ଗୋଡ଼ିବାରି ଗଲେ ନନ୍ଦନକାନନର ୪ ଜଙ୍ଗଲୀ ଚିତ୍ରା ହରିଣ

ରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪ଟି ବୁଲା ଚିତ୍ରା ହରିଣଙ୍କୁ ଆଜି ଚନ୍ଦକା ଅଭୟାରଣ୍ୟର ଗୋଡ଼ିବାରି ଜଙ୍ଗଲରେ ଛଡ଼ାଯାଇଛି। ନନ୍ଦନକାନନରେ ଜଙ୍ଗଲୀ ହରିଣଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ଆଜି ଏକ ସ୍ବତନ୍ତ୍ର ଭ୍ୟାନ୍‌ ଯୋଗେ ହରିଣମାନଙ୍କୁ ଗୋଡ଼ିବାରି ଜଙ୍ଗଲ‌‌ରେ ଛାଡ଼ିଥିଲେ। ସୂଚନା ଅନୁଯାୟୀ, ନନ୍ଦନକାନନ ପରିସରର ଜଙ୍ଗଲିଆ ପରିବେଶ ଚିତ୍ରା ହରିଣମାନଙ୍କ ବଂଶବୃଦ୍ଧି ଲାଗି ସହାୟକ ହେଉଛି। ତେବେ ଦିନ ବେଳା ସେମାନେ ଏଣେତେଣେ ରାସ୍ତା ଉପରେ ଓ ଜୀବଜନ୍ତୁଙ୍କ ଖୁଆଡ଼ ପାଖରେ ବୁଲୁଥିବାରୁ ବୁଲା କୁକୁରଙ୍କ ଶିକାର ହେଉଛନ୍ତି। ଏହାଛଡ଼ା ହରିଣମାନେ ଦୌଡ଼ିବା ସମୟରେ କର୍ମଚାରୀ ଓ ପର୍ଯ୍ୟଟକ ସମ୍ମୁଖରେ ପଡ଼ିଲେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ଉଭୟ ହରିଣ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଆଜିକୁ ମିଶାଇ ମୋଟ ୧୨ଟି ହରିଣଙ୍କୁ ଗୋଡ଼ିବାରି ଜଙ୍ଗଲ ମଧ୍ୟରେ ଛଡ଼ା ଗଲାଣି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର