ରୋବୋଟ୍‌ କଦାପି ମନୁଷ୍ୟର ସ୍ଥାନ ନେଇପାରିବ ନାହିଁ

ସାଇଟେଡ୍‍କୁ ଉଦ୍‌ଘାଟନ କଲେ ମହାକାଶଚାରୀ ଜ୍ୟାକ୍‌ ଡି ଫିସର

ଚନ୍ଦ୍ରଶେଖରପୁର : ବିଜ୍ଞାନ ପ୍ରଦତ୍ତ ରୋବୋଟ୍‌ କଦାପି ମନୁଷ୍ୟର ସ୍ଥାନ ନେଇପାରିବ ନାହିଁ। ପୃଥିବୀ ବାହାରେ ମଧ୍ୟ ଏକ ସୁନ୍ଦର ଦୁନିଆ ରହିଛି। ମହାକାଶରେ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ। ଯଦି ମହାକାଶରେ ମୋର ମୃତ୍ୟୁ ହୋଇଯାଏ, ତେବେ ତାହା ହେବ ଶାନ୍ତିର ମରଣ। ଏହା ମୋତେ ହିରୋ କରିଦେବ। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ବିଜ୍ଞାନ ମହୋତ୍ସବ ସାଇଟେଡ୍‌ର ଉଦ୍‌ଘାଟନ ଅବସରରେ ଏପରି ମତ ଦେଇଛନ୍ତି ବିଶିଷ୍ଟ ନାସା ମହାକାଶଚାରୀ ଜ୍ୟାକ୍‌ ଡି ଫିସର୍‌।

ଏହି ଅବସରରେ ମହାକାଶରେ ବିତାଇଥିବା ୧୩୬ ଦିନର ଅଭିଜ୍ଞତାକୁ ଛାତ୍ରଛାତ୍ରୀଙ୍କ ଆଗରେ ବର୍ଣ୍ଣନା କରିଥିଲେ ଜ୍ୟାକ୍‌। ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌କୁ ପ୍ରଥମ କରି ଜଣେ ମହକାଶଚାରୀ ଆସିଥିବାରୁ ୨୨ଟି ସ୍ଥାନୀୟ ସ୍କୁଲ୍‌ରୁ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ। ମହାକାଶରେ କିପରି ଖାଉଥିଲେ, କ’ଣ କରୁଥିଲେ, ମଉଜମସ୍ତି, ଖେଳକୁଦ, ଗବେଷଣା ଆଦି ବିଷୟରେ ବିଷଦ୍‌ ଭାବରେ ବର୍ଣ୍ଣନା କରିଥିଲେ ଜ୍ୟାକ୍‌। ସେହିପରି ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ସାଇଟେଡ୍‌ ସାଇ ଶିକ୍ଷାନୁଷ୍ଠାନର ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ଏକ ବିଶେଷ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ। ଏହି ଅବସରରେ ରାଜ୍ୟ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀ ମନୋଜ କୁମାର ଶ୍ରୀବାସ୍ତବ, ସାଇ ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ, ଅଧ୍ୟକ୍ଷ ହରିଶ ସାନ୍ଦୁଜା ପ୍ରମୁଖ ଉପସ୍ଥିତ ଥିଲେ।

ଭାଗନେଲେ ଷ୍ଟାର୍ଟର୍-ଅପ୍‌ କମ୍ପାନି

ସାଇଟେଡ୍‌ରେ ଚଳିତବର୍ଷ ଏକ ନୂତନ ବିଷୟର ପ୍ରଚଳନ କରାଯାଇଛି। ପ୍ରଥମକରି କୌଣସି ଶିକ୍ଷାନୁଷ୍ଠାନ ନିଜର କାର୍ଯ୍ୟକ୍ରମକୁ ବିଭିନ୍ନ ଷ୍ଟାର୍ଟଅପ୍‌ କମ୍ପାନିଙ୍କୁ ନିମନ୍ତ୍ରଣ କରିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ବୃଦ୍ଧି କରିବା ତଥା ବିଜ୍ଞାନ ଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏପରି କରାଯାଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ୧୪ଟି ଷ୍ଟାର୍ଟଅପ୍‌ କମ୍ପାନି ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର