ସାରସ୍ୱତ ସାଧକ ନରହରି ଉପାଧ୍ୟାୟଙ୍କ ପରଲୋକ

ଭୁବନେଶ୍ୱର : ଅବସରପ୍ରାପ୍ତ ଓଡ଼ିଶା ଅର୍ଥ ସେବା ଅଧିକାରୀ ତଥା କଳା, ସାହିତ୍ୟ ଓ ସଂସ୍କୃତିର ସାଧକ ନରହରି ଉପାଧ୍ୟାୟଙ୍କ ଜାନୁଆରି ୨୯ ତାରିଖରେ ପରଲୋକ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଜାଗୁଳେଇପଡ଼ା ଗାଁରେ ଭିକାରୀ ଉପାଧ୍ୟାୟ ଓ କ୍ଷେତ୍ରମଣି ଦେବୀଙ୍କ ଔରସରୁ ଜନ୍ମିତ ଶ୍ରୀ ଉପାଧ୍ୟାୟ ୧୯୫୨ରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ। ପରେ ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ ଭାବେ ରାଜ୍ୟ ସଚିବାଳୟରେ ଯୋଗ ଦେଇଥିଲେ। ୧୯୮୭ରେ ସେ ଚାକିରିରୁ ଅବସର ନେଇଥିଲେ। ଚାକିରି କାଳ ମଧ୍ୟରେ ଓ ପରେ ସେ ନିଜକୁ ସାହିତ୍ୟ ସାଧନାରେ ମଗ୍ନ ରଖିଥିଲେ। ତାଙ୍କ ଦ୍ୱାରା ଲିଖିତ ଶତାଧିକ କବିତା, ପ୍ରବନ୍ଧ, ନାଟକ ଓ ସମାଲୋଚନା ରାଜ୍ୟର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ସେ ‘ପୌରୁଷ’ର ଜଣେ ନିୟମିତ ଲେଖକ ଥିଲେ। ଏତଦ୍‌ବ୍ୟତୀତ ଶ୍ରୀରାମ ଲୀଳା ନାଟ୍ୟ ସ୍ରଷ୍ଟା ଭାବେ ସେ ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଗୀତି କବିତା, ଛନ୍ଦ କବିତା, ପ୍ରବନ୍ଧ ଆଲୋଚନା ସହିତ ୭ ଖଣ୍ଡ ରାମାୟଣର ନାଟ୍ୟ ରୂପ ଦେଇ ଈଶ୍ୱରୀୟ ଭାବଧାରାର ଏକ ଅନ୍ତଃସ୍ରୋତ ସୃଷ୍ଟି କରିବାରେ ତାଙ୍କୁ ସଫଳତା ମିଳିଛି। ୮୦୯ ପୃଷ୍ଠା ବିଶିଷ୍ଟ ‘ନରହରି ଗ୍ରନ୍ଥାବଳୀ’ ଓ ୧୯୪୮ରେ ତାଙ୍କ ରଚିତ ‘ଭୂତକେଳି’ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏତଦ୍‌ବ୍ୟତୀତ ଶ୍ରୀରାମ ନାଟ୍ୟଧାରା, ରାମଲୀଳା ଗ୍ରନ୍ଥମାଳା, ରାମ ସଂଗୀତ ସମାରୋହ, ସନ୍ଥ ବ୍ରହ୍ମ ବୈକୁଣ୍ଠନାଥ, ଆଧ୍ୟାତ୍ମିକ ଜୀବନ ଓ ‘ଅ’ଠାରୁ ‘କ୍ଷ’ ଯାଏ ଜଗନ୍ନାଥ ଜଣାଣ ଲେଖକ ଭାବେ ସ୍ୱର୍ଗତ ଉପାଧ୍ୟାୟ ନିଜର ସ୍ୱତନ୍ତ୍ର ସ୍ଥାନ ଛାଡ଼ି ଯାଇଛନ୍ତି। ରାମାୟଣକୁ ନାଟ୍ୟ ରୂପ ଦେଇଥିବାରୁ ତାଙ୍କୁ ଯଦୁମଣି ସଂସଦ ସମ୍ମାନ, ମିଳନୀ ସାହିତ୍ୟ ସଂସଦ, ଗୋଦାବରୀଶ ସାହିତ୍ୟ ସଂସଦ, କଳିଙ୍ଗ ସାଂସ୍କୃତିକ ସଂଗଠନ ଓ ୨୦୦୫ରେ କୋଣାର୍କ ସାହିତ୍ୟ ଉତ୍ସବ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର