ଅଜିତ୍‌ ଥିଏଟର୍‌ ପକ୍ଷରୁ ନାଟକ ‘ସାହାଯ୍ୟକାରିଣୀ’ ସମ୍ପର୍କର ସଂଜ୍ଞା ବଦଳି ଯାଇଛି

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀର ଦ୍ରୁତ ପରିବର୍ତ୍ତନ ସମାଜ ଓ ମଣିଷଙ୍କୁ ବିପର୍ଯ୍ୟସ୍ତ କରି ଦେଇଛି। ଏଠି ସମସ୍ତେ ନିଜ ଗୋଡ଼ରେ ଠିଆ ହେବା ପାଇଁ ଏତେ ବ୍ୟସ୍ତ ହୋଇ ପଡ଼ିଛନ୍ତି ଯେ ସମ୍ପର୍କର ସଂଜ୍ଞା ବଦଳି ଯାଇଛି। ପରିବାର ଭିତରେ ଆଉ ସେ ଭାବ ନାହିଁ। ପୂର୍ବରୁ ପରିବାର ଭିତରେ ଥିଲା ଏକ ସୁଖଦ ବାତାବରଣ। ଘରକୁ ନୂଆ ବୋହୂଟିଏ ଆସିଲେ ସମସ୍ତେ ଖୁସି ହେଉଥିଲେ। ଆଉ ସ୍ନେହ ମମତାରେ ବୋହୂଟିକୁ ବାନ୍ଧି ଦେଉଥିଲେ। ସେମିତି ବୋହୂଟି ବିନା ଦ୍ୱିଧାରେ ସମସ୍ତଙ୍କ ସେବା କରୁଥିଲା। ଏମିତି ଏକ ପରିବର୍ତ୍ତନଶୀଳ ସମାଜରେ ବୃଦ୍ଧ ପିତାମାତାଙ୍କ ଅସହାୟତାକୁ ନେଇ ଅଜିତ୍‌ ନାଟ୍ୟସଂସ୍ଥା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଥିଲା ନାଟକ ‘ସାହାଯ୍ୟକାରିଣୀ’। ସମୟର ପରିବର୍ତ୍ତନ ସହ ପରିବାରର ଚିତ୍ର ବଦଳି ଯାଇଛି। ପରିସ୍ଥିତି ଏମିତି ହେଉଛି ଯେ ବାପା-ମା’ ପୁଅ-ବୋହୂଙ୍କଠାରୁ ଦୂରେଇ ଚାକର ଚାକରାଣୀଙ୍କ ଆଶ୍ରା ନେଉଛନ୍ତି। ପୁଅ ଜନ୍ମ କରି ବାପା-ମା’ ନିରାଶ୍ରୟ ଓ ବେସାହାରା ହୋଇପଡ଼ିଛନ୍ତି। ବୟସର ଅପରାହ୍‌ଣରେ ସେମାନେ କାହାକୁ ଭରସା କରିବେ? ସତରେ କ’ଣ ଫେରିବେ ସେମାନଙ୍କ ପୁଅ ଅନିରୁଦ୍ଧ ଓ ବୋହୂ ଅନସୂୟା। ଏମିତି ଏକ ଅସମାହିତ ପ୍ରଶ୍ନବାଚୀକୁ ନେଇ ଗଢ଼ି ଉଠିଛି ନାଟକ ‘ସାହାଯ୍ୟକାରିଣୀ’। ଶୈଳଜା କୁମାରୀ ଅପରାଜିତା ମହାନ୍ତିଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଅଜିତ ଦାସ ଓ ନାଟ୍ୟରୂପ ଦେଇଥିଲେ ମାୟା ଦାସ। ନବୀନ ପରିଡ଼ା, ସାଗର, ଶୁଭ୍ରାଂଶୁ, ଅଶେଷ ଓ ସମୀର ପ୍ରମୁଖ ଅଭିନୟ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ କଥାକାର ଗୌରହରି ଦାସ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶା ଉତ୍କଷ୍ଟ କଳାର ଦେଶ। ଓଡ଼ିଶାର କଳାସଂସ୍କୃତି ପାଇଁ ଆମେ ବହୁତ ଶକ୍ତିଶାଳୀ। ଏଥିରେ ଆମର କେହି ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବେ ନାହିଁ। କିନ୍ତୁ ଓଡ଼ିଆମାନେ ଚଳେଇ ନେବା ମନୋବୃତ୍ତିଠାରୁ ଦୂରେଇ ରହିବା କଥା। ମନରେ ଦୃଢ଼ ନିଷ୍ଠା ରଖି ସବୁ କାମ ଭଲ କରିବାକୁ ସଙ୍କଳ୍ପ ନେବାକୁ ସେ ପରାମର୍ଶ ଦେଇଥିଲେ। ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ଓ ପ୍ରଫେସର ସଂଘମିତ୍ରା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭଲ ନାଟକ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧିତ ଖବର