ଭୁବନେଶ୍ବର: ନନ୍ଦନକାନନକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ ବି ରୋପ୍-ୱେ ଚାଲୁ ନଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ତେଣୁ ରୋପ୍ୱେକୁ କାର୍ଯ୍ୟକ୍ଷମ କରି ଏଥିରେ ଦୈନିକ ପ୍ରାୟ ୩ ହଜାର ପର୍ଯ୍ୟଟକଙ୍କ ଯାତାୟାତର ବ୍ୟବସ୍ଥା କରାଯିବ। ରୋପ୍-ୱେ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟକମାନେ ବଟାନିକାଲ ଓ ଜୁଲୋଜିକାଲ ପାର୍କ ମଧ୍ୟରେ ସିଧାସଳଖ ଯିବା ଆସିବା କରିପାରିବେ। ଏହାକୁ ନଜରରେ ରଖି ଆସନ୍ତା ମାସକ ମଧ୍ୟରେ ନନ୍ଦନକାନନ ରୋପ୍-ୱେକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନନ୍ଦନକାନନ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ପ୍ରକଳ୍ପ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଏହାସହ ନନ୍ଦନକାନନ ସମ୍ପ୍ରସାରଣ ନେଇ ଦୀର୍ଘ ବର୍ଷ ହେଲା ଯୋଜନା ହେଉଥିଲେ ବି କାର୍ଯ୍ୟକାରୀ ହୋଇପାରୁନଥିବାରୁ ସେ ଚୂଡ଼ଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲ ବୁଲି ଦେଖିଥିଲେ। ୬୦୪ ହେକ୍ଟର ଜମିରେ ସମ୍ପ୍ରସାରଣ କାର୍ଯ୍ୟ ହେବାକୁ ଥିବାରୁ କେଉଁଠି କ’ଣ କରିବାକୁ ଯୋଜନା ହୋଇଛି, ତାହା ବିଭାଗୀୟ ଅଧିକାରୀମାନେ ବୁଝାଇଥିଲେ। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସମ୍ପ୍ରସାରଣ ହେବାକୁ ଥିବା ଅଞ୍ଚଳରେ ବାଘ, ସିଂହ, ଭାଲୁ ଓ ତୃଣଭୋଜୀ ଜୀବଜନ୍ତୁଙ୍କ ପାଇଁ ସଫାରି ନିର୍ମାଣ ହେବ। ସଫାରି ମଧ୍ୟରେ ପର୍ଯ୍ୟଟକଙ୍କ ବୁଲିବା ବ୍ୟବସ୍ଥା, ପ୍ରାଣୀ ଚିକିତ୍ସା କେନ୍ଦ୍ର ରହିବ।
ଏହାସହ ନନ୍ଦନକାନନର ଆଧୁନିକୀକରଣ ହେବ। ଏନେଇ ଖୁବ୍ ଶୀଘ୍ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଆଜି ମୁଖ୍ୟ ସଚିବ ଚିଡ଼ିଆଖାନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧୁନିକୀକରଣ କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି ବଟାନିକାଲ୍ ଗାର୍ଡେନସ୍ଥିତ କିଆକଣି ହ୍ରଦର ପୁନରୁଦ୍ଧାର ପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମୁଖ୍ୟ ସଚିବ ଏହାର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଠାରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା ସହ ବଟାନିକାଲ୍ ଗାର୍ଡେନ୍ ସମ୍ମୁଖ ଗେଟ୍ ନିର୍ମାଣ, ସଂଲଗ୍ନ ରାସ୍ତା, ପର୍ଯ୍ୟଟକଙ୍କ ପାଇଁ ଅଧିକ ଶୌଚାଳୟ, ପାଦଚଲା ରାସ୍ତା ଆଦି ନିର୍ମାଣ ହେବ। ଏହାପରେ ମୁଖ୍ୟ ଶାସନ ସଚିବ ପ୍ରାଣୀ ଉଦ୍ୟାନରେ ଥିବା ଟୟ ଟ୍ରେନ୍, ପ୍ରସ୍ଥାନ ସ୍ଥାନର ନିର୍ମାଣ କାର୍ଯ୍ୟ, ପର୍ଯ୍ୟଟନ ସହାୟତା କେନ୍ଦ୍ର ବୁଲି ଦେଖିଥିଲେ। ବହୁତଳ ଓ ବସ୍ ପାର୍କିଂ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ। ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟାର, ଉପନିର୍ଦ୍ଦେଶକ ସଞ୍ଜିତ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।