ଆଖି ବୁଜିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବୟସ୍କା ହାତୀ ପ୍ରେମା

ବାରଙ୍ଗ : ଶେଷରେ ଆଖି ବୁଜିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବୟସ୍କା ହାତୀ ପ୍ରେମା (୬୮)। କର୍ତ୍ତୃପକ୍ଷ ଓ ପ୍ରାଣୀ ଚିକିତ୍ସକଙ୍କ ଶତଚେଷ୍ଟା ତାକୁ ବଞ୍ଚାଇ ପାରିଲା ନାହିଁ। ଶୁକ୍ରବାର ଅପରାହ୍‌ଣରେ ପ୍ରେମାର ମୃତ୍ୟୁ ହୋଇଛି।

ଗତ ଜୁଲାଇରୁ ପ୍ରେମା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲା। ତା’ ଆଗ ପାଖ ବାମ ଗୋଡ଼ ପାଦର ନଖ ଫୁଲି ପୂଜ ଦେଉଥିଲା। ବୈଷୟିକ କମିଟି ଓ ସ୍ୱାସ୍ଥ୍ୟ କମିଟିର ମିଳିତ ସ୍ୱାସ୍ଥ୍ୟ ପରୀକ୍ଷା କରି ଜାଣିବାକୁ ପାଇଥିଲେ ଯେ ତା’ ଆଗ ପାଖ ବାମ ଗୋଡ଼ରେ ଏକ ଟ୍ୟୁମର୍‌ ହୋଇଛି। ଅସ୍ତ୍ରୋପଚାର ଜରିଆରେ ଉକ୍ତ ଟୁମର୍‌କୁ କଢ଼ାଯିବା ସହ କମିଟିର ପରାମର୍ଶକ୍ରମେ ନନ୍ଦନକାନନର ଚିକିତ୍ସକମାନେ ତା’ର ଚିକିତ୍ସା ଜାରି ରଖିଥିଲେ। କ୍ଷତ ସ୍ଥାନଟିକୁ ଶୋଧନ କରି ସେଥିରେ ଔଷଧ ଲଗା ଯାଇଥିଲେ ହେଁ ସେଠାରୁ ପୂଜ ବାହାରିବା ବନ୍ଦ ହୋଇନଥିଲା। ଫଳରେ ପ୍ରେମାର ଅବସ୍ଥା ବାରମ୍ୱାର ବିଗିଡ଼ିବାରେ ଲାଗିଥିଲା। ଅବସ୍ଥା ଏପରି ହେଲା ଯେ ପ୍ରେମା ଆଉ ସଳଖି ଛିଡ଼ା ହୋଇ ନପାରି ହାତୀଶାଳ ଚଟାଣରେ ଶୋଇ ରହିଲା। ଗତକାଲି ଅବସ୍ଥା ଗମ୍ଭୀର ହେବାରୁ ତାକୁ ଛିଡ଼ା କରିବା ଲାଗି ବିଶେଷଜ୍ଞଙ୍କ ସହାୟତା ଲୋଡ଼ା ଯାଇଥିଲା। ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ପ୍ରେମା ପେଟ ତଳେ ବେଲଟ୍‌ ବାନ୍ଧି ଏକ ମେସିନ୍‌ ସାହାଯ୍ୟରେ ତାକୁ ଉଠା ଯାଇଥିଲା। ଡାକ୍ତରୀ ଦଳ ପ୍ରେମାକୁ ସାଲାଇନ୍‌ ଦେବା ପରେ ସେ ଧୀରେ ଧୀରେ ଗୋଡ଼ ତଳେ ଲଗାଇବାକୁ ଚେଷ୍ଟା କରିଥିଲା। ହେଲେ ଛିଡ଼ା ହୋଇ ନ ପାରି ପୁଣି ତଳେ ବସି ପଡ଼ିଲା। ତାର ଅକ୍ଷମତାକୁ ଲକ୍ଷ୍ୟ କରି ତାକୁ ଆଉ ଛିଡ଼ା କରିବା ପାଇଁ ଚେଷ୍ଟା କରାଯାଇନଥିଲା। କିଛି ସମୟ ବସିବା ପରେ ପ୍ରେମା ପୁଣି ତଳେ ଶୋଇ ପଡ଼ିଥିଲା। ବିଶେଷଜ୍ଞ ଓ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ତାକୁ ନିୟମିତ ବ୍ୟବଧାନରେ ଉଭୟ ପାଖ ଲେଉଟାଇ ଶୋଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶୁକ୍ରବାର ଅପରାହ୍‌ଣରେ ତା’ର ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ, ପ୍ରେମାକୁ ୧୯୮୫ ମସିହାରେ ଭନ୍ଦାଲୁରୁରୁ ନନ୍ଦନକାନନକୁ ଅଣାଯାଇଥିଲା। ସେତେବେ‌ଳେ ତାକୁ ୩୧ବର୍ଷ ହୋଇଥିଲା। ପ୍ରେମାର ମୃତ୍ୟୁ ଫଳରେ ନନ୍ଦନକାନନର ହାତୀ ସଂଖ୍ୟା ୩କୁ ହ୍ରାସ ପାଇଛି। ଏବେ ବାସନ୍ତୀ(୫୮), ହୀରା (୨୪) ଓ ମାମା (୫)ରହିଛନ୍ତି।

ସମ୍ବନ୍ଧିତ ଖବର