ଭୁବନେଶ୍ୱର : ୨୪ ଘଣ୍ଟିଆ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ନନ୍ଦିଘୋଷ ଟିଭି ଆଜି ଲୋକାର୍ପିତ ହୋଇଛି। ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇ କହିଲେ, ଭଲ ଖବର ପରିବେଷଣ ପାଇଁ ଅଧିକ ଶାରୀରିକ ପରିଶ୍ରମ କରିବାକୁ ପଡ଼ିବ। ମାନବିକତା ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ। ବାଧ୍ୟବାଧକତା କି ଚାପରେ ନୁହେଁ, ବର˚ ସବୁ ଖବରକୁ ସମାନ ଢଙ୍ଗରେ ଦେଖିବା ହିଁ ଚ୍ୟାନେଲର ଧର୍ମ ହେବା ଉଚିତ। ନନ୍ଦିଘୋଷ ଟିଭି ଉତ୍କଳର ଐତିହ୍ୟକୁ ବିଶ୍ୱରେ ପ୍ରସାରିତ କରିବା ସହ ଗଣମାଧ୍ୟମ ଦୁନିଆରେ ବୈପ୍ଲବିକ ପରିବର୍ତନ ଆଣିବ।
ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଲେ, ଗଣମାଧ୍ୟମ ଆଜି କେବଳ ଗୋଟିଏ ସ୍ତମ୍ଭ ହୋଇ ରହିନି, ଅଙ୍ଗ ହୋଇଛି। ଶାସନ ବ୍ୟବସ୍ଥାର ମାର୍ଗଦର୍ଶନ ପାଲଟିଛି ଗଣମାଧ୍ୟମ। ଡିଜିଟାଲ ପ୍ଲାଟଫର୍ମରେ ଗଣମାଧ୍ୟମ ଆହୁରି ଆଗକୁ ବଢ଼ୁଛି। ତେଣୁ ସାମ୍ବାଦିକମାନେ ଧୀର ନ ହୋଇ ଅଳ୍ପ ସମୟରେ ଲୋକଙ୍କ ନିକଟରେ ଭଲ ଖବର ପହଞ୍ଚାଇବା ଆବଶ୍ୟକ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନନ୍ଦିଘୋଷ ଟିଭି ସାଧାରଣ ଲୋକଙ୍କ ପାଇଁ କାମ କରିବ ବୋଲି ଆଶା ପ୍ରକାଶ କରିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଦେଶର ୪ଟି ସ୍ତମ୍ଭ ମଜଭୁତ ନ ହେଲେ ଗଣତନ୍ତ୍ର କେବଳ ନାଁକୁ ମାତ୍ର ସମ୍ବିଧାନରେ ଲିପିବଦ୍ଧ ହୋଇ ରହିବ। ଏବେ ଦେଖାଯାଉଛି ଯେ ସମସ୍ତ ୪ଟି ଯାକ ସ୍ତମ୍ଭ ଦୁର୍ବଳ ହେଉଛି। ଏଭଳି ସମୟରେ ନନ୍ଦିଘୋଷ ଟିଭିର ଆବିର୍ଭାବ ୪ର୍ଥ ସ୍ତମ୍ଭକୁ ଆହୁରି ମଜଭୁତ କରିବ। ଗଣମାଧ୍ୟମ ପକ୍ଷପାତିତାରୁ ଦୂରେଇ ରହୁ। ବିଜ୍ଞାପନ ନେବା ଆଳରେ ଶିଳ୍ପ ସଂସ୍ଥା, ଉଦ୍ୟୋଗପତିଙ୍କ ନିକଟରେ ନିଜକୁ ବିକ୍ରି ନ କରୁ।
ଚ୍ୟାନେଲର ସିଓଓ ଜବରସି˚ହ ପନଵାର ସ୍ବାଗତ ଭାଷଣ ଦେଇଥିଲେ। ଚ୍ୟାନେଲ ସମ୍ପାଦକ ଶିଶିର ଭଟ୍ଟମିଶ୍ର କହିଲେ ନନ୍ଦିଘୋଷ ଟିଭି ଲୋକଙ୍କ ସହ ସବୁବେଳେ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/nandighos-tv.jpg)