ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ଓ ଓଡ଼ିଶା ସାହିତ୍ୟ ଏକାଡେମି ସହଯୋଗରେ ‘ଶ୍ରୀଜଗନ୍ନାଥ ଚେତନାରେ ବୈଷ୍ଣବ ତତ୍ତ୍ବ’ ଆଧାରିତ ନବମ ଜାତୀୟ ପାଠଚକ୍ର ଭୁବନେଶ୍ବରସ୍ଥିତ ବୁଦ୍ଧମନ୍ଦିର ସଭାକକ୍ଷରେ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫେସର୍‌ ନିତ୍ୟାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୁରୀ ରାଧାବଲ୍ଲଭ ମଠ ମହନ୍ତ ଶ୍ରୀରାମକୃଷ୍ଣ ଦାସ ମହାରାଜ ଉଦ୍‌ଘାଟନ କରିଥିଲେ। ସୋଆ ବିଶ୍ବବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟଅତିଥି, ଭିତ୍ତିପ୍ରବନ୍ଧ ଉପସ୍ଥାପକ ପ୍ର‌ଫେସର୍‌ ବ୍ରଜକିଶୋର ସ୍ବାଇଁ ମୁଖ୍ୟବକ୍ତା ଓ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

Advertisment

ଏହି ଅବସରରେ ଚାରିଜଣ ପ୍ରତିଭାଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ତରଫରୁ ସମ୍ମାନିତ କରାଯାଇଥିଲା। ପ୍ର‌ଫେସର୍‌ ବାବାଜୀ ଚରଣ ସେଠୀଙ୍କୁ ଦାରୁବ୍ରହ୍ମ ସମ୍ମାନ, ପ୍ରଫେସର୍‌ ଧରଣୀଧର ନାୟକଙ୍କୁ ଶିଳାବ୍ରହ୍ମ ସମ୍ମାନ, ପ୍ରଫେସର୍‌ ଡାକ୍ତର ଧ୍ରୁବଚରଣ ନାୟକଙ୍କୁ ଜ୍ୟୋତିର୍ବ୍ରହ୍ମ ସମ୍ମାନ ଓ ପ୍ରତିମାରାଣୀ ମିଶ୍ରଙ୍କୁ ଶୂନ୍ୟବ୍ରହ୍ମ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପରିଷଦର ସାଧାରଣ ସଂପାଦକ ମଥୁରେନ୍ଦ୍ର ପୃଷ୍ଟିଙ୍କ ଦ୍ବାରା ସଂପାଦିତ ‘ପ୍ରତ୍ନତତ୍ତ୍ୱରେ ଶ୍ରୀଜଗନ୍ନାଥ’, ତାଙ୍କ ଦ୍ବାରା ରଚିତ ‘ଗରୁଡ଼ ଚେତନାର ଉନ୍ମେଷ ଓ ଉତ୍ତରଣରେ ଶ୍ରୀଜଗନ୍ନାଥ’, ପ୍ରଫେସର୍‌ ଧ୍ରୁବଚରଣ ନାୟକଙ୍କ ଦ୍ବାରା ରଚିତ ‘ପ୍ରୀତି ଭକ୍ତିମୟୀ ଶ୍ରୀରାଧା’ ଓ ସୁଧାକର ସାହୁଙ୍କ ଦ୍ବାରା ରଚିତ ‘ସୁଧାକର ଗ୍ରନ୍ଥାବଳୀ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ପରିଷଦର ଉପସଭାପତି ରାଧାଶ୍ୟାମ ପାତ୍ର ଧନ୍ୟବାଦ ଦେଇଥିଲେ। ପରିଷଦର ସାଧାରଣ ସଂପାଦକ ମଥୁରେନ୍ଦ୍ର ପୃଷ୍ଟି ସଂପାଦକୀୟ ବିବରଣୀ ଉପସ୍ଥାପନା କରିଥିବା ବେଳେ ବିଶିଷ୍ଟ ସ୍ତମ୍ଭକାର ଅସିତ୍ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଭାଗବତ ପଣ୍ଡା ଓ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ପରେ ପ୍ରଫେସର୍‌ ବନମାଳୀ ବାରିକଙ୍କ ସଭାପତିତ୍ବରେ ସମୀକ୍ଷକ ପ୍ରଫେସର୍‌ ଦୁର୍ଗାମାଧବ ନନ୍ଦ ଓ ଭାସ୍କର ମିଶ୍ରଙ୍କ ପରିଚାଳନାରେ ସଂପାନର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ସେହିପରି ଦ୍ବିତୀୟ ଅଧିବେଶନରେ ହରିହର କାନୁନ୍‌ଗୋଙ୍କ ଅଧ୍ୟକ୍ଷତା, ସମୀକ୍ଷକ ଦୁର୍ଗାମାଧବ ନନ୍ଦ ଓ ଅସିତ୍ ମହାନ୍ତିଙ୍କ ପରିଚାଳନାରେ ଦ୍ୱିତୀୟ ଅଧବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧି‌ବେଶନରେ ୨୪ଜଣ ବିଦ୍ୱାନ ତଥା ଗବେଷକ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ। ପାଠଚକ୍ରର ଉଦ୍‌ଯାପନ କା‌ର୍ଯ୍ୟକ୍ରମରେ ପ୍ରଫେସର୍‌ ନିତ୍ୟାନନ୍ଦ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରାକ୍ତନ ପ୍ରଫେସର ଗୋପାଳକୃଷ୍ଣ ଦାଶ ମୁଖ୍ୟ ଅତିଥି, ପ୍ରଫେସର ସୁରେନ୍ଦ୍ରନାଥ ଦାଶ ମୁଖ୍ୟବକ୍ତା, ପ୍ରଫେସର ଧ୍ରୁବଚରଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତ ରଖିଥିଲେ। ପରିଷଦର ଉପସଭାପତି ରାଧାଶ୍ୟାମ ପାତ୍ର ଧନ୍ୟବାଦ ଦେଇଥିଲେ।