ବାରଙ୍ଗ: ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଯୋଗଦେଇ ନବନିର୍ମିତ ସୁରକ୍ଷାକର୍ମୀ ଆବାସିକ କମ୍ପ୍ଲେକ୍ସ, ଲାଇବ୍ରେରି ଓ ଡିଜିଟାଲ୍ ହବ୍, ସଂରକ୍ଷଣ ଅନୁସନ୍ଧାନ ଓ ତାଲିମ କେନ୍ଦ୍ର, ପକ୍ଷୀ ସଙ୍ଗରୋଧ କେନ୍ଦ୍ର, ପର୍ଯ୍ୟଟକଙ୍କ ମନୋରଞ୍ଜନ ଓ ଆକର୍ଷଣ ଲାଗି କାଞ୍ଜିଆ ହ୍ରଦ କୂଳରେ ନିର୍ମିତ କରାଯାଇଥିବା ପରିଦର୍ଶନ କେନ୍ଦ୍ର ଓ ଉନ୍ନତିକରଣ କରାଯାଇଥିବା ହିମାଳୟ କଳା ଭାଲୁ ଖୁଆଡ଼କୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ କରିବା ଅବସରରେ ସେ କହିଛନ୍ତି, ନନ୍ଦନକାନନ ଆମ ଓଡ଼ିଶାର ଗର୍ବ ଓ ଗୌରବ। ଏହାର ବିକାଶ ପାଇଁ ମିଳିମିଶି କାମ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆମେ ନନ୍ଦନକାନନକୁ ନିଶ୍ଚିତ ଭାବେ ବିଶ୍ୱସ୍ତରୀୟ କରିବା ଓ ଡବଲ ଇଂଜିନ୍ ସରକାର ଏଥିପ୍ରତି ସମସ୍ତ ସହଯୋଗ ରହିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଦୁଇ ସିଂହ ଶାବକଙ୍କ ନାମ ସିମ୍ବା, କେଶରୀ ଓ ଆଲିପୁରରୁ ଆସିଥିବା ଦୁଇ ଜିରାଫଙ୍କ ନାମ ଆନନ୍ଦ ଓ ମୁସ୍କାନ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହିତ ଉଲ୍ଲେଖନୀୟ ସେବା ପାଇଁ କର୍ମଚାରୀ, ଜନ୍ତୁରକ୍ଷକ ଓ କୃତିତ୍ତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Advertisment

ନନ୍ଦନକାନନର ଆମ୍ବାସଡର୍‌ଙ୍କ ନାମ ଘୋଷଣା ହୋଇଥିଲା ବେଳେ ବାର୍ଷିକ ପୁସ୍ତକ ଓ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି। ସମ୍ମାନିତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଦେବିଦତ୍ତ ବିଶ୍ୱାଳ ଓ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝା ଯୋଗ ଦେଇଥିଲେ। ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି ନାୟର ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ ଏବଂ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ସହଶିକ୍ଷା ଅଧିକାରୀ ରୁକ୍‌ସାନା ପ୍ରଧାନ ପରିଚାଳନା କରିଥିଲେ ଓ ଶିକ୍ଷା ଅଧିକାରୀ ମିଳନ କୁମର ପଣ୍ଡା, ବାୟୋଲୋଜିଷ୍ଟ ରାଜେଶ କୁମର ମହାପାତ୍ରଙ୍କ ସମେତ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚ଼କ୍ରବର୍ତ୍ତି ମଞ୍ଚ ସମ୍ମୁଖକୁ ଆସି ସ୍ଥାନୀୟ ବାସିନ୍ଦା ଓ ଲୋକପ୍ରତିନିଧିଙ୍କୁ ଅବହେଳା, ଅସମ୍ମାନ କରାଯାଉଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।