ନାଟକ ‘ଭ୍ରଷ୍ଟାଚାର’, ଭ୍ରଷ୍ଟାଚାର ପଥ କଣ୍ଟକିତ

ଭୁବନେଶ୍ବର: ଅନେକଙ୍କ ଧାରଣା ଅସତ ବାଟ ନଧରିଲେ ତା’ କାମଟି ହେବନାହିଁ। ଭ୍ରଷ୍ଟାଚାର ଶବ୍ଦଟିକୁ କେତେଥର ଖବରକାଗଜରେ ପଢ଼ି ଛି ଛି କରୁଥିବା ଲୋକଟି ଯେବେ ସ୍ବାର୍ଥ ପାଇଁ ନିଜେ ସେଇ ପଥ ଅନୁସରଣ କରେ ସେତେବେଳେ ସବୁକିଛି ଭୁଲିଯାଏ। ବିନା ପରିଶ୍ରମରେ, ସହଜରେ ଓ ଶୀଘ୍ର କୌଣସି କାମକୁ ହାତେଇବା ପାଇଁ ଭୁଲ ରାସ୍ତା ବାଛିନିଏ ସ୍ବାର୍ଥପର ମଣିଷ। ଏହି ପଥରେ ସେ ହୁଏତ ଲକ୍ଷ୍ୟ ସ୍ଥଳ ଛୁଇଁପାରେ। ମାତ୍ର ତାହା ଚିରସ୍ଥାୟୀ ହୋଇ ରୁହେନାହିଁ। ସତ୍‌ପଥରେ ଚାଲୁଥିବା ବ୍ୟକ୍ତି ଯେ ଶେଷରେ ବିଜୟୀ ହୁଏ ଏବଂ ଭ୍ରଷ୍ଟାଚାରୀମାନଙ୍କର ନାଶ ହୁଏ ଏହିଭଳି ଏକ ବାର୍ତାବହ କଥାବସ୍ତୁ ଆଧାରରେ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଭ୍ରଷ୍ଟାଚାର’। ‘ସମ୍ରାଟ ସିଏ କଳାର ପୂଜାରୀ’ ନାଟ୍ୟାନୁଷ୍ଠାନର କଳାକାରମାନେ ଭେଟି ଦେଇଥିଲେ ଏହି ନାଟକ। ଶରତ ସମ୍ରାଟ ନାଟକର ରଚନା ସହ ନିର୍ଦେଶନା ଦେଇଥିବା ବେଳେ ଅଜୟ ଖୁଣ୍ଟିଆ ମଂଚ ସଜାଇଥିଲେ। ଶରତ, ବିବେକ, ବିରଞ୍ଚି, ଅଜୟ, ସରୋଜ, ତପନ, ବିଶ୍ବଜିତ, ସାଗର, ନିଶାନ୍ତ, ଚନ୍ଦନ, କୃଷ୍ଣ, ଲିଙ୍ଗରାଜ, ରାମକୃଷ୍ଣ, ସୂର୍ଯ୍ୟକାନ୍ତ, ସୌମ୍ୟ, ବିକାଶ, ସମ୍ବିତ, ରଜତ, ଚନ୍ଦ୍ରଶେଖର ଓ ପ୍ରଦୀପ ପ୍ରମୁଖ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର