ବାରଙ୍ଗ: ଚିଡ଼ିଆଖାନା ମଧ୍ୟରେ ବନ୍ୟପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଚିତାବିରାଡ଼ି ଓ ବାନର ପ୍ରଜାତିର ହୁଲୁକ୍ ଗିବନ୍ ଆସିବେ। ପ୍ରତିବଦଳରେ ନନ୍ଦନକାନନ ଦୁଇଟି ବାଘ ଓ ତିନିଟି ଘଡ଼ିଆଳ ଦେବ। ଅରୁଣାଞ୍ଚଳ ପ୍ରଦେଶ ଇଟାନଗର ଚିଡ଼ିଆଖାନାରୁ ଚିତାବିରାଡ଼ି ଓ ଆସାମ ଚିଡ଼ିଆଖାନାରୁ ହୁଲୁକ ଗିବନ୍ ଆସିବେ। ତେଣୁ ଆସନ୍ତାକାଲି ନନ୍ଦନକାନନରୁ ୨ ବର୍ଷର ବାଘୁଣୀ ସୋହିନୀ ଓ ୨ ବର୍ଷର ବାଘ ରକି ଇଟାନଗର ଯାତ୍ରା କରିବେ। ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡାକ୍ତର ସୋରାଙ୍ଗ ତଡାପ୍ ନନ୍ଦନକାନନରେ ପହଞ୍ଚିଛନ୍ତି।
ପୂର୍ବରୁ ହୋଇଥିବା ଚୁକ୍ତିପତ୍ରରେ ସ୍ବାକ୍ଷର କରି ସେ ଆଜି ବାଘ ରକି ଓ ବାଘୁଣୀ ସୋହିନୀ ସହ ୩ ଘଡ଼ିଆଳ କୁମ୍ଭୀରଙ୍କୁ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ସୋହିନୀ ୨୦୨୧ ଏପ୍ରିଲ୍ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା। ସେହିଭଳି ରକି ୨୦୨୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘ ସେଫ୍ର ମିଳନରୁ ଜନ୍ମଲାଭ କରିଥିଲା। ଆଜି ଏହି ଦୁଇ ବାଘଙ୍କୁ ସ୍ବତନ୍ତ୍ର ଜନ୍ତାରେ ଭର୍ତ୍ତି କରାଯାଇଛି। ସେହିଭଳି ଘଡ଼ିଆଳ କୁମ୍ଭୀର ତିନିଟିଙ୍କୁ ସ୍ବତନ୍ତ୍ର ପେଟିରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ସକାଳୁ ସେମାନଙ୍କୁ ଏକ ଟ୍ରକ୍ରେ ଲଦି ଇଟାନଗର ନିଆଯିବ। ସାଙ୍ଗରେ ନନ୍ଦନକାନନର ୬ ଜଣିଆ ଟିମ୍ ଇଟାନଗର ଗସ୍ତ କରିବ। ନନ୍ଦନକାନନର ସହକାରୀ ନିର୍ଦ୍ଦେଶକ ଡ. ରଶ୍ମିରଞ୍ଜନ ସ୍ବାଇଁ, ଡ. ସନ୍ତୋଷ ଗୁପ୍ତା, ବନପାଳ ସୁଶାନ୍ତ କୁମାର ବେହେରା, ଜନ୍ତୁ ରକ୍ଷକ ପ୍ରଫୁଲ୍ଲ ବାଗ୍ ଓ ଦୁଇ ଜଣ ସହଯୋଗୀ କର୍ମଚାରୀଙ୍କୁ ମିଶାଇ ଛଅ ଜଣିଆ ଦଳ ଇଟାନଗର ଯାତ୍ରା କରିବେ। ସେଠାରୁ ପ୍ରତ୍ୟାବର୍ତ୍ତନ ବେଳେ ଚୁକ୍ତି ମୁତାବକ ହଳେ ତିନି ବର୍ଷ ବୟସର ହୁଲୁକ୍ ଗିବନ୍(ମାଈ ଓ ଅଣ୍ଡିରା) ଓ ହଳେ ଚିତାବିରାଡ଼ି (ମାଈ ଓ ଅଣ୍ଡିରା)ଙ୍କୁ ଟ୍ରକ୍ରେ ନେଇ ଫେରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/56-7.jpg)