ଭୁବନେଶ୍ୱର : ନ’ତାଲାରେ ୮ଟି ବିଭାଗର ମୁଖ୍ୟ କାର୍ଯ୍ୟାଳୟ କରୁଛି। ଦୈନିକ ପ୍ରାୟ ୫୦୦ କର୍ମଚାରୀ ଏବଂ ଶହ ଶହ ଲୋକ ଏଠାକୁ ଆସୁଛନ୍ତି। ହେଲେ ଏଠାରେ ଥିବା ଲିଫ୍ଟ କାମ କରୁନି। ପୂର୍ବାହ୍ନରେ ଲିଫ୍ଟ କାମ କଲେ ଅପରାହ୍ନରେ ଅଚଳ ହୋଇଯାଉଛି। ଯଦି ଭାଗ୍ୟ ଭଲ ଥିବ ତେବେ ଲିଫ୍ଟରେ ଯାଉଥିବା ଲୋକ ଅଫିସରେ ପହଞ୍ଚିବ। ନଚେତ୍ ଅଧା ବାଟରେ ଲିଫ୍ଟ ଭିତରେ ଫସିିଯିବ। ୭ତାଲା, ୮ତାଲାରେ ଯେଉଁ ଅଫିସ ଅଛି ସେଠାକୁ ଯାଉଥିବା କର୍ମଚାରୀ ଏବେ ଲିଫ୍ଟ ଅଟକିଯିବା ଭୟରେ ୧୦୦ ସିଡ଼ି ଚଢ଼ି ଯାତାୟାତ କରୁଛନ୍ତି।
ନ’ତାଲା ଲିଫ୍ଟରେ ଆଜି ଫସିଯାଇଥିଲେ ସମବାୟ ନିବନ୍ଧକ। ଜରୁରୀକାଳୀନ ବେଲ୍ ମାରିବା ପରେ ବି କେହି ଉଦ୍ଧାର କଲେନି। ଏପରିକି ପ୍ରାୟ ୫ମିନିଟ୍ କାଳ ଅଣନିଶ୍ୱାସୀ ହୋଇ ରହିବା ପରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
ଆଜି ଅପରାହ୍ନ ୩ଟା ୪୦ରେ ନ’ତାଲାର ସପ୍ତମ ମହଲାରେ ଥିବା ସମବାୟ ସୋସାଇଟି କାର୍ଯ୍ୟାଳୟକୁ ସମବାୟ ନିବନ୍ଧକ ଯାଉଥିଲେ। ୭ମ ମହଲାରେ କାର୍ଯ୍ୟାଳୟ ଥିବାରୁ ସେ ଲିଫ୍ଟରେ ଯାଉଥିଲେ। ନିବନ୍ଧକଙ୍କ ସହ ଆଉ ୭ଜଣ ବି ଲିଫ୍ଟରେ ଥିଲେ। ଲିଫ୍ଟଟି ଚାଲୁ ହେବାର କିଛି ସମୟ ପରେ ହଠାତ୍ ଅଟକି ଯାଇଥିଲା। ନା ଉପରକୁ ଯାଇଥିଲା ନା ତଳକୁ ଖସିଥିଲା। ଲିଫ୍ଟ ଭିତରେ ଥିବା ୮ଜଣ ବ୍ୟକ୍ତି ଚିତ୍କାର କରିଥିଲେ ହେଲେ କେହି ଶୁଣି ନଥିଲେ। ଏପରିକି ଜରୁରୀକାଳୀନ ବେଲ୍ ବଜାଇବା ପରେ ବି କେହି ଉଦ୍ଧାର କରିବାକୁ ଆସି ନଥିଲେ। ସୌଭାଗ୍ୟବଶତଃ ପ୍ରାୟ ୫ମିନିଟ୍ ପରେ ଲିଫ୍ଟଟି ଉପରକୁ ଉଠିବାରୁ ୮ଜଣ ନିଶ୍ଚିତ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ।
ଏହାପରେ ସମବାୟ ନିବନ୍ଧକ ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ)ଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି। ସମବାୟ ନିବନ୍ଧକ ଲେଖିଛନ୍ତି ଯେ, ନ’ତାଲାରେ ଥିବା ଦୁଇଟି ଲିଫ୍ଟ ଅଧିକାଂଶ ସମୟରେ କାମ କରୁନି। ଯେତେବେଳେ ଚାଲୁଛି ସେଥିରୁ ଅନେକ ସମୟରେ ଅଧା ବାଟରେ ଅଟକିଯାଉଛି। ଦୈନିକ ଶହ ଶହ କର୍ମଚାରୀ, ଲୋକ ଏଠାକୁ ଆସୁଥିଲେ ହେଁ ଲିଫ୍ଟ କାମ କରୁ ନଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜି ଯେଉଁଭଳି ଦୁର୍ଘଟଣା ହେଲା ତାହା ଯେପରି ପୁନର୍ବାର ନଘଟେ ସେଥିପାଇଁ ତୁରନ୍ତ ଏହି ଲିଫ୍ଟର ମରାମତି କରାଯାଉ ଏବଂ ଲିଫ୍ଟ ଚଳାଇବା ପାଇଁ କର୍ମଚାରୀ ନିଯୁକ୍ତି ଦିଆଯାଉ ବୋଲି ସେ ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/ntala.jpg)