ଭୁବନେଶ୍ବର : ସପ୍ନ ଓ ନିଷ୍ଠୁର ବାସ୍ତବତା ମଝିରେ ଦୋଳାୟମାନ ପ୍ରେମକୁ ସବୁବେଳେ କଷଟି ପଥରରେ ପରୀକ୍ଷା ଦେବାକୁ ହୁଏ। ପୁଣି ପ୍ରେମରେ ଏତେ କୁହୁକତା ଲୁଚି ରହିଥାଏ ଯେ ମଣିଷ ବିଶ୍ୱାସ କରେ ଯେ ପ୍ରେମର ବନ୍ଧନ ହିଁ ତାର ମୁକ୍ତି। ତେଣୁ ପ୍ରେମିକ ସ୍ମୃତିର କଙ୍କାଳ ସହ ପ୍ରେମର ଜୀବାଶ୍ମ ସହ ବାକି ଜୀବନ ବଞ୍ଚିରହେ। ଏଭଳି ଏକ କଥା ବସ୍ତୁକୁ ନେଇ ‘ସୃଜନୀ’ ଆନୁକୂଲ୍ୟରେ ଆୟୋଜିତ ‘ନାରାୟଣ ନାଟ୍ୟ ମହୋତ୍ସବ ୨୦୨୩’ର ପ୍ରଥମ ସନ୍ଧ୍ୟାରେ ପ୍ରଥମ ନାଟକ ଭାବେ ମଞ୍ଚସ୍ଥ ହୋଇଛି ‘ନାରୀର କଙ୍କାଳ’। ଅସୀମ ବସୁ ଫାଉଣ୍ଡେସନ୍ ଏହାକୁ ପରିବେଷଣ କରିଥିବା ବେଳେ ନାଟ୍ୟକାର ଥିଲେ ପ୍ରଶାନ୍ତ ପ୍ରକାଶ ଓ କଲ୍କୀ କେକ୍ଲା। ଏହାର ଓଡି଼ଆ ରୂପାନ୍ତର ଶକ୍ତି ମହାନ୍ତି କରିଥିବା ବେଳେ ଦେବଦତ୍ତ ପତି ନିର୍ଦ୍ଦେଶନା ଦେଇଥିଲେ। ଉତ୍ସବର ଦ୍ବିତୀୟ ନାଟକ ଥିଲା ‘ପରୀ’, ଯାହାକୁ ପରିବେଷଣ କରିଥିଲା ‘ଟିମ୍’ ଅନୁଷ୍ଠାନ।
ଆଜିର ସମାଜରେ ନାରୀ କିପରି ନିର୍ଯ୍ୟାତିତ ହେଉଛି, ବିଶ୍ୱାସରେ ବିଷଦେଇ ସମାଜ କିପରି ଜଣେ ନାରୀର ଚରିତ୍ର ସଂହାର ଜରୁଛି ଏବଂ ନାରୀ କିପରି ସଂଘର୍ଷ କରୁଛି ଆଜୀବନ- ଏହାର ସୁନ୍ଦର ଚିତ୍ର ଥିଲା ସେ ନାଟକରେ। ଶତ୍ରୁଘ୍ନ ସାମଲ ଏହାକୁ ରଚନା କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ତଥା ନାଟ୍ୟକାର ସ୍ବର୍ଗତ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ସ୍ମୃତିରେ ସମର୍ପିତ ଏହି ନାଟ୍ୟ ମହୋତ୍ସବରେ ୮ଟି ନାଟ୍ୟସଂସ୍ଥା ଅଂଶ ଗ୍ରହଣ କରିଛନ୍ତି। ଆଜି ପ୍ରଥମ ସନ୍ଧ୍ୟାରେ ଅତିଥି ଭାବେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପରିବେଶବିତ୍ ଦିଲିପ ଶ୍ରୀଚନ୍ଦନ, ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍ ଓ ଶଙ୍କର୍ଷଣ ପରିଜା ଯୋଗଦେଇଥିଲେ। ‘ସୃଜନୀ’ର ସଭାପତି ଶରତ ରାଉତଙ୍କ ସଭାପତିତ୍ବରେ ସମ୍ପାଦକ ଚିତ୍ତରଞ୍ଜନ ରାୟମହାପାତ୍ରଙ୍କ ଦ୍ୱାରା ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ସଭାରେ ସୂର୍ଯ୍ୟନାରାୟଣ ଦାସ ନୃସିଂହ ମହାପାତ୍ର, ଶଶି ପ୍ରଭା ଦାସ, ଅବିକ୍ଷଣ ମହାରଣା, ପ୍ରଜ୍ଞା ରଥ, ପ୍ରସନ୍ନ ରଥ ଓ ମାନସ ରଞ୍ଜନ ରାୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।