ଓଡ଼ିଆ ଝିଅ ନନ୍ଦିତା ଦାସ କେବଳ ଭାରତରେ ନୁହେଁ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଜଗତରେ ଏକ ପରିଚିତ ନାଁ। ୧୦ଟି ଭାଷାରେ ୩୦ଟି ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ଅଜସ୍ର ସ୍ୱୀକୃତି ସାଉଁଟିଥିବା ନନ୍ଦିତା ନିଜ କଳାତ୍ମକ ଅଭିନୟ ପାଇଁ ଦର୍ଶକ ମହଲରେ ଯେତିକି ପରିଚିତ ସୁନ୍ଦର ଶରୀର ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସେତିକି ଅନୁକରଣୀୟ। ତେବେ ନନ୍ଦିତାଙ୍କ କହିବା ମୁତାବକ, ମୁଁ ଜୀବନରେ କେବେ ବି ଜିମ୍ ଯାଇନାହିଁ। କେବେ ବି ଡାଏଟିଂ କରିନି। କିନ୍ତୁ ଯୋଗ ହିଁ ମୋ ପାଇଁ ଆଶୀର୍ବାଦ ହୋଇଛି। ଆଗରୁ ଫିଟ୍ନେସ୍ ପାଇଁ ଯୋଗ ଲାଗି ଯଥେଷ୍ଟ ସମୟ ଦେଉଥିଲି। ସପ୍ତାହକୁ ୩ଦିନ ଯୋଗ ପ୍ରାଣାୟାମ କରୁଥିଲି। ତେବେ ସବୁଥିରେ ନିୟମିତତା ମତେ ଫିଟ୍ ରଖିଛି। ମୁଁ ଠିକ୍ ସମୟରେ ଖାଏ, ରାତିରେ ଯଥେଷ୍ଟ ଶୁଏ, ପ୍ରଚୁର ପାଣି ପିଏ। ଏହା ହିଁ ମତେ ସୁସ୍ଥ ଓ ଫିଟ୍ ରଖି ଆସିଛି। ଯଦି ମନଟି ସବୁବେଳେ ଖୁସି ଅଛି ତାହା ହିଁ ଆପଣଙ୍କୁ ଫିଟ୍ ରଖିବାରେ ସାହାୟକ ହେବ ବୋଲି ମୁଁ ଭାବେ।
ଅଭୁଲା ଚଗଲା ଦିନ : ଗାଁ ପୋଖରୀ ଗାଧୁଆ, ମାଛଧରା ଭୁଲିପାରୁନି
ଯେବେ ମୁଁ ସାନ ଥିଲି ଆମେ ଗୋଟେ ଟ୍ରେନ୍ରେ ବାଲେଶ୍ୱର ଆସୁଥିଲୁ। ପୁଣି ସେଠୁ ବସ୍ ଧରି ଦେଉଳସାହି ଛକରେ ଏକ ରିକ୍ସା ଧରି ଘରକୁ ଆସୁଥିଲୁ। ସେତେବେଳେ ରିକ୍ସାରେ ବସିବା ପାଇଁ ମୁଁ ଏତେ ଉତ୍ସୁକ ଥିଲି ଯେ ତାହା ବ୍ୟକ୍ତ କରିହେବନି। ରିକ୍ସାରେ ଯିବା ବେଳେ ଧଡ଼ଧଡ଼ ହୋଇ ଯିବା ବେଳର ମଜାକୁ ମୁଁ ଖୁବ୍ ଉପଭୋଗ କରୁଥିଲି ବୋଲି କୁହନ୍ତି ଅଭିନେତ୍ରୀ ନନ୍ଦିତା ଦାସ। ଆଉ ଏକ କଥା ମୁଁ ଯାହା ମୋ ମନରୁ କେବେ ବି ପାସୋରି ପାରେନି ତାହା ହେଲା ଗାଁ ପୋଖରୀ ଆଉ ପଖାଳ। ଯେବେ ବି ଦେଉଳସାହିକୁ ଆସୁଥିଲି ପୋଖରୀରେ ଧୁମ୍ ଗାଧୋଉଥିଲି। ସାଙ୍ଗମାନଙ୍କ ସହିତ ମିଶି ମାଛ ଧରୁଥିଲି। ଗାଧୋଇ ଆସିବା ପରେ ପଖାଳ କଂସା ଦେଖିବା ମାତ୍ରେ ପାଟି ଆପେଆପେ ଓଦା ହେଇ ଯାଉଥିଲା। ସେଇଟା ହିଁ ଥିଲା ମୋ’ର ବାସ୍ତବ ଜୀବନ। ଯେତେବେଳେ ମୁଁ ଓଡ଼ିଶା ଆସେ ମୋ’ର ପ୍ରଥମ ଡିମାଣ୍ଡ୍ ଥାଏ ପଖାଳ, ବଡ଼ିଚୂରା, ସନ୍ତୁଳା, ମାଛଭଜା। ଏତିକି ହେଇଗଲେ ମତେ ଓଡ଼ିଶା ଓଡ଼ିଶା ବାସେ। ମୋ’ ଜୀବନର ଏହି ସ୍ମୃତିଗୁଡ଼ିକ ଅତ୍ୟନ୍ତ ମୂଲ୍ୟବାନ। ଆଗରୁ ଯୌଥ ପରିବାରରେ ରହି ପରିବାରକୁ ଯେଉଁଭଳି ଉପଭୋଗ କରୁଥିଲି ଆଜି ସେ ସବୁର ଅଭାବବୋଧ ବି ଅନୁଭବ କରିଛି। ମୋ ଛୁଆ ସେ ଜୀବନକୁ ଉପଭୋଗ କରି ନପାରିବା ହିଁ ମୋ’ର ସବୁଠୁ ବଡ଼ ଦୁଃଖ।