ଚାଲୁନି ନନ୍ଦନକାନନର ଶିଶୁ ରେଳ : ଲୁଚି ଗଲାଣି ଟ୍ରେନ୍‌, ରେଳ ଧାରଣା

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ରେଳ ଦିନେ ଶିଶୁମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ହେଲେ ଦୀର୍ଘ ୩ ବର୍ଷ ହେବ ଏହା ଅଚଳ ହୋଇ ପଡ଼ିରହିଛି। ରେଳ ଓ ରେଳଧାରଣା ଉପରେ ଜଙ୍ଗଲି ଗଛଲତା ମାଡ଼ିଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ଏଥିରେ କଳଙ୍କି ବି ଲାଗିଗଲାଣି। ହେଲେ ଏଥିପ୍ରତି ନନ୍ଦନକାନନ କର୍ତୃପକ୍ଷଙ୍କର ଚିନ୍ତା ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ୧୯୭୧ ମସିହା ଅଗଷ୍ଟ ୮ ତାରିଖରେ ଉଦ୍‌ଘାଟିତ ହୋଇଥିବା ଏହି ଶିଶୁ ରେଳ ବା ଟଏ ଟ୍ରେନ୍‌ର ଧାରଣା ୧.୫୮ କିମି ଧରି ବ୍ୟାପିଛି। ଥରକରେ ୬୦ଜଣ ଶିଶୁ ଏହି ଟ୍ରେନ୍‌ରେ ଜଙ୍ଗଲ ବୁଲିବାର ମଜା ଉଠାଇ ପାରୁଥିଲେ। ତେବେ ୧୯୯୩ ମସିହା ନଭେମ୍ବର ୧୪ ତାରିଖରେ ଏହାର ନବୀକରଣ କରାଯାଇଥିଲା। ଏହା ପରେ ନନ୍ଦନକାନନ କର୍ତୃପକ୍ଷ ନିଜ ଅଧୀନରେ ଶିଶୁ ରେଳକୁ ରଖି ଚଲାଇ ଆସୁଥିଲେ। ହେଲେ ଗତ ୨୦୦୮ରେ ୬ ଲକ୍ଷ ୬ ହଜାର ୮୪୬ ଟଙ୍କାରେ ୫ବର୍ଷ ପର୍ଯ୍ୟନ୍ତ ଗଙ୍ଗାଧର ରାଉତଙ୍କୁ ଏହି ଟୟ ଟ୍ରେନ୍‌ ଚଳାଚଳର ଦାୟିତ୍ୱ ଦିଆଗଲା। ମିଆଦ ପୂର୍ଣ୍ଣ ହେବା ପରେ ୨୦୧୩ ଅଗଷ୍ଟ ୭ ତାରିଖରୁ ଆଉ ଏକ ଘରୋଇ ସଂସ୍ଥା ସିଟିକର୍ଣ୍ଣ, ୫ ବର୍ଷ ପାଇଁ ୧୨ ଲକ୍ଷ ୫୦ ହଜାର ଟଙ୍କାର ଟେଣ୍ଡର୍‌ ନେଇଥିଲା। ବର୍ଷେ ପରେ ଏହି ସଂସ୍ଥା ଚୁକ୍ତିରୁ ଦୂରେଇ ଯାଇଥିଲା। ଏହା ପରଠାରୁ ଶିଶୁ ରେଳ ଅନାଥ ଅବସ୍ଥାରେ ପଡ଼ିରହିଛି।

ଏନେଇ ନନ୍ଦନକାନନର ଉପନିର୍ଦେଶକ ଜୟନ୍ତ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦିଲ୍ଲୀର ଏକ ଘରୋଇ ସଂସ୍ଥା ରାଇଜ୍‌କୁ ଶିଶୁ ରେଳକୁ ପୁନଃ ଚାଲୁ କରିବା ପାଇଁ ଟେଣ୍ଡର୍‌ ଦିଆଯାଇଛି। ଏହି କମ୍ପାନି ପୁରୁଣାକୁ ରେଳକୁ ମରାମତି ନକରି ନୂଆ କରି ତିଆରି କରିବ। ଏଥିରେ ନନ୍ଦନକାନନକୁ କିଛି ଅର୍ଥ ବିନିଯୋଗ କରିବାକୁ ପଡ଼ବନି। ତେବେ ଖୁବ ଶୀଘ୍ର କାମ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର