ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ରାଜ୍ୟର ଏକମାତ୍ର ବୃହତ୍ ଚିଡ଼ିଆଖାନା ତଥା ଦେଶର ପ୍ରମୁଖ ପ୍ରାଣୀ ଉଦ୍ୟାନ ମଧ୍ୟରେ ଅନ୍ୟତମ। ଭୁବନେଶ୍ୱର ଉପକଣ୍ଠରେ ୩୬୧.୧ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଣୀ ଉଦ୍ୟାନ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ। ୧୯୬୦ ଡିସେମ୍ବର ୨୯ରେ ଲୋକାର୍ପିତ ଏହି ଉଦ୍ୟାନରେ ଜୀବଜନ୍ତୁଙ୍କ ଚଳପ୍ରଚଳ ସାଙ୍ଗକୁ ଘନ ଆର୍ଦ୍ରଭୂମି, ଶାନ୍ତ ଜଳାଶୟ ଓ ମନୋରମ ପରିବେଶ ବର୍ଷତମାମ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ଏହା କେବଳ ଯେ ବିଭିନ୍ନ ପ୍ରଜାତିର ପ୍ରାଣୀଙ୍କୁ ପ୍ରାକୃତିକ ଓ ସମୃଦ୍ଧ ବାସସ୍ଥାନ ପ୍ରଦାନ କରୁ ନାହିଁ, ବରଂ ସଂରକ୍ଷଣ, ଶିକ୍ଷା, ଗବେଷଣା ଓ ପରିଦର୍ଶକ ଅଭିଜ୍ଞତାରେ ଉତ୍କର୍ଷ ହାସଲ କରିବାକୁ ଉଦ୍ୟମ ଜାରି ରଖିଛି। ସାଧାରଣ ଜନତା ଓ ଜୈବବିବିଧତା ମଧ୍ୟରେ ନିବିଡ଼ତା ବୃଦ୍ଧି କରି ସ୍ଥାୟୀ ବନ୍ୟପ୍ରାଣୀ ପରିଚାଳନା କ୍ଷେତ୍ରରେ ନନ୍ଦନକାନନ ଏବେ ବିଭିନ୍ନ ନିଆରା କାର୍ଯ୍ୟକ୍ରମ ହାତକୁ ନେଉଛି। ତେଣୁ ଏହି ଚିଡ଼ିଆଖାନା କେବଳ ଏକ ଦର୍ଶନୀୟ ସ୍ଥାନ ହୋଇ ରହିନାହିଁ, ପରିବେଶ ସୁରକ୍ଷା ଦିଗରେ ଏକ ଆଲୋକବର୍ତ୍ତିକା ଭାବେ କାମ କରୁଛି।
କାଞ୍ଜିଆ ଆର୍ଦ୍ରଭୂମି ଆବିଷ୍କାର
ପ୍ରାଣୀ ଉଦ୍ୟାନ ସଂଲଗ୍ନ କାଞ୍ଜିଆ ହ୍ରଦରେ ଆର୍ଦ୍ରଭୂମି ଆବିଷ୍କାର ପଥ(ୱେଟ୍ଲାଣ୍ଡ ଡିସ୍କଭରି ଟ୍ରେଲ୍) ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏକ କିଲୋମିଟରର ଏହି ପଥରେ ଆର୍ଦ୍ରଭୂମିର ପରିବେଶଗତ ଗୁରୁତ୍ବ, ସ୍ଥାନୀୟ ଉଦ୍ଭିଦ ଓ ପ୍ରାଣୀ ସମେତ ଅଞ୍ଚଳର ସମୃଦ୍ଧ ଜୈବବିବିଧତା ଦେଖିବାକୁ ମିଳୁଛି। ଏଠାରେ ୩୦ଟି ସୂଚନାପ୍ରଦନକାରୀ ଫଳକ ଲାଗିଛି। ପ୍ରତି ସପ୍ତାହରେ ଏକ ଶିକ୍ଷାଗତ ପଦଯାତ୍ରା