ବିଭିନ୍ନ ସ୍କୁଲରେ ‘ପରୀକ୍ଷା ପେ ଚର୍ଚ୍ଚା’ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ଆଗକୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା। ସିବିଏସ୍‌ଇ, ଆଇସିଏସ୍‌ଇ, ଆଇଏସ୍‌ଇ ପରି ଜାତୀୟସ୍ତରୀ ବୋର୍ଡ ସମେତ ବିଭିନ୍ନ ରାଜ୍ୟର ବୋର୍ଡ ପରୀକ୍ଷା ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ। ଏଥିସହ ବିଭିନ୍ନ ପ୍ରବେଶିକା ପରୀକ୍ଷା ବି ଏହି ସମୟରେ କରିବାକୁ ଦିନ ଧାର୍ଯ୍ୟ ହୋଇଛି। ତାହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛାତ୍ରଛାତ୍ରୀଙ୍କୁ ଟିପ୍‌ସ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦୀର୍ଗଦର୍ଶନ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଚାପ ମୁକ୍ତ ରହିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି। ଆଉ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତାକୁ ସବୁ ପିଲାଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜଧାନୀର ବିଭିନ୍ନ ସ୍କୁଲରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା।

ସରକାରୀ ସ୍କୁଲ ତୁଳନାରେ ଘରୋଇ ବିଦ୍ୟାଳୟଗୁଡ଼ିକ ଅଧିକ ଆଗ୍ରହ ପ୍ରକାଶ କରିଥିଲେ। କ୍ୟାମ୍ପସରେ ପ୍ରୋଜେକ୍ଟର ଲଗାଇ ପିଲାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତା ପହଞ୍ଚାଇଥିଲେ। କେତେକ ସରକାରୀ ସ୍କୁଲଗୁଡ଼ିକ ମଧ୍ୟରେ ଏଲଇଡି ମାଧ୍ୟମରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରିଥିବା ବେଳେ ଆଉ କିଛି ବିଦ୍ୟାଳୟ ବିଭିନ୍ନ ଆଳ ଦେଖାଇ ଏଥିରୁ ଦୂରେଇ ରହିଥିଲେ। ପ୍ରାୟ ଏକ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଦୁଇ ହଜାର ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଟିପ୍‌ସ ଦେଇ କହିଲେ ଆଜିର ଯୁବପିଢ଼ି ଗୁଗୁଲରେ ସର୍ଚ୍ଚ କରି ଅନେକ କଥା ଜାଣୁଛନ୍ତି। ଟ୍ରେନ ଠିକ୍ ସମୟରେ ଆସୁଛି କି ନାହିଁ ସେ ବାବଦରେ ଗୁଗୁଲ ଦ୍ୱାରା ଅପଡେଟ୍ ହେଉଛନ୍ତି। କିଛି ଜାଣିବାକୁ ହେଲେ କାହାର ସାହାଯ୍ୟ ନେବା ଦରକାର ନାହିଁ। ବରଂ ଜ୍ଞାନ କୌଶଳର ବ୍ୟବହାର ବାବଦରେ ଜାଣିବା ଦରକାର। ଆଜିର ପିଢ଼ି ସ୍ମାର୍ଟ ଫୋନରେ ସମୟ ବିତାଉଛନ୍ତି। ସ୍ମାର୍ଟ ଫୋନ ଯେତିକ ସମୟ ଚୋରି କରୁଛି ସେଥିରୁ ୧୦ ପ୍ରତିଶତ ସମୟ ବାହାର କରି ପରିବାର ଲୋକଙ୍କ ସହ ଅତିବାହିତ କରିବା ଦରକାର। କେବଳ ପରୀକ୍ଷାରେ ପାସ୍ କରି ମାର୍କ ରଖିବା ଜୀବନର ଅର୍ଥ ନୁହେଁ। ଅଭିଭାବକମାନେ ତାଙ୍କ ପୁଅ, ଝିଅ ଉପରେ ପରୀକ୍ଷା ବୋଝ ନ ଦିଅନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ବାଦଶ ଶ୍ରେଣୀର ଛାତ୍ରୀ କୋମଲ୍‌ କ୍ରିଷ୍ଣା ସେନାପତିଙ୍କ କହିବାନୁଯାୟୀ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ମାନସିକ ଅବସାଦ ବିଷୟରେ କହିଥିଲେ। ମୁଡ୍‌ ଅଫ୍‌ ବିଷୟକୁ ନେଇ କହିଥିଲେ ଯେ, ଆମେ ନିଜେ ପ୍ରଥମେ ବୁଝିବା ଦରକାର ଯେ କ’ଣ ପାଇଁ ପାଇଁ ଆମର ମୁଡ୍‌ ଅଫ୍‌ ଅଛି। ତେବେ ଏହାର ଉତ୍ତର ପାଇଯିବା। ଏଥିସହ ପ୍ରଧାନମନ୍ତ୍ରୀ ଆତ୍ମ ନିୟନ୍ତ୍ରଣ ସମ୍ପର୍କରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ। ଦଶମ ଶ୍ରେଣୀ ଛାତ୍ରୀ ପ୍ରକ୍ରିତି ମହାନ୍ତି କହିଲେ ନିଜର ଜ୍ଞାନକୁ ସକାରତ୍ମକ ରୂପେ ବଢ଼ାଇବାକୁ ହେଲେ ସାମାଜିକ ଗଣମାଧ୍ୟମଠୁ ଦୂରକୁ ନ ଯାଇ ଏହାର ଟେକନିକ୍‌ ଆପଣେଇବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶ୍ଚିତ ରୂପେ ସାମାଜିକ ଗଣମାଧ୍ୟମକୁ ଆମେ ବହୁତ ସମୟ ଦେଇଥାଉ। ତେଣୁ ଏହା ଉପରେ ନିୟନ୍ତ୍ରଣ ଦରକାର।

ସମ୍ବନ୍ଧିତ ଖବର