ପୁସ୍ତକ ମେଳା ମଞ୍ଚରେ ନାଟକ ‘ସଭ୍ୟ ଜମିଦାର’

ଭୁବନେଶ୍ବର : ମଣିଷ ପାଶ୍ଚାତ୍ୟ ସଭ୍ୟତା ମୁହାଁ ହୋଇ ନିଜ ସଂସ୍କାର, ସଂସ୍କୃତି ଓ ସଭ୍ୟତାକୁ ଭୁଲି ଯଦି ଅବାଟରେ ଯାଏ, ତେବେ ତା’ର ପରିଣତି କେତେ ଭୟଙ୍କର ତାହା ନାଟକ ‘ସଭ୍ୟ ଜମିଦାର’ରେ ଚିତ୍ରିତ ହୋଇଛି। ଆଭିଜାତ୍ୟ ଓ ପ୍ରାଚୁର୍ଯ୍ୟରେ ଭରପୂର ଜମିଦାର ପରିବାରର ପୁଅ କେମିତି ଅବାଟରେ ଯାଉଛି, ବାପାମା’ଙ୍କ ବିନା ଅନୁମତିରେ ଜଣେ ନର୍ତ୍ତକୀଙ୍କୁ ବିବାହ କରୁଛି। ଏବଂ ପରିବାରକୁ ସର୍ବସ୍ବାନ୍ତ କରିଦେଉଛି ତାହା ନାଟକରେ ବର୍ଣ୍ଣନା କରାଯାଇଛି। କଳିଙ୍ଗ ପୁସ୍ତକ ମେଳାର ତୃତୀୟ ଦିନରେ ପ୍ରଦର୍ଶନୀ ପଡ଼ିଆଠାରେ ପରିବେଷିତ ହୋଇଛି ଏହିଭଳି ଏକ ସାମାଜିକ ନାଟକ। ଫକୀର ମୋହନ ସେନାପତିଙ୍କ ଦ୍ବାରା ରଚିତ ‘ସଭ୍ୟ ଜମିଦାର’କୁ ଚନ୍ଦ୍ରମା କମ୍ପ୍ଲେକ୍ସ, ‘ଏ’ ବ୍ଲକ୍‌ର ମହିଳା କ୍ଲବ୍‌ର ସଦସ୍ୟମାନେ ପରିବେଷଣ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ କ୍ଲବ୍‌ ସଂପାଦିକା ରେଣୁକା ପାତ୍ର। ଏଥିରେ ନାଟ୍ୟ ନିର୍ଦ୍ଦେଶନାଠାରୁ ଆରମ୍ଭ କରି ନାଟକର ସମସ୍ତ ଭୂମିକା ମହିଳାମାନଙ୍କ ଦ୍ବାରା ହିଁ ସମ୍ପାଦିତ ହୋଇଥିଲା।

ସମ୍ବନ୍ଧିତ ଖବର