ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ନିଶା କାରବାର ବେକାବୁ ହେବାରେ ଲାଗିଛି। ପୁଲିସ୍, ଅବକାରୀ ବିଭାଗ ଓ ଏସ୍ଟିଏଫ୍ ନିୟମିତ ଭାବେ ରାଜଧାନୀରୁ ଗଞ୍ଜେଇ, ବ୍ରାଉନ୍ସୁଗାର୍, ହେରୋଇନ୍, ଚୋରା ମଦ ଆଦି ଜବତ କରୁଛି। ମାଫିଆ, ଖୁଚୁରାବେପାରୀଙ୍କୁ ବି ଗିରଫ କରୁଛି। କିନ୍ତୁ ନିଶା କାରବାର ଉପରେ ରୋକ୍ ଲାଗିପାରୁନାହିଁ। ଗତ ୫ମାସରେ ରାଜଧାନୀରେ ନିଶାକାରବାର ତଥ୍ୟ ଦେଖିଲେ ସ୍ପଷ୍ଟ ବାରି ହେଉଛି।
ଗତ ୫ମାସ ମଧ୍ୟରେ ଅପରେସନ୍ ହ୍ବାଇଟ୍ ସ୍ପାଇଡର୍ ମାଧ୍ୟମରେ କମିସନରେ୍ଟ ପୁଲିସ ରାଜଧାନୀର ସହରାଞ୍ଚଳ ଓ ଉପକଣ୍ଠରୁ କୋଟିଏରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରିଛି। ସେହିପରି ଏହି ବେଆଇନ ନିଶା କାରବାରରେ ସଂପୃକ୍ତ ୭୮ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ତେବେ କମିସନରେଟ୍ ପୁଲିସ ଅନ୍ତର୍ଗତ ବିଭିନ୍ନ ଥାନାରେ ୧୮ଟି ବ୍ରାଉନ୍ସୁଗାର୍ କାରବାରଜନିତ ମାମଲା ରୁଜୁ କରାଯାଇ ୪୨ଜଣ ନିଶାବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୮୨୨ ଗ୍ରାମ ବ୍ରାଉନ୍ସୁଗାର୍, ନଗଦ ୯୮ହଜାର ଟଙ୍କା, ୩ଟି ଚାରିଚକିଆ, ୯ଟି ବାଇକ୍, ୨୦ଟି ମୋବାଇଲ୍ ଜବତ କରାଯାଇଛି। ସେହିପରି ୧୫ଟି ଚୋରା ଗଞ୍ଜେଇ ଚାଲାଣ ମାମଲାରେ ପୁଲିସ ୩୬ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ କ୍ବିଣ୍ଟାଲ୍୧୮ କେଜି ଗଞ୍ଜେଇ, ନଗଦ ୨୫ହଜାର ଟଙ୍କା, ୨ଟି ଚାରିଚକିଆ, ୮ଟି ବାଇକ୍ ଓ ୮ଟି ମୋବାଇଲ୍ ଜବତ କରାଯାଇଛି।
୪ ବ୍ରାଉନ୍ସୁଗାର୍ ବେପାରୀ ଗିରଫ
ଭୁବନେଶ୍ବର: ରାଜଧାନୀରେ ବ୍ରାଉନ୍ସୁଗାର୍ କାରବାର କରୁଥିବା ଅଭିଯୋଗରେ ୪ ବେପାରୀଙ୍କୁ ମୈତ୍ରୀବିହାର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ସାଲିଆସାହି ଏକାମ୍ରଭିଲ୍ଲା ଅଞ୍ଚଳର ଚନ୍ଦନ ବେହୁରିଆ(୨୪), ବଡ଼ଗଡ଼ ମଇଁଷିଖାଲ ବସ୍ତିର ଡି. ରାଜା(୨୪), କିଶୋର ଲେଙ୍କା(୪୦) ଓ ବୋଲଗଡ଼ ଦିଘିରି ଅଞ୍ଚଳର ହରବନ୍ଧୁ ପ୍ରଧାନ ଓରଫ ହରେଶ(୪୬)। ପୁଲିସ ସେମାନଙ୍କ ନିକଟରୁ ୪୦ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର୍, ଗୋଟିଏ ସ୍କୁଟି ଓ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି। ଜବତ ବ୍ରାଉନ୍ସୁଗାର୍ର ମୂଲ୍ୟ ୪ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ଗତକାଲି ରାତିରେ ଏହି ଗ୍ୟାଙ୍ଗ୍ ସାଲିଆସାହି ନିକଟରେ ଧଳାଜହର ବିକ୍ରି କରିବାକୁ ଗରାଖଙ୍କୁ ଅପେକ୍ଷା କରିଥିବା ବେଳେ ପୁଲିସ ଟିମ୍ ଅତର୍କିତ ଚଢ଼ଉ କରି ୪ଜଣଙ୍କୁ କାବୁ କରିଥିଲା। ଡି. ରାଜା ନାଁରେ ବଡ଼ଗଡ଼ ଥାନାରେ ୧୫ଟି ଓ କିଶୋର ନାଁରେ ବଡ଼ଗଡ଼ ଥାନାରେ ୯ଟି ଅପରାଧିକ ମାମଲା ରହିଛି। ସେହିପରି ଚନ୍ଦନ ନାଁରେ ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଓ ମୈତ୍ରୀବିହାର ଥାନାରେ ୩ଟି ମାମଲା ରହିଛି।