ବାରଙ୍ଗ : ରବିବାର ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରିବା ମାମଲାରେ ନନ୍ଦନକାନନ ଥାନା ପୁଲିସ ସୋମବାର ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ଦାରୁଠେଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁ(୩୫), କାହ୍ନୁ ମହାପାତ୍ର ଓ ଅମନ ପାଟ୍ଟସାହାଣୀ। ଜାମିନ୍ ନାମଞ୍ଜୁର ହେବାରୁ ୩ ଅଭିଯୁକ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏହି ଘଟଣା ପରେ ନନ୍ଦନକାନନରେ ଚାଲିଥିବା ସ୍ଥାନୀୟ ଲୋକଙ୍କ ଦାଦାଗିରି ଓ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ କେଳେଙ୍କାରୀର ଚିତ୍ର ସ୍ପଷ୍ଟ ହୋଇଛି। ବାହାର ପର୍ଯ୍ୟଟକଙ୍କୁ ଅତିଥିର ସମ୍ମାନ ଦେବା ବଦଳରେ ସେମାନଙ୍କୁ ଲୁହାରଡ୍ରେ ଗୋରୁଗାଈ ଭଳି ପିଟି ଅସଭ୍ୟ ବ୍ୟବହାର ପ୍ରଦଶର୍ନ କରିଥିବାରୁ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
ଗତକାଲି ନନ୍ଦନକାନନ ବୁଲିବାକୁ ଛତିଶଗଡ଼ରୁ ପୁରୁଷ ଓ ମହିଳାଙ୍କୁ ମିଶାଇ ୨୬ଜଣ ପର୍ଯ୍ୟଟକ ଆସିଥିଲେ। ସେମାନେ ସଫାରି ପରିଭ୍ରମଣ କରିବେ ବୋଲି ବସ୍ ଟିକେଟ୍ କିଣିବା ଲାଗି କାଉଣ୍ଟରରେ ଧାଡ଼ିରେ ଛିଡ଼ା ହୋଇଥିଲେ। ଏତିକି ବେଳେ ଉକ୍ତ ଧାଡ଼ିରେ ସେମାନଙ୍କ ପଛରେ ଥିବା କିଛି ପର୍ଯ୍ୟଟକଙ୍କୁ ଟିକେଟ ପରିଚାଳନା ଦାୟିତ୍ଵରେ ଥିବା କର୍ମଚାରୀ ବସ୍ରେ ବସାଇ ଦେଇଥିଲେ ଓ ଟିକେଟ୍ କାଉଣ୍ଟର ବନ୍ଦ କରିଦିଆଯାଇଥିଲା। ଛତିଶଗଡ଼ ପର୍ଯ୍ୟଟକମାନେ ଏହାକୁ ବିରୋଧ କରିଥିଲେ। ଧାଡ଼ିରେ ଥିବା ପଛ ଲୋକଙ୍କୁ କିଭଳି ବସ୍ରେ ବସା ଗଲା ବୋଲି କହି ପ୍ରତିବାଦ କରିଥିଲେ ଓ ବସ୍ରେ ଚଢ଼ିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବସ୍ ପରିଚାଳନା ଦାୟିତ୍ଵରେ ଥିବା କର୍ମଚାରୀମାନେ ସେମାନଙ୍କୁ ଜୋର୍ କରି ବସ୍ରୁ ଓହ୍ଲାଇ ଦେଇଥିଲେ। ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ବଚସା ବଢ଼ିଥିଲା ଓ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ସଫାରି ବସ୍ ପରିଚାଳନା ଦାୟିତ୍ଵରେ ଥିବା କର୍ମଚାରୀ ଓ ସହଯୋଗୀମାନେ ମିଳିତ ଭାବେ ଆକ୍ରମଣ କରି ପର୍ଯ୍ୟଟକଙ୍କୁ ଲହୁଲୁହାଣ କରିଥିଲେ। ଅଭିଯୁକ୍ତ ଅମନ, କାହ୍ନୁ ଓ ସନ୍ତୋଷ ଷ୍ଟିଲ୍ ପାଇପ୍ରେ ପର୍ଯ୍ୟଟକଙ୍କୁ ପିଟିଥିଲେ। ଏମିତିକି ସେମାନଙ୍କ ଆକ୍ରମଣରୁ ମହିଳା ପର୍ଯ୍ୟଟକମାନେ ମଧ୍ୟ ବର୍ତ୍ତିନଥିଲେ। ଏହି ଆକ୍ରମଣରେ ପ୍ରେମଲତା ଗୁପ୍ତା, ଅନୁ ଗୁପ୍ତା, ରନକ ଗୁପ୍ତା, ହରୀଶ ଗୁପ୍ତା ଓ ହିମାଂଶୁ ଗୁପ୍ତାଙ୍କ ସମେତ ଅନ୍ୟମାନେ ଲହୁଲୁହାଣ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Baranga-arrest.jpg)