ନାଟକ ‘ଅଶାନ୍ତ’ ନାରୀ ହିଁ ଆଣିପାରେ ଶାନ୍ତି

ଭୁବନେଶ୍ବର: ଟିକେ ଗଭୀର ଦୃଷ୍ଟିରେ ମନନ କଲେ, ଏ ସୃଷ୍ଟି ଯେମିତି ବିଚିତ୍ର, ଏହା ମଧ୍ୟରେ ଚଳପ୍ରଚଳ କରୁଥିବା ଜୀବଜଗତ ବି ବିଚିତ୍ର। ଯେବେ ଭଗବାନ ନାରୀଙ୍କୁ ସୃଷ୍ଟି କଲେ, ତା’ ଭିତରେ ଅସୀମ ଧୈର୍ଯ୍ୟ, କ୍ଷମା, ଦୟା ଓ ଆକର୍ଷଣ ଭରିଦେଲେ। ତା’ର ସେଇ ସଗୁଣ ହିଁ ବେଳେବେଳେ ଅମଣିଷକୁ କୁପଥରୁ ଉଚିତ୍‌ ପଥକୁ ଟାଣି ଆଣିପାରେ। ଅଶାନ୍ତ ବାତାବାରଣକୁ ସେ ହିଁ ଶାନ୍ତ କରିବାରେ କ୍ଷମତା ରଖେ। ଏହିଭଳି ଏକ କଥାବସ୍ତୁକୁ ନେଇ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଥିଲା ନାଟକ ‘ଅଶାନ୍ତ’। ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ ଗତକାଲିଠୁ ଆରମ୍ଭ ହୋଇଥିବା ନାଟକ ଉତ୍ସବର ଦ୍ବିତୀୟ ସନ୍ଧ୍ୟା‌ରେ ମଞ୍ଚସ୍ଥ ଏହି ନାଟକର ରଚନା କରିଥିଲେ ପ୍ରାଣବନ୍ଧୁ କର। ନିର୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ ମହାରଣା। ପ୍ରଜ୍ଞାଦତ୍ତ ସାହୁ ମଂଚ ସଜେଇଥିବା ବେଳେ ରାକେଶ ଶତପଥୀ ଆଲୋକ ସଂଚାଳନ କରିଥିଲେ। ସଂଗୀତ ନିର୍ଦେଶନା ଦେଇଥିଲେ ଶକ୍ତିପ୍ରସାଦ। ଆଜିର କାର୍ଯ୍ୟକ୍ରମକୁ ଓଡ଼ିଶା ନାଟ୍ୟ ସଂଘର ସଭାପତି ହରେନ୍‌ ସାହୁ, ରୋଟାରିଆନ ସୌମ୍ୟରଂଜନ ମିଶ୍ର, ଶିବବ୍ରତ ଦାସ, ନାଟ୍ୟ ନିର୍ଦେଶକ ମନୋଜ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଅଂଶୁମାନ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର