ନନ୍ଦନକାନନ ବହୁତଳ ପାର୍କିଂ କେବେ? ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶକୁ ଭୁଲିଗଲେ

ରାସ୍ତାରେ ହେଉଛି ଗାଡ଼ି ପାର୍କିଂ, ବଢ଼ୁଛି ଦୁର୍ଘଟଣା, ଫାଇନ୍‌ ଆଦାୟରେ ବ୍ୟସ୍ତ ପୁଲିସ

ଭୁବନେଶ୍ବର: ୨୦୨୧ ଫେବ୍ରୁଆରିରେ ନନ୍ଦନକାନନ ଚତୁଃପାର୍ଶ୍ବର ବିକାଶ ଉପରେ ମୁଖ୍ୟ ଶାସନ ସଚିବ ସୁ‌ରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିବା ସହ ନିର୍ମାଣାଧୀନ ବହୁତଳ ଗାଡ଼ି ପାର୍କିଂ ପ୍ରକଳ୍ପ ଦୁଇ ମାସ ମଧ୍ୟରେ ସାରିବାକୁ ନିର୍ଦେଶ ଦେଇଥିଲେ। ଇତି ମଧ୍ୟରେ ଶ୍ରୀ ମହାପାତ୍ରଙ୍କ ସମୀକ୍ଷା ଓ ନିର୍ଦେଶକୁ ୮ ମାସ ବିତିଗଲାଣି। ବହୁତଳ ଗାଡ଼ି ପାର୍କିଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିଲାଣି। ପର୍ଯ୍ୟଟନ ଋତୁ ବି ଆରମ୍ଭ ହେଲାଣି। ମାତ୍ର କାର୍ଯ୍ୟକ୍ଷମ ହୋଇପାରୁନି ବହୁତଳ ପାର୍କିଂ। ଯେଉଁଥିପାଇଁ ନନ୍ଦନକାନନ ଛକରେ ଟ୍ରାଫିକ୍‌ ସମସ୍ୟା ଏବେ ନିୟନ୍ତ୍ରଣ ବାହାରେ। ପ୍ରତିଦିନ ଦୁର୍ଘଟଣା ବଢ଼ିବା ସହ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଯାତ୍ରୀଙ୍କୁ ନାକେଦମ ହେବାକୁ ପଡ଼ୁଛି। ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୩ କିମି ରାସ୍ତାପାର୍ଶ୍ବରେ ଶତାଧିକ ଗାଡ଼ି ପାର୍କିଂ ହେଉଛି। ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ବସ୍‌ଠାରୁ ଆରମ୍ଭ କରି କାର୍‌, ସବୁ କିଛି ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହୁଛି। ଅପରାହ୍ନରେ ସ୍ଥିତି ଏମିତି ହେଉଛି ଯେ ଦୁଇ କିମି ରାସ୍ତା ପାରି ହେବାକୁ ଅଧ ଘଣ୍ଟା ଲାଗିଯାଉଛି।

୪୩୭ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବକଳେବର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଉଦ୍ୟାନର ଅସଜଡ଼ା ଭିତ୍ତିଭୂମିକୁ ସଜାଡ଼ିବା ସହ ନୂଆ ବ୍ୟବସ୍ଥା ଆପଣାଇବା ଲାଗି ୨୦୧୭-୧୮ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିଲା ବହୁ ପ୍ରତୀକ୍ଷିତ ମଲ୍‌ଟି ଷ୍ଟୋରେଜ୍‌ ପାର୍କିଂ କାର୍ଯ୍ୟ। ୨୦୨୧ ପ୍ରଥମାର୍ଦ୍ଧରେ ଏହାକୁ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେହି ଅନୁଯାୟୀ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ନୂତନ ପ୍ରସ୍ଥାନ ପଥର ଉଦ୍‌ଘାଟନ କରାଯାଇ ପର୍ଯ୍ୟଟକଙ୍କ ଯିବା ଆସିବାରେ ସୁବିଧା କରାଯାଇଥିଲା। ଏହାଦ୍ବାରା ପର୍ଯ୍ୟଟକ ଯେଉଁ ବାଟ ଦେଇ ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ କରିବେ, ଆଉ ସେହି ବାଟରେ ଆଉ ବାହାରିବେ ନାହିଁ। ସିଧା ମଲ୍ଟି ଲେୟାର ପାର୍କିଂକୁ ଯୋଗାଯୋଗ କରୁଥିବା ନୂଆ ପ୍ରସ୍ଥାନ ପଥରେ ବାହାରକୁ ଆସିବେ।

ମିଳିଥିବା ସୂଚନା ଅନୁଯାୟୀ ପାର୍କିଂ ଟେଣ୍ଡର ଲାଗି ଜୁନ୍‌ ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୯ରେ‌ ୱେବସାଇଟ୍‌ରେ ଆରଏଫ୍‌ପି ଡକ୍ୟୁମେଣ୍ଟ ଉପଲବ୍ଧ, ୨୮ରେ ପ୍ରି-ବିଡିଂ ମିଟିଂ ହୋଇ ଜୁଲାଇ ୧୪କୁ ଟେଣ୍ଡର ଗ୍ରହଣ କରିବାର ଶେଷ ତାରିଖ ରଖାଯାଇଥିଲା। ଏଥିପାଇଁ ବହୁ ସଂସ୍ଥା ଆବେଦନ କରିବା ପରେ ୧୫ ତାରିଖରେ ତାହାକୁ ଖୋଲାଯାଇଥିଲା। ଟେଣ୍ଡରରେ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ଆଗମନ ସମ୍ପର୍କରେ ଦର୍ଶାଯାଇଥିଲା। ୫ ଏକର ପରିମିତ ଜମିରେ ଏହି ବହୁତଳ ଗାଡ଼ି ପାର୍କିଂ ପ୍ରକଳ୍ପ ହୋଇଛି। ସେଥିମଧ୍ୟରୁ ୧୭ ହଜାର ୩୩୫ ବର୍ଗ ମିଟରରେ ୩ ତାଲା ବିଶିଷ୍ଠ ପାର୍କିଂ ବିଲଡିଂ ନିର୍ମାଣ ହୋଇଛି। ପ୍ରତି ମହଲାରେ ୫୬୦୦ ବର୍ଗ ମିଟର ହୋଇଛି। ଏଠାରେ ୫୮୩ରୁ ଅଧିକ ଚାରି ଚକିଆ ଓ ୨୦୦୦ ଦୁଇ ଚକିଆ ଯାନ ରହିପାରିବ। ୩.୯ ଏକରରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି, ଯେଉଁଠାରେ ୧୩୭ଟି ବସ୍‌ ରହିପାରିବ। ଏହାବ୍ୟତୀତ ଡ୍ରାଇଭର ରେଷ୍ଟ ରୁମ୍‌, ଟଏଲେଟ୍‌ ବ୍ଲକ, ୨ଟି ଲିଫ୍ଟ, ଦିବ୍ୟାଙ୍ଗ ପାଇଁ ରୢାମ୍ପ, ସିସିଟିଭି ସୁବିଧା, ଅଗ୍ନିନିର୍ବାପକ ବ୍ୟବସ୍ଥା ହୋଇଛି। ଯେଉଁ ସଂସ୍ଥା ପାର୍କିଂ ଦାୟିତ୍ବ ନେବ ତାହା ୩ ବର୍ଷ ପାଇଁ ବୈଧ ରହିବ। ଯଦି ଏହାର କାର୍ଯ୍ୟକଳାପ ଠିକ୍‌ ରୁହେ ତେବେ ଆଉ ଦୁଇ ବର୍ଷ ବଢ଼ାଯାଇପାରେ। ୬ ଘଣ୍ଟା ପାର୍କିଂ ପାଇଁ ଦୁଇ ଚକିଆ ଲାଗି ୨୦ ଟଙ୍କା, ତିନି ଚକିଆ ପାଇଁ ୩୦ ଟଙ୍କା, ଚାରି ଚକିଆ ଲାଗି ୫୦ ଟଙ୍କା ଓ ବସ୍‌ ପାଇଁ ୭୦ ଟଙ୍କା ଲେଖାଏ ରହିବ ବୋଲି ସ୍ଥିର ହୋଇଥିଲା।

ବହୁତଳ ଗାଡ଼ି ପାର୍କିଂର ବିଲଡିଂ କାର୍ଯ୍ୟ ୨୦୨୦ରେ ଶେଷ ହେବା ପରେ ବାହାର ପରିବେଶର ସୌନ୍ଦର୍ଯ୍ୟୀକରଣ କାମ ମାର୍ଚ୍ଚରେ ଶେଷ ହୋଇଥିଲା। ଏପ୍ରିଲ ପହିଲା ଉତ୍କଳ ଦିବସରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ବୋଲି କର୍ତୃପକ୍ଷ କହିଥିଲେ। ମାତ୍ର ତାହା ହୋଇପାରି ନାହିଁ। ମାସ ପରେ ମାସ ବିତୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇପାରୁ ନ ଥିବାରୁ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପାର୍କିଂ ସମସ୍ୟା ଏବେ ବି ଜାରି ରହିଛି। ନନ୍ଦନକାନନ ଛକଠାରୁ ମାତ୍ର ୩୦୦ ମିଟର ଦୂରରେ ପୁଲିସ ଓ ଟ୍ରାଫିକ୍‌ ଅଧିକାରୀମାନେ ଗାଡ଼ି ଅଟକାଇ ଯାଞ୍ଚ କରୁଛନ୍ତି। ଗଛ ଆଢ଼ୁଆଳରେ ଲୁଚି ରହି ହେଲ୍‌ମେଣ୍ଟ ପିନ୍ଧି ନ ଥିବା, ସିଟ୍‌ ବେଲ୍ଟ ବାନ୍ଧି ନ ଥିବା ଚାଳକଙ୍କଠାରୁ ଜୋର ଜବରଦସ୍ତ ଫାଇନ୍‌ କାଟୁଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟ ଚାଲୁଥିଲେ ମଧ୍ୟ ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ସେମାନଙ୍କର କୌଣସି ନଜର ନାହିଁ।

ସମ୍ବନ୍ଧିତ ଖବର