ଶୁଭିଲା ‘ମାଛକାନ୍ଦଣାର ସ୍ୱର’

ଭୁବନେଶ୍ୱର : ଏ ରାଜ୍ୟରେ କାହାର ବିଷ ଦାନ୍ତ ଉଠିପାରିବନି। କେହି ବୁଦ୍ଧିମାନ ହେଇପାରିବେନି। କେବଳ ଏକମାତ୍ର ବୁଦ୍ଧିମାନ ରାଜା ଧନୁର୍ଜୟ ନାରାୟଣ ଭଂଜ। ସେଦିନ କେଉଁଝରର ରାଜା ଧନୁର୍ଜୟ ପ୍ରଜାଙ୍କ ସୁଖ ଅପେକ୍ଷା ରାଜକୀୟ ଗାରିମାକୁ ନେଇ ଏମିତି ଗର୍ବ କରିଥିଲେ। ନିରୀହ ଜନଜାତିର ଆଖିରେ ଗଣତନ୍ତ୍ରର ଅନ୍ଧପୁଟୁଳି ବାନ୍ଧି ରାଜତନ୍ତ୍ରର ଶାସନକୁ ପ୍ରଜାଙ୍କ ଉପରେ ଲଦି ଦେବା ବେଳେ ମୁଣ୍ଡ ଟେକିଥିଲା ଧରଣୀଧର ଭୂୟାଁ। ରାଜାଙ୍କ ଏକା ଜିଦ୍‌ ଥିଲା, ମାଛକାନ୍ଦଣା ନଦୀର ଜଳରାଶିକୁ ନିଜ ରାଜ୍ୟକୁ ମୁହାଁଇବା ପାଇଁ ପାହାଡ଼ ମଧ୍ୟରେ କେନାଲ ଖୋଳାଯିବ। ନିର୍ଦେଶ ଥିଲା ୨ ମାସରେ ଏହି କାମ ଶେଷ ହେବ। ଠିକ୍‌ ଏଇ ସମୟରେ ଚାବୁକ୍‌ ଓ କୋରଡ଼ା ମାଡ଼ ଖାଇ ପାହାଡ଼ ଖୋଳି ଗୋତି ଖଟୁଥିବା ବେଳେ ଏହା ବିରୋଧରେ ସ୍ୱର ଉଠାଇଥିଲେ ଜନଜାତି ପୁଅ ଧରଣୀଧର ଭୂୟାଁ। ଇତିହାସର ଏହି କାହାଣୀର ନାଟ୍ୟ ରୂପ ଆଜି ଦେଖିବାକୁ ମିଳିଥିଲା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ।

‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନର କଳାକାରମାନେ ଶୀତ ଉତ୍ସବରେ ଭେଟି ଦେଇଥିଲେ ଏହି ନାଟକ। ନାଟ୍ୟକାର ରତିରଂଜନ ମିଶ୍ର ନାଟକ ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଧୀର ମଲ୍ଲିକ୍‌। ପ୍ରତାପ ରାଉତ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଆଲୋକ ସମ୍ପାଦନା କରିଥିଲେ ଦର୍ପନାରାୟଣ ସେଠୀ। ଶୁଭାଶିଷ, କାର୍ତିକ, ରାଜେନ୍ଦ୍ର, ଭରତ, ଦୀପକ, ସୁଜ୍ଞାନ, ତାରାପ୍ରସାଦ, ଦେବ, ନିରଂଜନ, ଅର୍‌ମାନ, ଗଗନ, ରାଜ୍‌, ସୁବେଦିତ, ସୁନାକର, ମଳୟ, କିଷନ୍‌, ସମୀର, ସନ୍ତୋଷ, ସୀମାଚଳ, ସଂଗ୍ରାମ, ଆଲୋକ, ମନିଦୀପା, ନରେନ୍ଦ୍ର, ନରୋତ୍ତମ, ବିଧାଂଶୁ, ଅଶୋକ, ସମୀର ଓ ଆଭା ଅଭିପ୍ସା ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଓୟୁଏଟିର କୁଳପତି ଡ.ସୁରେନ୍ଦ୍ରନାଥ ପଶୁପାଳକ, ନିର୍ବାଚନ କମିସନର ରବି ନାରାୟଣ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଶତାବ୍ଦୀର କଳାକାର ଅନୁଷ୍ଠାନର ସଭାପତି ଗୌରହରି ଦାସ ଏବଂ ଧୀର ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର