ନନ୍ଦନକାନନରେ ଅଘଟଣ : ବାଘ ଘର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ମରଣ ମୁହଁରୁ ଅଳ୍ପକେ ବର୍ତିଲେ ପର୍ଯ୍ୟଟକ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତି ଯାଇଛନ୍ତି ଜଣେ ପର୍ଯ୍ୟଟକ। ବାଘ ଘରର ତାରଜାଲି ପାଚେରି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ପର୍ଯ୍ୟଟକଙ୍କୁ ନନ୍ଦନକାନନ କର୍ମଚାରୀମାନେ କୌଣସି ପ୍ରକାରେ ଏଥିରୁ ବିରତ କରିବାକୁ ସକ୍ଷମ ହେବାରୁ ବାଘ ମୁହଁରୁ ସେ ରକ୍ଷା ପାଇ ଯାଇଛନ୍ତି। ସାମାନ୍ୟ ବିଳମ୍ବ ହୋଇଥିଲେ ପର୍ଯ୍ୟଟକ ଜଣକ ବାଘ ଘର ଭିତରକୁ ଖସି ପଡ଼ିଥାଆନ୍ତେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏହି ଘଟଣା ଆଜି ଚର୍ଚାର ବିଷୟ ପାଲଟିଥିବାବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କର ମାନସିକ ବିକୃତି ଥିବା ଜଣାପଡ଼ିଛି।

ଘଟଣାଟି ଘଟିଥିଲା ଜଙ୍ଗଲୀ ବାଘ ‘ନନ୍ଦନ’ର ଘରକୁ ଲାଗି ବାହୁବଳୀ ଓ କୁନ୍ଦନ ରହୁଥିବା ଖୁଆଡ଼ ନିକଟରେ। ଅପରାହ୍ନ ପ୍ରାୟ ୪ଟା ୧୦ରେ ପର୍ଯ୍ୟଟକମାନେ ନନ୍ଦନ, ବାହୁବଳୀ ଓ କୁନ୍ଦନକୁ ଦେଖୁ ଥାଆନ୍ତି। ହଠାତ୍‌ ଜଣେ ପର୍ଯ୍ୟଟକ ୩୧ ‘କ’ ଓ ‘ଖ’ ଖୁଆଡ଼ ମଧ୍ୟ ଭାଗରେ ଥାଇ ଉଭୟ ଖୁଆଡ଼କୁ ପୃଥକ୍‌ କରୁଥିବା ତାରଜାଲି ନିର୍ମିତ ପାଚେରି ଉପରକୁ ଚଢ଼ି ଯାଇଥିଲେ। ଏପରିକି ସେ ତାରଜାଲି ଉପରେ ଲାଗିଥିବା ଲୁହା ଚଦର ଉପରେ ପହଞ୍ଚି ଯାଇଥିଲେ। ଏହା ଦେଖି ଉପସ୍ଥିତ ଥିବା ପର୍ଯ୍ୟଟକମାନେ ହୋହହ୍ଲା କରିଥିଲେ। ପର୍ଯ୍ୟଟକ ଜଣକ ଧୀରେ ଧୀରେ ଖୁଆଡ଼ ଭିିତରକୁ ପଶିବାକୁ ଚେଷ୍ଟା ମଧ୍ୟ କରିଥିଲେ। ଏତିକିବେଳେ କାର୍ଯ୍ୟରତ ଆନିମଲ କିପର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ସେଠାରେ ପହଞ୍ଚି ଯାଇଥିଲେ। ଯେତେ ବାରଣ କଲେ ମଧ୍ୟ ଉପରେ ଚଢ଼ିଥିବା ବ୍ୟକ୍ତି ଜଣକ କିଛି ଶୁଣି ନଥିଲେ। ଏତିକିବେଳେ ଜନ୍ତୁ ବିଭାଗ ଏସିଏଫ୍‌ ଅଞନ କୁମାର ମହାନ୍ତି ସେଠାରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ। ମାତ୍ର ବାଘ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ବ୍ୟକ୍ତି ଜଣକ କହିଥିଲେ ଯେ ମୁଁ ୧୭ ବର୍ଷ ହେଲା ଚାକିରି ହରାଇ ନିର୍ଯାତିତ ହେଉଛି। ତେଣୁ ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଛି। ସରକାର ମୋ କଥା ବୁଝନ୍ତୁ। ନନ୍ଦନକାନନ କର୍ତୃପକ୍ଷ ବୁଝନ୍ତୁ। ଏକଥା ଶୁଣି ଶ୍ରୀ ମହାନ୍ତି ଲୋକଟିକୁ ଏଥିରୁ ନିବୃତ କରିବାକୁ ଯାଇ କହିଥିଲେ, ଠିକ୍‌ ଅଛି। ତଳକୁ ଓହ୍ଲାଇ ଆସ, ତୁମ କଥା ବୁଝାଯିବ। ଏମିତି ପ୍ରତିଶ୍ରୁତି ଦେବା ପରେ ବ୍ୟକ୍ତି ଜଣକ ଧୀରେ ଧୀରେ ତଳକୁ ଓହ୍ଲାଇଥିଲେ। ସେ ତଳକୁ ଓହ୍ଲାଇବା କ୍ଷଣି ସୁଯୋଗ ଅପେକ୍ଷାରେ ଥିବା କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ।

ପରେ ତାଙ୍କୁ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରିବାରୁ ସେ ତାଙ୍କ ନାମ ପ୍ରକାଶ କୁମାର ପାଣି(୫୦) ଓ ଘର କଟକ ସଦର ଥାନା ଅଧୀନ ବାଲିକୁଦାରେ ବୋଲି କହିଥିଲେ। କେବଳ ସେତିକି ନୁହେଁ, ସେ ତାରଜାଲି ଉପରେ ଚଢ଼ିଥିବା ବେଳେ ଯାହା ସବୁ କହିଥିଲେ, ସେ ସବୁ ଏକ କାଗଜରେ ଲେଖି ଆଣିଥିବା ଦେଖାଇଥିଲେ। ଏଥିରୁ ତାଙ୍କର ମାନସିକ ବକୃତି ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ସମସ୍ତ ବୟାନକୁ ରେକର୍ଡ କଲା ପରେ ନନ୍ଦନକାନନ କର୍ତୃପକ୍ଷ ତାଙ୍କୁ ନନ୍ଦନକାନନ ଥାନା ପୁଲିସ ଜିମା ଦେଇଥିଲେ। ଥାନାରେ ଜେରା ବେଳେ ମଧ୍ୟ ସେ ପୁଲିସକୁ ସମାନ କଥା କହିଥିଲେ।

ପୁଲିସ ତଦନ୍ତ ବେଳେ ଯାଣିବାକୁ ପାଇଛି ସେ ଫ୍ରିଜ୍‌ କାରିଗର ଭାବେ କାମ କରନ୍ତି। ମଝିରେ ମଝିରେ ତାଙ୍କର ଏଭଳି ମାନସିକ ବିକୃତି ବାହାରିଥାଏ। ଏ ସବୁ ଜାଣିବା ପରେ ପୁଲିସ ତାଙ୍କ ପରିବାର ଲୋକଙ୍କ ସହ ଯୋଗଯୋଗ କରିଛି। ପରବାର ଲୋକ ଆସିଲେ ତାକୁ ହସ୍ତାନ୍ତର କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୨ ମସିହା ଅକ୍ଟୋବର ୫ ତାରିଖରେ ଏଭଳି ଜଣେ ମାନସିକ ବିଷାଦଗ୍ରସ୍ତ ବ୍ୟକ୍ତି ସିଂହ ସଫାରୀ ମଧ୍ୟକୁ ଡେଇଁ ପଡ଼ି ସିଂହ କ୍ରିଷ୍‌ ଓ ଋକ୍ମିଣୀ ଆକ୍ରମଣରେ ଆହତ ହୋଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା ଯାଇଥିଲା।

ସମ୍ବନ୍ଧିତ ଖବର