ଭୁବନେଶ୍ବର: କେନ୍ଦ୍ରାଞ୍ଚଳ ପୁଲିସ ରେଞ୍ଜରେ ନିଶା ମାଫିଆଙ୍କୁ ଦମନ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଗଞ୍ଜେଇ ଓ ବ୍ରାଉନ୍ସୁଗାର ଭଳି ଉତ୍କଟ ନିଶା କାରବାର ରୋକିବା ପାଇଁ ରେଞ୍ଜ ଅଧୀନରେ ଥିବା ୭ଟି ପୁଲିସ ଜିଲ୍ଲାରେ ଚଢ଼ଉ ଆରମ୍ଭ ହୋଇଛି। ମୋଟ ୪ କୋଟି ୯୬ ଲକ୍ଷ ୬୧ ହଜାର ୨୬୭ ଟଙ୍କାର ବ୍ରାଉନ୍ସୁଗାର ଓ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୨୭୩ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ୧୪୫ଟି ମାମଲା ରୁଜୁ ହୋଇଛି। ସର୍ବାଧିକ ବ୍ରାଉନ୍ସୁଗାର ଖୋର୍ଦ୍ଧା ଜିଲ୍ଲାରୁ ଜବତ ହୋଇଥିବା ବେଳେ ସର୍ବାଧିକ ଗଞ୍ଜେଇ ନୟାଗଡ଼ ଜିଲ୍ଲାରୁ ଜବତ ହୋଇଛି। କେନ୍ଦ୍ରାଞ୍ଚଳ ପୁଲିସ ଜିଲ୍ଲାରେ ଥିବା ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ନିଶା ମାଫିଆଙ୍କୁ ସାବାଡ଼ କରିବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଅକ୍ଟୋବର ୨୯ ସୁଦ୍ଧା ବ୍ରାଉନ୍ସୁଗାର କାରବାର ମାମଲାରେ ୮୧ଟି ମାମଲା ରୁଜୁ ହୋଇଛି।
ଗଞ୍ଜେଇରେ ନୟାଗଡ଼ ୧ନମ୍ବର
ନିଶା ମାଫିଆଙ୍କ ଉପରେ ପ୍ରହାର
ଏହି ମାମଲାରେ ମୋଟ ୪ କେଜି ୨୨ ଗ୍ରାମ ୪୨୮ ମିଲିଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନ୍ସୁଗାରର ମୂଲ୍ୟ ୪ କୋଟି ୨୪ ଲକ୍ଷ ୪୬ ହଜାର ୫୪୦ ଟଙ୍କା। ଏହି ମାମଲାକୁ କେନ୍ଦ୍ର କରି ମୋଟ ୧୬୮ ଜଣ ନିଶା ମାଫିଆ ଗିରଫ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ କୋଟି ୬୧ ଲକ୍ଷ ୬୬ ହଜାର ୧୮୦ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି। ମୋଟ ୨୫ଟି ମାମଲା ରୁଜୁ ହୋଇଥିବା ବେଳେ ୫୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିଭଳି ଜଗତସିଂହପୁର ଜିଲ୍ଲାରୁ ୯୮ ଲକ୍ଷ ୬୪ ହଜାର ୯୬୦ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି। ୧୭ଟି ମାମଲା ଓ ୪୧ ଜଣ ଗିରଫ ହୋଇଛନ୍ତି। ପୁରୀ ଜିଲ୍ଲାରେ ୧୮ଟି ମାମଲା, ୩୭ ଗିରଫ ଓ ୯୪ ଲକ୍ଷ ୧୬ ହଜାର ୪୦୦ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି। କଟକରେ ୫ଟି ମାମଲାରେ ୫ ଜଣ ଗିରଫ ହୋଇଥିବାବେଳେ ୩୦ ଲକ୍ଷ ୩ ହଜାର ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି। କେନ୍ଦ୍ରାପଡ଼ାରେ ୨ଟି ମାମଲାରେ ୨ ଜଣ ଗିରଫ ହୋଇଥିବାବେଳେ ୧୯ ଲକ୍ଷ ୬୦ ହଜାର ଟଙ୍କାର ବ୍ରାଉନ୍ସୁଗାର, ନୟାଗଡ଼ରେ ୮ଟି ମାମଲାରେ ୧୩ ଗିରଫ, ୧୩ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନ୍ସୁଗାର ଏବଂ ଯାଜପୁର ଜିଲ୍ଲାରେ ୬ଟି ମାମଲାରେ ୧୧ ଜଣ ଗିରଫ ହୋଇଥିବାବେଳେ ୬ ଲକ୍ଷ ୬୬ ହଜାର ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି।
ସେହିଭଳି ମୋଟ ୬୪ଟି ଗଞ୍ଜେଇ ମାମଲା ରୁଜୁ ହୋଇଛି। ୧୧ ଶହ ୭ କେଜି ୫୭୮ ଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୭୨ ଲକ୍ଷ ୧୪ ହଜାର ୭୨୭ ଟଙ୍କା ଆକଳନ କରାଯାଉଛି। ଏହି କାରବାରରେ ୧୦୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୨୯ ଲକ୍ଷ ୪୪ ହଜାର ୫୦୦ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ୫୯ ଜଣ ଗିରଫ ହୋଇଛନ୍ତି। ପୁରୀ ଜିଲ୍ଲାରେ ୨୦ ଲକ୍ଷ ୬ ହଜାର ଟଙ୍କା ଗଞ୍ଜେଇ ଜବତ ଓ ୧୧ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୯ଲକ୍ଷ ୮୪ ହଜାର ୨୪୦ ଟଙ୍କାର ଗଞ୍ଜେଇ ଜବତ ଓ ୯ ଜଣ ଗିରଫ ହୋଇଛନ୍ତି। କଟକ ଜିଲ୍ଲାରେ ୬ ଲକ୍ଷ ୭୩ ହଜାର ୪୫୫ ଟଙ୍କା ଗଞ୍ଜେଇ ଜବତ ଓ ୧୦ ଜଣ ଗିରଫ ହୋଇଛନ୍ତି। ଯାଜପୁର ଜିଲ୍ଲାରେ ୩ ଲକ୍ଷ ୬୯ ହଜାର ୩୩୨ ଟଙ୍କାର ଗଞ୍ଜେଇ ଜବତ ଓ ୮ ଜଣ ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ୧ ଲକ୍ଷ ୩୦ ହଜାର ଟଙ୍କାର ଗଞ୍ଜେଇ ଜବତ ଓ ଜଣେ ଗିରଫ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାରେ ୧ ଲକ୍ଷ ୭ ହଜାର ୨୦୦ ଟଙ୍କାର ଗଞ୍ଜେଇ ଜବତ ହୋଇଥିବାବେଳେ ୭ ଜଣ ଗିରଫ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/01/hfshfhxvbbvbv-2025-11-01-01-52-47.jpg)