ପହିଲାରୁ ଖୋଲିବ ନନ୍ଦନକାନନ

ଅଗଷ୍ଟ ୧୧ରୁ ରାଞ୍ଚିକୁ ଉଡ଼ିବ ବିମାନ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ। କରୋନାର ଦ୍ବିତୀୟ ଲହର କାରଣରୁ ଦୀର୍ଘ ୩ମାସ କାଳ ନନ୍ଦନକାନନ ବନ୍ଦ ରହିଥିଲା। କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, କୋଭିଡ୍ ନିୟମାବଳି ମାନି ନନ୍ଦନକାନନ ଖୋଲାଯିବ ଏବଂ ସବୁ ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯିବ। ସାମାଜିକ ଦୂରତା ବଜାୟ ରହିବା ସହିତ ଗେଟ୍‌ରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ଏହାସହ ଯେଉଁମାନଙ୍କର ଥଣ୍ଡା, କାଶ ହେଉଥିବ, ସେମାନଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସେହିଭଳି ଜୀବଜନ୍ତୁ ରହୁଥିବା ସ୍ଥାନ ବା ସେମାନଙ୍କୁ ରଖାଯାଇଥିବା ଏନ୍‌କ୍ଲୋଜର୍‌କୁ ପର୍ଯ୍ୟଟକଙ୍କୁ ସ୍ପର୍ଶ କରିବାକୁ ଦିଆଯିବ ନାହିଁ। ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଅଗଷ୍ଟ ୧୧ରୁ ରାଞ୍ଚିକୁ ଉଡ଼ିବ ବିମାନ
ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୧୧ ତାରିଖରୁ ଭୁବନେଶ୍ୱରରୁ ରାଞ୍ଚିକୁ ବିମାନ ଚଳାଚଳ କରିବ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଏୟାର ଇଣ୍ଡିଆର ସବ୍‌ସିଡାରି କମ୍ପାନି ‘ଆଲାଏନ୍ସ ଏୟାର’ ପକ୍ଷରୁ ଏହି ସୁବିଧା ଉପଲବ୍ଧ ହେବ। ୭୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ରାଞ୍ଚି ଦେଇ କୋଲକାତା-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ। ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ଯାତ୍ରୀମାନେ ଏହି ବିମାନ ସେବାର ଫାଇଦା ଉଠାଇ ପାରିବେ ବୋଲି ସୂଚନା ମିଳିଛି। ପୂର୍ବରୁ ରାଞ୍ଚିକୁ ବିମାନ ଚଳାଚଳ ନେଇ ଦାବି ହୋଇ ଆସୁଥିଲା। ଏବେ ଏହି ସୁବିଧା ଉପଲବ୍‌ଧ ହେବାକୁ ଯାଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ସମ୍ବନ୍ଧିତ ଖବର