ଅଚଳ ନ’ତାଲା : ଅଭିଯୋଗ ଶୁଣାଣି ହୋଇପାରିଲାନି, ଅଫିସ ଖୋଲା ଥିଲା, କର୍ମଚାରୀ ନଥିଲେ

ଭୁବନେଶ୍ୱର : ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ, ଓଡ଼ିଶା ବିଭାଗୀୟ ମୁଖ୍ୟ ଅମଲା ସଂଘ ପକ୍ଷରୁ ଚାଲିଥିବା କଲମ ଛାଡ଼ ଆନ୍ଦୋଳନ ଏବେ ନ’ତାଲାରେ ଅଚଳାବସ୍ଥା ସୃଷ୍ଟି କରିଛି। ଦୀର୍ଘ ୧୦ଦିନ ହେଲା ଚାଲିଥିବା ଅମଲାଙ୍କ କଲମ ଛାଡ଼ ଆନ୍ଦୋଳନ ଆଜିଠାରୁ ଉଗ୍ରରୂପ ନେଇଛି। କର୍ମଚାରୀମାନେ ବିଭିନ୍ନ ବିଭାଗର ନିର୍ଦ୍ଦେଶକମାନଙ୍କୁ ଦପ୍ତରରେ ବସିବାକୁ ନଦେବାରୁ  ସେମାନେ ବି କାର୍ଯ୍ୟ କରି ପାରିନାହାନ୍ତି। ଅମଲାଙ୍କ ପରେ ନିର୍ଦ୍ଦେଶକମାନଙ୍କ କାର୍ଯ୍ୟ ବନ୍ଦ ହୋଇଯିବାରୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ଅଚଳାବସ୍ଥା ସାରା ରାଜ୍ୟରେ ପ୍ରଭାବ ପକାଇଛି। ପ୍ରତ୍ୟେକ ସୋମବାର ନିର୍ଦ୍ଦେଶାଳୟଗୁଡ଼ିକରେ ଅଭିଯୋଗ ଶୁଣାଣି ହେଉଥିବାରୁ ଆଜି ଦୂରଦୂରାନ୍ତରୁ ବହୁ କର୍ମଚାରୀ, ସାଧାରଣ ଲୋକ ଆସିଥିଲେ। କିନ୍ତୁ ଅମଲାଙ୍କ ଆନ୍ଦୋଳନ ସମସ୍ତଙ୍କୁ ନିରାଶ କରିଥିଲା।

ଆଜି ପୂର୍ବାହ୍ନରେ ନ’ତାଲାର ଦୃଶ୍ୟ ଭିନ୍ନ ଥିଲା।  ଅମଲାମାନେ ବିଭାଗୀୟ ମୁଖ୍ୟ ଦପ୍ତର ସମ୍ମୁଖରେ ଧାରଣାରେ ବସିଥିବା ବେଳେ ବିଭିନ୍ନ କାର୍ଯ୍ୟରେ ଏବଂ ଦୀର୍ଘ ଦିନର ଅଭିଯୋଗର ଶୁଣାଣି ହେବାର ଆଶା ନେଇ ଆସିଥିବା ଲୋକମାନେ ସେମାନଙ୍କ ସମ୍ମୁଖରେ ହତାଶ ହୋଇ ବସିଥିଲେ। ଦୂରଦୁରାନ୍ତରୁ ଆସିଥିବା ଲୋକଙ୍କ ଦୁଃଖ ଶୁଣିବାକୁ କେହି ନଥିଲେ। ଅମଲାମାନେ କ୍ୟାଡର୍‌ ପୁନର୍ଗଠନ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ କରୁଥିବାରୁ ସୁଦୂର କଳାହାଣ୍ଡି, ମାଲକାନଗିରିରୁ ଆସିଥିବା ଲୋକର କାମ ହେବାକୁ ଥିବା ଫାଇଲ୍‌ ଉପରେ କଲମ ଚଳାଇବାକୁ କେହି ନଥିଲେ। ଅମଲା ତ କାମ କରୁନାହାନ୍ତି, ନିର୍ଦ୍ଦେଶକଙ୍କ ପାଖରେ ଗୁହାରି କରି ଦେଇ ଯିବାକୁ ଯେଉଁମାନେ ଶିଡ଼ି ଚଢ଼ି ଉପରକୁ ଯାଇଥିଲେ, ସେମାନେ ବି ନିରାଶ ହୋଇ ଫେରିଥିଲେ। କାରଣ ନିର୍ଦ୍ଦେଶକମାନେ ଯେପରି ଅଫିସରେ କାର୍ଯ୍ୟ କରିନପାରିବେ, ସେଥିପାଇଁ କିଛି କର୍ମଚାରୀ ତାଙ୍କ ଦପ୍ତର ଆଗରେ ଜଗି ବସିଥିଲେ। ଯେଉଁ ନିର୍ଦ୍ଦେଶକମାନେ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ, ସେମାନଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଯେଉଁମାନେ ଶିଡ଼ି ଚଢ଼ିନପାରି ବର୍ଷର ଅଧା ଦିନ ଅଚଳ ହେଇଯାଉଥିବା ଲିଫ୍ଟକୁ ଭରସା କରିଥିଲେ, ସେମାନେ ପ୍ରାୟ ଅଧ ଘଣ୍ଟା ଅପେକ୍ଷା କରିବା ପରେ ଉପରକୁ ଯାଉଥିଲେ। କିନ୍ତୁ ମନରେ ଭୟ ରହୁଥିଲା କାଳେ ବାଟରେ କିଛି ହୋଇଯିବ କି? ସୌଭାଗ୍ୟକୁ ସେମିତି କିଛି ହୋଇନଥିଲା। କିନ୍ତୁ ତଳେ ଅଧଘଣ୍ଟା ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଉପରକୁ ଯିବା ପରେ ଯେଉଁଠି ଆଖି ପଡ଼ୁଥିଲା, ସେ ସିଟ୍‌ରେ କେହି ନଥିଲେ। ଅମଲାଙ୍କ ଆନ୍ଦୋଳନ ହାଓ୍ଵାରେ ଅନ୍ୟ କର୍ମଚାରୀମାନେ ବି ଛୁଟି କାଟୁଥିଲେ। ନ’ତାଲାର ସମସ୍ତ କାର୍ଯ୍ୟାଳୟ ଖୋଲା ଥିଲେ ବି କୌଣସି ଅଫିସରେ କେହି ନଥିଲେ କି କିଛି କାମ ହେଉନଥିଲା।

ସମ୍ବନ୍ଧିତ ଖବର