ଆଉ କେହି ଟାହିଟାପରା କରୁନାହାନ୍ତି, ଭିକ୍ଷାବୃତ୍ତି ଛାଡ଼ି ବ୍ୟବସାୟ କଲେ ନନ୍ଦିନୀ କିନ୍ନର

ଭୁବନେଶ୍ବର: ସେ ବି ଦିନେ ଟ୍ରେନ୍‌ରେ ତାଳି ମାରି ଭିକ୍ଷାବୃତ୍ତି କରୁଥିଲେ। ବଜାରରେ ବୁଲିବୁଲି ପେଟ ପାଇଁ ହାତ ପାତୁଥିଲେ। ତାଙ୍କ ନିଃସହାୟତାର ସୁଯୋଗ ନେଇ ଅନେକ ତାଙ୍କୁ ଟାହିଟାପରା କରିଛନ୍ତି। ନାନୀ ଅପା କହି ବହୁ ବଦମାସ ତାଙ୍କ କାନୀ ଭିଡ଼ିଦେଇଛନ୍ତି। ସେ ଗାଳି ମାଡ଼ ଖାଇଛନ୍ତି। ପୁଣି ଗାଳି ମାଡ଼ ଦେଇଛନ୍ତି ମଧ୍ୟ। ହେଲେ ଏବେ ଏଥିରୁ ମୁକ୍ତ ନିନ୍ଦିନୀ କିନ୍ନର। ମର୍ଯ୍ୟାଦାର ସହ ବଞ୍ଚିବା ପାଇଁ ସେ ଭେରାଇଟି ଷ୍ଟୋର୍‌ ଖୋଲି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ବ୍ୟବସାୟ ବି ଭଲ ହେଉଛି। ଫଳରେ ୩୫ ବର୍ଷ ତଳେ ଯେଉଁ ଗ୍ଲାନିବୋଧରେ ସେ ନିଜ ପିତାମାତାଙ୍କୁ ଛାଡ଼ି ଚାଲି ଆସିଥିଲେ, ଆଜି ସେଇ ପିତାମାତାଙ୍କୁ ସେ ପୁଣି ଆପଣାଇ ପାରିଛନ୍ତି। ସାଧ୍ୟ ମୁତାବକ ବାପା ମା’ଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି। କିଛି କିନ୍ନର ଯେତେବେଳେ ପେଟ ପାଇଁ ଅନ୍ୟ ଉପାୟ ବାଛିନେଇଛନ୍ତି, ସେତେବେଳେ ନନ୍ଦିନୀ ଶିଖେଇ ଦେଇଛନ୍ତି, କିନ୍ନରମାନେ ବି କେମିତି ଆତ୍ମସମ୍ମାନର ସହ ବଞ୍ଚିପାରନ୍ତି।

ପୁରୁଣା ଭୁବନେଶ୍ବର କପିଳେଶ୍ବର ଅଞ୍ଚଳର ବାସିନ୍ଦା ନନ୍ଦିନୀଙ୍କୁ ଯେବେ ୧୩ ବର୍ଷ, ତାଙ୍କ ଶରୀରରେ ଅସ୍ବାଭାବିକ ପ୍ରକ୍ରିୟାମାନ ଦେଖାଗଲା। ଝିଅଙ୍କ ଭଳି ସଜେଇ ହେଲେ। ଝିଅଙ୍କ ସାଙ୍ଗେ ସାଙ୍ଗ ହେଲେ। ଝିଅଙ୍କ ଭଳି ଆଚରଣ ମଧ୍ୟ କଲେ। ଏହା ଦେଖି ବାପା, ଦାଦା ଓ ପରିବାରବର୍ଗ ତାଙ୍କୁ ତାଗିଦ୍‌ କଲେ। ମାରଧର କଲେ। ସାଙ୍ଗ ସାଥୀ ଥଟ୍ଟା ପରିହାସ କଲେ। ହେଲେ ସେଦିନର ସେଇ ୧୩ ବର୍ଷର ନନ୍ଦ ସେନାପତି ଆଉ ବଦଳିଲେ ନାହିଁ। ନନ୍ଦଙ୍କ ଏପରି ଅବସ୍ଥା ଦେଖି ତାଙ୍କ ମା’ ବହୁତ କାନ୍ଦିଲେ। ବାପା ମା’ଙ୍କ ଦୁଃଖ ଦେଖି ନନ୍ଦ ଆଉ ସହିପାରିଲେନି। ସବୁଦିନ ପାଇଁ ଘର ଛାଡ଼ି ପଳେଇ ଆସିଲେ। ଘରୁ ଗୋଡ଼ କାଢ଼ିବା ପରେ ସେ ନନ୍ଦ ସେନାପତିରୁ ପାଲଟିଗଲେ ନନ୍ଦିନୀ କିନ୍ନର।

ନନ୍ଦିନୀ କୁହନ୍ତି, ପୁରୁଷ ଓ ନାରୀର ଦୁଃଖ ବୁଝିବାକୁ ସମସ୍ତେ ଅଛନ୍ତି କିନ୍ତୁ ଆମ ଭଳି କିନ୍ନରମାନଙ୍କୁ କେବଳ ଆମ ନିଜ ଉଦ୍ୟମରେ ବଞ୍ଚିବାକୁ ପଡ଼ିବ। ପର ପାଖେ ହାତ ପତେଇ ବହୁଦିନ ବଞ୍ଚିବା ପରେ କିଛି ଟଙ୍କା ସଞ୍ଚି ଓ ଆଉ କିଛି ଟଙ୍କା ଉଧାର ଆଣି ୨ଲକ୍ଷ ଟଙ୍କାରେ ସେ ବ୍ୟବସାୟ ଆରମ୍ଭ କରିଛି। ଏଥିରେ ତାଙ୍କ ଗୁରୁ ମାଧୁରୀ କିନ୍ନରଙ୍କ ଅବଦାନ ରହିଛି ବୋଲି ସ୍ବୀକାର କରିଛନ୍ତି ନନ୍ଦିନୀ। ଯୁବା ବୟସ ଯାଇ ଏବେ ତାଙ୍କର ଯିବା ବୟସ ହେଲାଣି। ତେଣୁ ଅନ୍ତତଃ ଦୁନିଆରୁ ଯିବା ପୂର୍ବରୁ କିଛି ଦିନ ସମ୍ମାନର ସହ ବଞ୍ଚିଯିବା ପାଇଁ ତାଙ୍କର ଏହି ପରିକଳ୍ପନା। ଏବେ ଆଉ କେହି ନାନୀ ଅପା କହି କମେଣ୍ଟ କରିବେନି କି ଗାଳି ଦେବାକୁ ସାହସ କରିବେ ନାହିଁ। ନିଜ ମର୍ଜିରେ ସ୍ବାଭିମାନର ସହ ବଞ୍ଚିବେ ନନ୍ଦିନୀ କିନ୍ନର।

ସମ୍ବନ୍ଧିତ ଖବର