ଭୁବନେଶ୍ବର: କାମ ସରିଲାଣି। ଟ୍ରାଏଲ୍‌ ରନ୍‌ ମଧ୍ୟ ଶେଷ ହେଲାଣି। ମାତ୍ର କାର୍ଯ୍ୟକ୍ଷମ ହୋଇପାରୁନି ନନ୍ଦନକାନନ ରୋପ୍‌-ୱେ। ୧୨ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବା ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କେବେ ପୁଣିଥରେ ଆରମ୍ଭ ହେବ, ତାହାକୁ ଚାହିଁ ରହିଛନ୍ତି ପର୍ଯ୍ୟଟକ। ଗୋଟିଏ ପଟେ ନନ୍ଦନକାନନରେ ବୋଟିଂ ବନ୍ଦ ଥିବାବେଳେ ଅନ୍ୟପଟେ ରୋପ୍‌-ୱେ ଚାଲୁ ନଥିବାରୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ବହୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ରୋପ୍‌-ୱେ କାର୍ଯ୍ୟକ୍ଷମ ହେଉ ନଥିବାରୁ ପର୍ଯ୍ୟଟକ ଉପଲବ୍ଧ ସବୁ ସୁବିଧାକୁ ଉପଭୋଗ କରି ପାରୁ ନାହାନ୍ତି। ନନ୍ଦନକାନନରେ ବୁଲୁଥିଲେ ମଧ୍ୟ ଉଦ୍ଭିଦ ଉଦ୍ୟାନ ସମ୍ପର୍କରେ ଜାଣିପାରୁ ନାହାନ୍ତି। ଜାଣିଲେ ବି, ସେଠାକୁ ଯିବା ପାଇଁ ଅଧିକ ବାଟ ବୁଲିବାକୁ ପଡ଼ୁଥିବାରୁ ସେମାନେ ଯିବାକୁ ମନ ବଳାଉ ନାହାନ୍ତି।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୦୨୨ ଡିସେମ୍ବର ମାସରେ ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍ଭିଦ ଉଦ୍ୟନ ବୁଲିବା ସହ ନନ୍ଦନକାନନ ସମ୍ପ୍ରସାରଣର ସମୀକ୍ଷା କରିବା ସମୟରେ ଏହି ପ୍ରକଳ୍ପ ୨୦୨୩ ଜାନୁଆରି ମାସରେ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ରୋପ୍‌-ୱେକୁ କାର୍ଯ୍ୟକ୍ଷମ ହେଲେ ଏଥିରେ ଦୈନିକ ପ୍ରାୟ ୩,୦୦୦ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନରୁ ସିଧାସଳଖ ଉଦ୍ଭିଦ ଉଦ୍ୟାନକୁ ଯିବା ଆସିବା କରିପାରିବେ ବୋଲି ମତପ୍ରକାଶ କରିଥିଲେ। ତେବେ ଇତିମଧ୍ୟରେ ଗୋଟିଏ ବର୍ଷ ବିତିବାକୁ ବସିଲାଣି। ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ରୋପ୍‌-ୱେ ଚଳାଚଳ କରିବା ଲାଗି ସମସ୍ତ ପ୍ରକାର ସୁବିଧା ହୋଇସାରିଲାଣି। ରୋପ୍‌-ୱେରେ ପର୍ଯ୍ୟଟକମାନେ ଚଢ଼ିବା ଓ ଓହ୍ଲାଇବାକୁ ସୁବ୍ୟବସ୍ଥା ସହ କିଭଳି ସୁରକ୍ଷିତ ଭାବେ ଧାଡ଼ିରେ ଯାଇ ରୋପ୍‌-ୱେକୁ ଚଢ଼ିବେ ସେ ବ୍ୟବସ୍ଥା ହୋଇଛି। ଟିକେଟ୍‌ କାଉଣ୍ଟର, ପାନୀୟ ଜଳ ସୁବିଧା କରାଯାଇଛି। ମାତ୍ର ରୋପ୍‌-ୱେ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି। ଗତ ବର୍ଷକ ମଧ୍ୟରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଭାଗ୍ୟ ମଧ୍ୟ ଘୁଞ୍ଚି ଚାଲିଛି। ମେ’ ମାସରେ ମୁଣ୍ଡଳୀସ୍ଥିତ ଏନ୍‌ଡିଆର୍‌ଏଫ୍‌ର ତୃତୀୟ ବାଟାଲିଆନ୍‌ ଯବାନମାନେ ଏଠାରେ ମକ୍‌ଡ୍ରିଲ୍‌ କରିଥିଲେ। କାଞ୍ଜିଆ ହ୍ରଦ ଉପରେ ରୋପ୍‌-ୱେରେ ୪ ଜଣ ପର୍ଯ୍ୟଟକ ତଥା ଯବାନ ଫସି ରହିଥିଲେ। ସେମାନଙ୍କୁ ଦେଖି ତ‌ଳେ କାଞ୍ଜିଆ ହ୍ରଦରେ ଏକ ବୋଟ୍‌ରେ କିଛି ଯବାନ ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ସମସ୍ତ ସରଞ୍ଜାମ ଧରି ରୋପ୍‌-ୱେ ତଳକୁ ଯାତ୍ରା କରିବା ସହ ଜଣେ ଯବାନ ରୋପ୍‌ରେ ପୁଲି ଦ୍ବାରା ଯାଇ ଫସି ରହିଥିବା ଯବାନଙ୍କ ନିକଟରେ ପହଞ୍ଚିଥିଲେ। ଏହାପରେ ରଶି ସାହାଯ୍ୟରେ ଫସି ରହିଥିବା ପର୍ଯ୍ୟଟକମାନଙ୍କୁ ବୋଟ୍‌କୁ ଓହ୍ଲାଇ ଦିଆଯାଇଥିଲା। ସଫଳତାର ସହ ଟ୍ରାଏଲ ଶେଷ ହୋଇଥିବାରୁ, ଲାଗୁଥିବା ରଜ ପୂର୍ବରୁ ଏହା କାର୍ଯ୍ୟକ୍ଷମ ହୋଇଯିବ। ମାତ୍ର ଜୁନ୍‌ ମାସରେ ରୋପ୍-ୱେ କାମ ଚାଲିଥିବା ବେଳେ ଇଲେକ୍ଟ୍ରିକାଲ ବକ୍ସରେ ସର୍ଟ ସର୍କିଟ୍ ଯୋଗୁଁ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ।

ଏହି ପ୍ରକଳ୍ପର ଦାୟିତ୍ବ ନେଇଥିବା ଦାମୋଦର ଇମ୍ଫ୍ରାର ଜଣେ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ‘‘ରୋପ୍‌-ୱେ ଚଳାଚଳ ପାଇଁ ଆମେ ପ୍ରସ୍ତୁତ ରହିଛୁ। ମୋଟ୍‌ ୧୨ଟି କ୍ୟାବିନ୍‌ ଲାଗିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୪ଟି କ୍ୟାବିନ୍‌ ଲାଗିଛି। ପ୍ରତି କ୍ୟାବିନ୍‌ରେ ୩ଟି ଲେଖାଏ ବକ୍ସ ରହିଛି। ପ୍ରତି ବକ୍ସରେ ୬ଜଣ ଲେଖା‌ଏଁ ବସିବାର ସୁବିଧା ରହିଛି। ଅର୍ଥାତ୍‌ ଗୋଟିଏ କ୍ୟାବିନ୍‌ରେ ଏକାଥରେ ୧୮ଜଣ ଏପାଖରୁ ସେପାଖକୁ ଯାଇପାରିବେ। ରୋପ୍‌-ୱେରେ ଯିବା ସମୟରେ ଛିଡ଼ା ନ ହେବା, କବାଟ ନ ଖୋଲିବା‌, ନିଶା ଦ୍ରବ୍ୟ ସେବନ ନ କରିବା ଭଳି ବିଭିନ୍ନ ପ୍ରକାର ଉପଦେଶ ସେଠାରେ ଲେଖାଯାଇଛି। ରୋପ୍‌-ୱେରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ ହୋଇଛି। ଯେମିତି- ସ୍ବୟଂଚାଳିତ ପୁଲି ବା ରୋପ୍‌-ୱେରେ କୌଣସି ତ୍ରୁଟି ପରିଲକ୍ଷିତ ହେବାମା‌ତ୍ରେ ଆପେ ଆପେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯିବ। ଫଳରେ ରୋପ୍‌-ୱେରେ ଥିବା ପର୍ଯ୍ୟଟକଙ୍କ ପାଇଁ ବିଦ୍ୟୁତ୍‌ଜନିତ ଭୟ ରହିବ ନାହିଁ। ପରେ ସେମାନଙ୍କୁ ନିରାପଦରେ ଉଦ୍ଧାର କରାଯିବ। ସେହିଭଳି ଏକ ଘଣ୍ଟାରେ ୫ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଏଠାରେ ସେବା ଯୋଗାଇବାର ବ୍ୟବସ୍ଥା ରହିଛି। ପ୍ରକଳ୍ପକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଏବେ ପ୍ରତିଦିନ ଦୁଇରୁ ତିନି ଥର ଟ୍ରାଏଲ୍‌ ହେଉଛି। ନନ୍ଦନକାନନ ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣଙ୍କ କହିବାନୁଯାୟୀ, ‘‘ରୋପ୍‌-ୱେ କାର୍ଯ୍ୟକ୍ଷମ କରିବାକୁ ଆମେ ପ୍ରସ୍ତୁତ ହୋଇ ରହୁଛୁ। ଟ୍ରାଏଲ୍‌ ମଧ୍ୟ ଶେଷ ହୋଇଛି। ଅନୁମତି ମିଳିବା କ୍ଷଣି ଆମେ କାର୍ଯ୍ୟକ୍ଷମ କରାଇବୁ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଯାଇଥିବାରୁ ଚଳିତ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବା ନେଇ ଆଶା କରୁଛୁ।’’