେ ସେ ଏବେ ପଛ ଗୋଡ଼କୁ ଧୀରେ ଧୀରେ ତଳେ ଲଗାଇବା ଦେଖିବାକୁ ମିଳିଛି। ତେଣୁ ଆଉ କିଛି ଦିନ ପରେ ସେ ଭଲଭାବେ ଚାଲିପାରିବ ବୋଲି ଆଶା କରାଯାଉଛି।

ଗତ ୩୦ ତାରିଖରେ ଦୁଇ ଭାଇ ଲବ ଓ କୁଶ ଛୋଟେଇ ଛୋଟେଇ ଚାଲିବା ଦେଖିବାକୁ ମିଳିଥିଲା। ହଠାତ୍ ସେମାନଙ୍କ ଏଭଳି ଅବସ୍ଥା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଥିଲା। ତୁରନ୍ତ ସେମାନଙ୍କୁ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ନିଶ୍ଚେତକ ଦେଇ ଦୁଇଜଣଙ୍କର ଚିକିତ୍ସା କରାଯାଇଥିଲା। ପରୀକ୍ଷାରୁ ସେମାନଙ୍କ ଗୋଡ଼ ଅସ୍ଥି ଦୁର୍ବଳ ଥିବା ଜଣାପଡ଼ିଥିଲା। ତେଣୁ ପ୍ରାଥମିକ ଚିକିତ୍ସା ଅନୁସାରେ ସେମାନଙ୍କୁ ଆଇରନ୍‌ ଓ କ୍ୟାଲ୍‌ସିୟମ୍‌ ଦେଇ ଚିକିତ୍ସା କରାଯାଇଥିଲା। ଓୟୁଏଟିର ବିଶେଷଜ୍ଞମାନେ ମଧ୍ୟ ଏଥିରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କୁ ବି‌ଶେଷ ସହଯୋଗ କରିଥିଲେ। ଏବେ ଲବର ଅବସ୍ଥା ସୁଧୁରିବା‌ରେ ଲାଗିଛି। ତଥାପି ତା’ର ପଛ ଡାହଣ ଗୋଡ଼ରେ କିଛି ସମସ୍ୟା ରହିଛି। ତେଣୁ ସାମାନ୍ୟ ଛୋଟେଇ ଛୋଟେଇ ଚାଲୁଛି। ସେହିଭଳି ପୂର୍ବରୁ କୁଶ ଯେମିତି ଘୁଷୁରି ଘୁଷୁରି ଚାଲୁଥିଲା, ତାହା ଆଉ ନାହିଁ। ଭଙ୍ଗା ହାଡ଼ ଯୋଡ଼ି ହେଉଥିବା ଜଣାପଡ଼ିଛି। ତେଣୁ ଚାଲୁନଥିଲେ ବି ସେ ଏବେ ପଛ ଗୋଡ଼ ତଳେ ଲଗାଇ ଠିଆ ହୋଇ ପାରୁଛି। ସେମାନଙ୍କ ଅବସ୍ଥାରେ ପରିବର୍ତ୍ତନ ପରିଲକ୍ଷିତ ହେଉଥିବାରୁ ଖୁବ୍ ଶୀଘ୍ର ସେମାନେ ସୁସ୍ଥ ହୋଇଯିବେ ବୋଲି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର। ମିଜୋରାମର ଆଇଜଲ ଚିଡ଼ିଆଖାନାରୁ ଆସିବାର ୬ ଦିନରେ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରାଣ୍ଟିନ୍‌ରେ ଏକ ଷ୍ଟମ୍ପ‌ଟେଲ୍‌ ମାଙ୍କଡ଼ ଛୁଆ ଜନ୍ମଲାଭ କରିଛି। ଉଭୟ ନବଜାତକ ଓ ମା’ ମାଙ୍କଡ଼ ସୁସ୍ଥ ଅଛନ୍ତି। ମା’ ଛୁଆକୁ କ୍ଷୀର ପାନ କରାଉଥିବା କର୍ମଚାରୀମାନେ ଦେଖିବାକୁ ପାଇଛନ୍ତି। ନବଜାତକର ଲିଙ୍ଗ ଚିହ୍ନଟ ହୋଇନାହିଁ। ସୂଚନାଯୋଗ୍ୟ, ଗତ ୭ ତାରିଖରେ ନନ୍ଦନକାନନକୁ ୩ଟି ପୁରୁଷ ଓ ୩ଟି ମାଇ ଷ୍ଟମ୍ପଟେଲ୍‌ ମାଙ୍କଡ଼ଙ୍କୁ ଅଣାଯାଇ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସର କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଛୁଆଟି ଜନ୍ମଲାଭ କରିବା ପରେ ଏହି ପ୍ରଜାତି ମାଙ୍କଡ଼ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର