ବାରଙ୍ଗ/ତ୍ରିଶୁଳିଆ : ଗୁରୁବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪ ବର୍ଷର ଯୁବ ମହାବଳ ବାଘ ‘ରାଜେଶ’ର ନଖରାମି ଦେଖିବାକୁ ମିଳିଥିଲା। ରାଜେଶ ତାରବାଡ଼ ଭାଙ୍ଗି ସଫାରି ଭିତରକୁ ଡେଇଁ ପଡ଼ିବାରୁ କର୍ମଚାରୀ ମହଲରେ ଆତଙ୍କ ଖେଳି ଯାଇଥିଲା। ସୌଭାଗ୍ୟକୁ ଏ ବାବଦରେ ପର୍ଯ୍ୟଟକମାନେ ଜାଣିବା ପୂର୍ବରୁ କର୍ମଚାରୀମାନେ ତାକୁ ପୁଣି ଖୁଆଡ଼କୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। ତଥାପି ଏଥିପାଇଁ ଯନ୍ତୁରକ୍ଷକମାନଙ୍କୁ ଅଧଘଣ୍ଟା କାଳ କସରତ କରିବାକୁ ପଡ଼ିଥିଲା। ତେବେ ବାଘ ଭଳି ହିଂସ୍ର ପ୍ରାଣୀ ରହୁଥିବା ନନ୍ଦନକାନନର ଏହି ତାରବାଡ଼ ଦୁର୍ବଳ ହୋଇପଡ଼ିଥିବା ଘଟଣା ଜଣାପଡ଼ିବା ପରେ ପର୍ଯ୍ୟଟକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିୟମିତ ବ୍ୟବଧାନରେ ତାରବାଡ଼ କାହିଁକି ତଦାରଖ କରାଯାଉ ନାହିଁ ଓ କର୍ତ୍ତୃପକ୍ଷ କିଭଳି ଏତେ ବେପରୁଆ ଭାବ ପ୍ରଦର୍ଶନ କରୁଛନ୍ତି ବୋଲି ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୌଭାଗ୍ୟବଶତଃ କିଛି ଅଘଟଣ ଘଟି ନାହିଁ, କିନ୍ତୁ ପର୍ଯ୍ୟଟକ ଭିଡ଼ ଥିଲେ, ଭିନ୍ନ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିଲା ବୋଲି କୁହାଯାଉଛି।
ସୂଚନାନୁସାରେ ସକାଳ ପ୍ରାୟ ୯ଟା ବେଳେ ସାଧାରଣ ନାଲି ରଙ୍ଗର ମହାବାଳ ରାଜେଶ ତା’ର ‘୩୩-ଖ’ ଖୁଆଡ଼ର ତାରଜାଲିକୁ ଭାଙ୍ଗି ଦେଇଥିଲା। ତା’ର ପଞ୍ଝା ଆଘାତରେ ଦୁର୍ବଳ ତାରଜାଲିର ଏକ ଅଂଶ ଭାଙ୍ଗି ମେଲା ହୋଇଯାଇଥିଲା। ଫଳରେ ରାଜେଶ ସହଜରେ ସଂଲଗ୍ନ ସଫାରି ଭିତରକୁ ପଳାଇଥିଲା। କିଛି ସମୟ ପରେ ଏହି ଖୁଆଡ଼ର ଯନ୍ତୁରକ୍ଷକ ସେଠାକୁ ଆସିଥିଲେ। ତେବେ ଖୁଆଡ଼ରେ ରାଜେଶ ନ ଥିବା ଦେଖି ତାଙ୍କ ଅକଲ୍ ଗୁଡ଼ୁମ୍ ହୋଇ ଯାଇଥିଲା। ଖୁଆଡ଼କୁ ତନ୍ନତନ୍ନ କରି ଦେଖିବା ପରେ ରାଜେଶ ତାରଜାଲି ଭାଙ୍ଗି ପଳାଇଥିବା ଜାଣିବାକୁ ପାଇଥିଲେ। ତେଣୁ ବାଘ ସଫାରି ଭିତରକୁ ଯାଇଥିବା ନିଶ୍ଚିତ ହେବା ପରେ ସେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ସାଥୀ କର୍ମଚାରୀମାନଙ୍କୁ ସେଠାକୁ ଡାକିଥିଲେ।+ ସେତେବେଳକୁ ମାତ୍ର ଅଳ୍ପ କିଛି ପର୍ଯ୍ୟଟକ ଭିତରକୁ ଆସିଥିଲେ ବି କେହି ଖୁଆଡ଼ ପର୍ଯ୍ୟନ୍ତ ପହଞ୍ଚିନଥିଲେ। ତେଣୁ ଯନ୍ତୁରକ୍ଷକ ଓ ଅନ୍ୟ କର୍ମଚାରୀମାନେ ବେଶି ଗହଳଚହଳ ନକରି କୌଣସିମତେ ରାଜେଶକୁ ଠାବ କରିବାକୁ ଉଦ୍ୟମ କରିଥିଲେ। ହଠାତ୍ ସେମାନେ ରାଜେଶକୁ ନିକଟସ୍ଥ ଏକ ବୁଦାମୂଳରେ ବସିଥିବା ଦେଖିଥିଲେ। ଯନ୍ତୁରକ୍ଷକ ଖୁଆଡ଼ର ଫାଟକ ଖୋଲା ରଖିବା ସହ ତାକୁ ବାଡ଼ି ଦେଖାଇ ଖୁଆଡ଼କୁ ଭିତରକୁ ଆସିବାକୁ ଠାରିଥିଲେ। ଆଉ ରାଜେଶ ସୁନାପିଲା ଭଳି କଥା ମାନି ଖୁଆଡ଼ ଫାଟକ ଦେଇ ଭିତରକୁ ଫେରି ଆସିଥିଲା। ମହାବଳ ରାଜେଶ ଖୁଆଡ଼କୁ ପଶି ସାରିଥିଲେ ମଧ୍ୟ ବାଘ ଖୁଆଡ଼ରୁ ବାହାରି ଆସିଥିବା ଘଟଣା ପ୍ରଚାର ହୋଇଯିବାରୁ ପର୍ଯ୍ୟଟକମାନେ ଜୀବନ ବିକଳରେ ଇତଃସ୍ତତ ହୋଇପଡ଼ିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀମାନେ ବୁଲିବୁଲି ପର୍ଯ୍ୟଟକମାନଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଆଜିର ଏହି ଘଟଣା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ କୌଣସି ମତାମତ ମିଳିପାରିନାହିଁ। ତେବେ ତାରବାଡ଼ ଯାଞ୍ଚ କରାଯିବ ବୋଲି ପରୋକ୍ଷ ସୂଚନା ମିଳିଛି। ଜଣେ ଯନ୍ତୁରକ୍ଷକଙ୍କ କହିବା ଅନୁଯାୟୀ ପର୍ଯ୍ୟଟକମାନେ ଦେଖିବା ପାଇଁ ନିୟମିତ ବ୍ୟବଧାନରେ ବାଘମାନଙ୍କୁ ସଫାରିକୁ ଛଡ଼ାଯାଏ। ସେହିଭଳି ପଞ୍ଝା ମାରିବା ବାଘମାନଙ୍କ ଅଭ୍ୟାସ। ତେଣୁ ରାଜେଶ ପଞ୍ଝା ମାରୁମାରୁ ତାରଜାଲିରେ ବଡ଼ କଣା ହୋଇଯିବାରୁ ସେ ସଫାରି ଭିତରକୁ ପଶି ଯାଇଥିଲା। ସଫାରି ବୁଲି ଖୁଆଡ଼କୁ ଫେରିବା ଅଭ୍ୟାସ ଥିବାରୁ ପୁଣି ଫେରିଆସିଲା। ବଡ଼ କଥା ହେଉଛି; କମ୍ ସଂଖ୍ୟକ ପର୍ଯ୍ୟଟକ ଥିବାରୁ ହୋହଲ୍ଲା ହୋଇନଥିଲା। ତେଣୁ ବାଘକୁ ବିନା କଷ୍ଟରେ ଖୁଆଡ଼କୁ ଫେରାଇ ଆଣିବା ସମ୍ଭବ ହେଲା। ଲୋକଙ୍କ ଗହଳି ଥିଲେ, ବଡ଼ ସମସ୍ୟା ହୋଇଥାନ୍ତା ବୋଲି କର୍ମଚାରୀଜଣକ କହିଛନ୍ତି।