ଭଂଜ ମଣ୍ଡପରେ ୧୯୭୭ର ସତ କାହାଣୀ

‘ଅନେ୍ଵଷଣ’ର ନାଟକ ମୁକ୍ତିପଥ

ଭୁବନେଶ୍ୱର : ନୂଆକରି ବିବାହ ବନ୍ଧନରେ ବାନ୍ଧି ହେବା ପରେ ମୁସ୍‌ଲିମ ଦମ୍ପତି ହାଇଦ୍ରାବାଦ ସହରରେ ଛୁଟି କାଟିବାକୁ ଯାଆନ୍ତି। ମାତ୍ର ଏହି ଛୁଟି ଅବସର ତାଙ୍କ ପାଇଁ କାଳ ପାଲଟିଯାଏ। ରାତିରେ ସିନେମା ଦେଖି ଫେରିବା ବେଳେ ପୁଲିସ୍‌ ଦୁହିଁଙ୍କୁ ଉଠାଇ ନିଏ। ସ୍ତ୍ରୀ ଉପରେ ପାଶବିକ ଅତ୍ୟାଚାର କରେ। ସ୍ୱାମୀ ଏହାର ପ୍ରତିବାଦ କରିବାରୁ ତାକୁ ମଧ୍ୟ ଜୀବନରୁ ମାରି ଦିଏ ପୁଲିସ୍‌। ଏହା ବିରୋଧରେ ଯଦିଓ ଆନ୍ଦୋଳନ ହୁଏ ଏବଂ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିଭିନ୍ନ ମୋଡ଼ ଦେଇ ରାଜନୈତିକ ଅଭିସନ୍ଧି ହାସଲ କରିବାରେ ଲାଗି ପଡ଼ନ୍ତି କିନ୍ତୁ ନ୍ୟାୟ ମିଳେନାହିଁ। ବରଂ ଘଟଣାଚକ୍ରରେ ପ୍ରତାରିତ ମହିଳା ଜଣକ ବିଚାରାଳୟରେ ଦଣ୍ଡିତ ହୁଅନ୍ତି। ୧୯୭୭ ମସିହାର ଏହିଭଳି ଏକ ସତ କାହାଣୀକୁ ନେଇ ଆଜି ଭଂଜ କଳା ମଣ୍ଡପରେ ମଂଚସ୍ଥ ହୋଇଥିଲା ନାଟକ ‘ମୁକ୍ତିପଥ’। ଅନେ୍ଵଷଣ ପକ୍ଷରୁ ମଂଚସ୍ଥ ଏହି ନାଟକର ରଚନା ଓ ନିର୍ଦେଶନା ଦେଇଥିଲେ ନାରାୟଣ ପତି।

ଏହି ନାଟକଟି କେନ୍ଦ୍ର ସଂଗୀତ ନାଟକ ଏକାଡେମି ଦ୍ୱାରା ପ୍ରଯୋଜିତ ପୂର୍ବାଞ୍ଚଳ ନାଟକ ଉତ୍ସବରେ ଶ୍ରେଷ୍ଠ ବିବେଚିତ ହୋଇ କେନ୍ଦ୍ରୀୟ ଉତ୍ସବକୁ ପ୍ରଥମ ଓଡ଼ିଆ ନାଟକ ଭାବେ ମନୋନୀତ ହୋଇଥିବା ବେଳେ ଆଜି ଏହାର ଝଲକ ଭଂଜ କଳାମଣ୍ଡପରେ ଦେଖିବାକୁ ମିଳିଥିଲା। ନାଟକରେ ନାରାୟଣ, ପ୍ରୀତି ମିଶ୍ର, ସୌମ୍ୟ, ସତ୍ୟ, ଆୟୁଷ୍ମାନ, ସୂର୍ଯ୍ୟ, ସୂର୍ଯ୍ୟକାନ୍ତ, ଲିପୁ, ସ୍ୱାଧୀନ, ଶୁଭମ୍‌, ସୁମନ, ରବି, ମୁନା, ରହମାନ, ଜସ୍ମିନ୍‌, ରୀନା ଓ ବିୟୁଟି ଅଭିନୟ କରିଥିଲେ। ଶକ୍ତି ମିଶ୍ର ସଂଗୀତ ନିର୍ଦେଶନା ଦେଇଥିବା ବେଳେ ନୃତ୍ୟରେ ସହଯୋଗ କରିଥିଲେ ଜ୍ୟୋତିଶଙ୍କର ମହାପାତ୍ର।

ସମ୍ବନ୍ଧିତ ଖବର