ଭୁବନେଶ୍ବର: ଭରତପୁର ଥାନା ବିବାଦ ପ୍ରସଙ୍ଗରେ ଆଜି କ୍ରାଇମ୍‌ବ୍ରାଞ୍ଚ୍‌ କ୍ୟାପ୍‌ଟେନ୍‌ ଗୁରୁବଂଶ ସିଂଙ୍କ ବୟାନ ରେକର୍ଡ କରିଛି। ୧୨୦ ବାଟାଲିୟନ୍‌ରେ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀମାନେ ଗୁରୁବଂଶଙ୍କୁ ପ୍ରାୟ ୩ ଘଣ୍ଟା କାଳ ପଚରାଉଚରା କରିଥିବା ଜଣାପଡ଼ିଛି। ଭାରତୀୟ ଶିଖ୍‌ ରେଜିମେଣ୍ଟ୍‌ର କ୍ୟାପ୍‌ଟେନ୍‌ ଗୁରୁବଂଶ ସିଂ ଘୋସାଲ୍‌ ଘଟଣା ରାତିର ସମସ୍ତ ବିବରଣୀ ଦେଇଛନ୍ତି। ବାନ୍ଧବୀ ଅଙ୍କିତାଙ୍କ ସହ ସେ ପବ୍‌ରେ କେତେ ସମୟ ରହିଥିଲେ ଏବଂ ସେଠାରୁ ଫେରିବା ସମୟରେ ପଥରଗାଡ଼ିଆ ସୁନ୍ଦରପୁର ଛକରେ କିଭଳି ଛାତ୍ରମାନଙ୍କ ସହ ପାଟିଚୁଣ୍ଡ ହେଲା, ସେସବୁରୁ ପଚରାଉଚରା ଆରମ୍ଭ ହୋଇଥିଲା। ବୟାନ ରେକର୍ଡର ମୁଖ୍ୟ ପ୍ରସଙ୍ଗ ଥିଲା ଥାନାରେ ଘଟିଥିବା ଘଟଣା।

Advertisment

ଥାନାରେ ପହଞ୍ଚିବା ପରେ କାହାକୁ ପ୍ରଥମେ ଅଭିଯୋଗ କଲେ, ଉପସ୍ଥିତ ଥିବା କନେଷ୍ଟବଳ ବା ସେଣ୍ଟ୍ରି ସେମାନଙ୍କୁ କ’ଣ କହିଥିଲେ, ଡିସିଓ କ’ଣ କହି ଅଭିଯୋଗ ଉପରେ ଆଲୋଚନା କରିଥିଲେ, ଏସବୁ ପ୍ରଶ୍ନ ପଚରାଯାଇଥିଲା। କେଉଁ ପରିସ୍ଥିତିରେ ଥାନା ଭିତରେ ଗଣ୍ଡଗୋଳ ଘଟିଲା, ସେବାବଦରେ ଗୁରୁବଂଶ କହିଥିବା ଜଣାପଡ଼ିଛି। ତାଙ୍କଠାରୁ ଫୋନ୍‌ ଛଡ଼ାଇ ରଖିବା ସହ ତାଙ୍କୁ ହାଜତରେ ରଖିଦିଆଯାଇଥିଲା ବୋଲି ସେ କହିଛନ୍ତି। ସେହିଭଳି ବାନ୍ଧବୀ ଅଙ୍କିତାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥ‌ାରେ ଶାରୀରିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ କହିଥିବା ଜଣାପଡ଼ିଛି।

ଭୁବନେଶ୍ବର: ଭରତପୁର ଥାନା ମାମଲାରେ ନିଲମ୍ବିତ ହୋଇଥିବା ପୁଲିସ ପରିବାର ଆଜି ପୁଣି ନ୍ୟାୟ ଦାବିରେ ପୁଲିସ କମିସନର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଘଟଣା ଦିନ ରାତିରେ ଭରତପୁର ଥାନାରେ ସେଣ୍ଟ୍ରି ଡିଉଟି‌ରେ ଥିବା କନେଷ୍ଟବଳ ବଳରାମ ହାଁସ୍‌ଦା ଓ ଏଏସ୍‌ଆଇ ସଲିଳାମୟୀ ସାହୁଙ୍କ ପରିବାର ଆଜି ପୁଲିସ ସେବାଭବନ ଆଗରେ ଧାରଣା ଦେଇଥିଲେ। ସେମାନଙ୍କ ସହ ଅନ୍ୟାନ୍ୟ ପୁଲିସ ପରିବାର ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। ସେମାନଙ୍କ ଦାବି ଅନୁସାରେ ଠିକ୍‌ ତଦନ୍ତ କରାଯାଉ ଏବଂ ପ୍ରକୃତ ଦୋଷୀକୁ ଦଣ୍ଡ ମିଳୁ। ନିରପେକ୍ଷ ତଦନ୍ତରୁ ଯଦି ସେମାନଙ୍କ ଲୋକ ଦୋଷୀ ବୋଲି ପ୍ରମାଣ ମିଳେ, ସେମାନେ କାର୍ଯ୍ୟାନୁଷ୍ଠାନ ମୁଣ୍ଡପାତି ସହିବେ। ଏକତରଫା ତଦନ୍ତ ବା ନିଷ୍ପତ୍ତି ଘୋର ଅନ୍ୟାୟ ହେବ। ଧାରଣାରତ ପରିବାର ଲୋକେ ଶେଷରେ ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କୁ ଭେଟି ଗୁହାରି କରିଥିଲେ।