ଆୟୋଜିତ ହେଉଛି, ଯେଉଁଥିରେ ଜଣେ ଗାଇଡ୍ ଅଂଶଗ୍ରହଣକାରୀଙ୍କୁ ଆର୍ଦ୍ରଭୂମି ନିର୍ଭରଶୀଳ ପକ୍ଷୀ, କୀଟପତଙ୍ଗ, ପ୍ରାଣୀ ଓ ଉଦ୍ଭିଦ ବିଷୟରେ ଅବଗତ କରାଉଛନ୍ତି। ଏହି ଟ୍ରେଲ୍ ନନ୍ଦନକାନନର ପ୍ରମୁଖ ପ୍ରକୃତି ଶିକ୍ଷା କାର୍ଯ୍ୟକ୍ରମ ଭାବେ କାର୍ଯ୍ୟ କରୁଛି, ଯେଉଁଥିରେ ଆର୍ଦ୍ରଭୂମି ପରିସଂସ୍ଥା ପ୍ରତି ସଚେତନତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
‘କ୍ୟୁଆର୍’ କୋଡ୍ କହୁଛି ଗଛର ଗାଥା
ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଥିବା ବୃକ୍ଷଶାଳା ଇତିମଧ୍ୟରେ ନବୀକରଣ ହୋଇଛି। ଉଦ୍ଭିଦ ଜୈବବିବିଧତା ଥିବା ନୂଆ ନୂଆ ପ୍ରଜାତିର ଗଛ ଲଗାଯାଇଛି, ଯାହାକି ପର୍ଯ୍ୟଟକଙ୍କ ଅନନ୍ୟ ଆକର୍ଷଣ ପାଲଟିଛି। ଏହି ଉଦ୍ୟାନରେ ଥିବା ପ୍ରତିଟି ପ୍ରଜାତି ସମ୍ପର୍କରେ ପର୍ଯ୍ୟଟକ ଯେପରି ସହଜରେ ଜାଣିପାରିବେ ସେଥିପାଇଁ ‘କ୍ୟୁଆର୍’ କୋଡ୍ ଥିବା ସୂଚନାଫଳକ ଲାଗିଛି। ଭ୍ରମଣକାରୀମାନେ ପ୍ରତିଟି ପ୍ରଜାତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ସହ ଶିକ୍ଷା ସମ୍ପର୍କିତ ଅଭିଜ୍ଞତା ହାସଲ କରିପାରୁଛନ୍ତି। ଦୁଇ ଦିନ ତଳେ ଅନୁଷ୍ଠିତ ଟ୍ରି ୱାକ୍ରେ ୨୩ଜଣ ଯୁବକ ଅଂଶଗ୍ରହଣ କରିବା ସହ ବିଭିନ୍ନ ପ୍ରଜାତିର ଗଛପତ୍ର ବିଷୟରେ ଅବଗତ ହୋଇଥିଲେ।
ପିଲା ସାଜିଛନ୍ତି ଚିଡ଼ିଆଖାନା ରାଷ୍ଟ୍ରଦୂତ
ପ୍ରାଣୀ ଉଦ୍ୟାନର ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ ହେଉଛି ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟର ସପ୍ତମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣରେ ନିୟୋଜିତ କରାଯାଇଛି। ସ୍କ୍ରିନିଂ ପରୀକ୍ଷା ମାଧ୍ୟମରେ ୭୧ଜଣ ରାଷ୍ଟ୍ରଦୂତଙ୍କୁ ଚୟନ କରାଯାଇ ବନ୍ୟପ୍ରାଣୀଙ୍କ ବିଷୟରେ ପରିଚିତ କରାଯାଇଥିଲା। ନନ୍ଦନକାନନରେ ଅନୁଷ୍ଠିତ ଓରିଏଣ୍ଟେସନ୍ ଶିବିରରେ ରାଷ୍ଟ୍ରଦୂତମାନଙ୍କୁ ସେମାନଙ୍କ ନିଜ ନିଜ ବିଦ୍ୟାଳୟରେ ପ୍ରକୃତି ସଂରକ୍ଷଣ ସଚେତନତାକୁ ପ୍ରୋତ୍ସାହିତ କରିବାକୁ କାର୍ଯ୍ୟ ଦିଆଯାଇଥିଲା। ସେମାନଙ୍କ ପ୍ରୟାସ ନିୟମିତ ଭାବରେ ତଦାରଖ ସହ ପୁରସ୍କାର ମାଧ୍ୟମରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା। ପ୍ରମାଣପତ୍ର ଓ ସୁବିଧା ମାଧ୍ୟମରେ ସ୍ୱୀକୃତି ପ୍ରଦାନ ସହ ଅଂଶଗ୍ରହଣକାରୀଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣରେ ସମ୍ଭାବ୍ୟ କ୍ୟାରିଅର୍ ଅନୁସନ୍ଧାନ କରିବାକୁ ପ୍ରେରଣା ଦେଇଥିଲା। ଏଥିସହ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସିଟିଜେନ୍ ସାଇନ୍ସ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ଯୋଡ଼ିବାକୁ ପ୍ରୟାସ ହୋଇଛି।
ରବିବାରିଆ ପକ୍ଷୀ ଦର୍ଶନ
ପର୍ଯ୍ୟଟକଙ୍କୁ ଏଠାକାର ପ୍ରାକୃତିକ ପରିବେଶ ସହ ପକ୍ଷୀଙ୍କ ସମ୍ପର୍କରେ ଅବଗତ କରାଇବାକୁ ପ୍ରତି ରବିବାର ବାର୍ଡ ୱାକ୍ (ପକ୍ଷୀ ନିରୀକ୍ଷଣ) ବ୍ୟବସ୍ଥା ହୋଇଛି। ଯୁବପିଢ଼ୀମାନେ ଏଥିରେ ବେଶ୍ ଆଗ୍ରହର ସହ ଭାଗ ନେଇ ନୂଆ ନୂଆ ପ୍ରଜାତି ପକ୍ଷୀଙ୍କ ବିଷୟରେ ଜାଣିବାକୁ ପାଉଛନ୍ତି। ଇତିମଧ୍ୟରେ ୧୮୮ଟି ବାର୍ଡ ୱାକ୍ ଅନୁଷ୍ଠିତ ହୋଇସାରିଛି। ଶେଷ ଥର ପାଇଁ ଗତ ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୮ଜଣ ଅଂଶଗ୍ରହଣ କରିଥିଲେ। ଭ୍ରମଣ ସମୟରେ ସେମାନେ ୫୧ ପ୍ରଜାତିର ୧୩୨ଟି ପକ୍ଷୀଙ୍କୁ ଚିହ୍ନଟ କରିଥିଲେ। ଏହାଦ୍ବାରା କେବଳ ଯେ ଯୁବପିଢ଼ି ଉପକୃତ ହେଉଛନ୍ତି ତାହା ନୁହେଁ, ବରଂ ଦେଶ ବିଦେଶର ପକ୍ଷୀ ବିଶାରଦ, ଗବେଷକ, ବିଶେଷଜ୍ଞମାନେ ମଧ୍ୟ ଓଡ଼ିଶାରେ ପକ୍ଷୀ ପ୍ରଜାତିଙ୍କ ଉପସ୍ଥିତି ବିଷୟରେ ଅଧିକ ଜାଣିପାରୁଛନ୍ତି। ଗବେଷଣାରେ ମଧ୍ୟ ଏହି ବାର୍ଡ ୱାକ୍ ସହାୟକ ହେଉଥିବା ସେମାନେ କହିଛନ୍ତି।